ମାସ୍କ, ପିପିଇ କିଟ୍‍  କିଣା କେଳେଙ୍କାରୀ: ଅଢ଼େଇ ଘଣ୍ଟା ଶୁଣାଣି ପରେ ରାୟ ସଂରକ୍ଷିତ ରଖିଲେ  ଲୋକାୟୁକ୍ତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାସ୍କ ଏବଂ ଅନ୍ୟାନ୍ୟ କୋଭିଡ୍‍ ଜିନିଷପତ୍ର କିଣା କେଳେଙ୍କାରୀକୁ ନେଇ ଲୋକାୟୁକ୍ତରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି। କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସଙ୍କ ଦ୍ୱାରା ଦାୟର ହୋଇଥିବା ପିଟିସନ ଓ ତା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ  ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ ରଖିଥିବା ଉତର ଉପରେ ଉଭୟ ପକ୍ଷର ଯୁକ୍ତିଗୁଡିକୁ ଲୋକାୟୁକ୍ତ ଅଢ଼େଇ ଘଣ୍ଟା ଶୁଣାଣି କରିଛନ୍ତି ।

ଆବେଦନକାରୀ  ସୁଦର୍ଶନ ଦାସ ମାସ୍କ, ପିପିଇ କିଟ୍‍, ଆର୍ଟିଫିସିଆଲ୍‍ ମେସିନ୍‍, କୋଭିଡ୍‍ ଟେଷ୍ଟିଂ କିଟ୍‍, ନେବୁଲାଇଜର ଇତ୍ୟାଦି ଜିନିଷପତ୍ର କିଣାରେ ଚଂଚକତା, ଅହେତୁକ ପକ୍ଷପାତିତା ଏବଂ ନୀତି ନିୟମକୁ ଭଙ୍ଗ କରିବାର ତଥ୍ୟ ସମ୍ବଳିତ ଯୁକ୍ତି ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କର ମେଡିକାଲ କର୍ପୋରେସନ ଏପ୍ରିଲ୍‍ ୧୫ ତାରିଖ ୨୦୨୦ ରେ ଗୋଟିଏ କମ୍ପାନୀ ପାଖରୁ ୫ ଲକ୍ଷ ମାସ୍କ ୧୦ ଟଙ୍କାରେ କିଣି ଥିବା ବେଳେ ସେହି ଏପ୍ରିଲ୍‍ ୧୭ ତାରିଖରେ ସେହି ମାସ୍କକୁ ତାମିଲନାଡୁସ୍ଥିତ ଶ୍ରୀବିଷ୍ଣୁ ଡିସ୍‍ପୋଜେବୁଲ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ନାମକ ଏକ କମ୍ପାନୀ ପାଖରୁ ମାସ୍କ ପିଛା ୧୬ ଟଙ୍କାରେ କିଣିବା ପଛରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ମନ୍ଦ ଉଦ୍ଦେଶ୍ୟ ରହିଥିବାର ଉଲ୍ଲେଖ କରିଥିଲେ। ଯେଉଁ ସମୟରେ ଓଡିଶା ସରକାର ୧୬ ଟଙ୍କାରେ ସେହି କମ୍ପାନୀ ପାଖରୁ ମାସ୍କ କିଣିଥିଲେ ସେହି ସମୟରେ ଦିଲ୍ଲୀ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର, ତେଲେଙ୍ଗାନା, ଗୁଜୁରାଟ ଇତ୍ୟାଦି ରାଜ୍ୟମାନେ ଯଥାକ୍ରମେ ଟ. ୮.