କରୋନା ମୁକାବିଲା : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସ୍ଵାସ୍ଥ୍ୟକର୍ମୀଙ୍କୁ ବୀମା ସୁବିଧା

କୋବିଡ-୧୯ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ସ୍ଵାସ୍ଥ୍ୟକର୍ମୀଙ୍କୁ ବୀମା ସୁବିଧା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଘୋଷଣା ଅନୁଯାୟୀ କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ସ୍ଵାସ୍ଥ୍ୟକର୍ମୀଙ୍କୁ ବୀମା ସୁବିଧା ପ୍ରଦାନ କରିବା ପ୍ରସ୍ତାବକୁ କେତେକ ସର୍ତ୍ତାବଳୀ ସହ ଅନୁମୋଦନ କରାଯାଇଛି ।
ଏହି ଯୋଜନା ଅନ୍ତର୍ଗତ ୯୦ ଦିନ ଅବଧି ଲାଗି ୨୨.୧୨ ଲକ୍ଷ ସ୍ଵାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯିବ। ଯେଉଁମାନେ କୋଭିଡ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ଥିବେ ଓ ସିଧାସଳଖ ଭାବେ ତାଙ୍କ ସମ୍ପର୍କରେ ଆସୁଥିବେ । ଗୋଷ୍ଠୀ ସ୍ଵାସ୍ଥ୍ୟକର୍ମୀମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ । କୋଭିଡ-୧୯ ସଂକ୍ରମଣ ହେତୁ ଆକସ୍ମିକ ଜୀବନହାନୀ କ୍ଷେତ୍ରରେ ମଧ୍ୟ ଏହି ବୀମା ସୁବିଧା ପ୍ରଦାନ କରାଯିବ ।
ଏହି ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିୟୋଜିତ ବେସରକାରୀ, ଅବସରପ୍ରାପ୍ତ, ଚୁକ୍ତିଭୂକ୍ତ ଓ ସାମୟିକ ସ୍ଵାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଏହି ସୁବିଧାର ଲାଭ ମିଳିବ । କିନ୍ତୁ ଏହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ସଂଖ୍ୟା ଉପରେ ନିର୍ଭରଶୀଳ ।
ଏହି ବୀମା ଯୋଜନା ଅନ୍ତର୍ଗତ ସୁବିଧା ହିତାଧିକାରୀଙ୍କ ଦ୍ଵାରା କରାଯାଇଥିବା ଅନ୍ୟ ସମସ୍ତ ବୀମା ଯୋଜନାର ଉର୍ଦ୍ଧ୍ଵରେ ଓ ସେମାନଙ୍କ ପରିସରଭୁକ୍ତ ହେବନାହିଁ ।

Comments are closed.