୪୭ ପଇସା, ଟ. ୭.୮୮ ପଇସା, ଟ. ୭.୫୦ ପଇସା, ଟ. ୧.୩୪ ପଇସା ଓ ଟ. ୨.୪୦ ପଇସାରେ କିଣିଥିଲେ।

ସରକାରୀ ଅଫିସରମାନେ ଯୁକ୍ତି ବାଢ଼ିଥିଲେ ଯେ କେନ୍ଦ୍ର ସରକାରଙ୍କର ବିଜ୍ଞପ୍ତି ଅନୁଯାୟୀ ୧୬ ଟଙ୍କାରେ ମାସ୍କ କିଣା ଯାଇଥିଲା। ମାତ୍ର ଏହାକୁ ଖଣ୍ଡନ କରି ଶ୍ରୀ ଦାସ ଯୁକ୍ତି ବାଢ଼ିଥିଲେ ଯେ କେନ୍ଦ୍ର ସରକାରଙ୍କର ବିଜ୍ଞପ୍ତିକୁ ଅଧିକାରୀମାନେ କଦର୍ଥ କରି ନିଜକୁ ସୁହାଇଲା ଭଳି ବ୍ୟାଖ୍ୟା କରି ନିର୍ଦ୍ଦିଷ୍ଟ କମ୍ପାନୀକୁ ୱାର୍କ ଅର୍ଡର ଦେଇଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ବ୍ୟାପକ ଆର୍ଥିକ କ୍ଷତି ହୋଇଛି। ଅନ୍ୟ କମ୍ପାନୀମାନଙ୍କୁ ମାସ୍କ ଯୋଗାଇବା କ୍ଷେତ୍ରରେ ମୂଲଚାଲ ନକରି କାହିଁକି ଏବଂ କେଉଁ ପରିପ୍ରେକ୍ଷୀରେ ଉପରୋକ୍ତ କମ୍ପାନୀକୁ ୱାର୍କ ଅର୍ଡର ଦେଲେ ତା’ର ଉପଯୁକ୍ତ କୈଫିୟତ୍‍ ସରକାରଙ୍କ ପାଖରୁ ଶ୍ରୀ ଦାସ ମାଗିଥିଲେ। ଆର୍ଟିଫିସିଆଲ୍‍ ମେସିନ୍‍ ଓ ଟେଷ୍ଟିଂ କିଟ୍‍ କିଣିବା କ୍ଷେତ୍ରରେ ବ୍ୟାପକ ଅନିୟମିତତାର ପ୍ରମାଣ ଦେଖାଇ ଶ୍ରୀ ଦାସ ଯୁକ୍ତି ବାଢ଼ିଥିଲେ ଯେ ମେସିନ୍‍ କିଣିବା କ୍ଷେତ୍ରରେ ଅହେତକୁ ଅନୁକମ୍ପା ଦେଖାଇ ମେଡିକାଲ୍‍ କର୍ପୋରେସନ ନିର୍ଦ୍ଦିଷ୍ଟ କମ୍ପାନୀ ପାଖରୁ ଯେତିକି ଦାମ୍‍ରେ ତାକୁ କିଣିଛନ୍ତି ତା ଠାରୁ କମ୍‍ ଦାମରେ ସେହି ସମୟରେ ବଜାରରେ ଉପଲବ୍ଧ ଥିଲା। ଅନୁରୂପ ଭାବରେ ସେହି ମେସିନ୍‍ ପାଇଁ ବ୍ୟବହୃତ କିଟ୍‍ କିଣିବା କ୍ଷେତ୍ରରେ ମଧ୍ୟ ବ୍ୟାପକ ଅନିୟମିତତାର ବ୍ୟାଖ୍ୟା କରି ଅଭିଯୋଗକାରୀ ଶ୍ରୀ ଦାସ କହିଲେ ଯେଉଁ ତିନୋଟି କମ୍ପାନୀ ଠାରୁ ଟେଷ୍ଟିଂ କିଟ୍‍ କିଣାଯାଇଛି ତା ଭିତରୁ ସବୁଠୁ କମ୍‍ ଦାମ୍‍ (୯୮୦ ଟଙ୍କା) ରେ ଯୋଗାଇ ଥିବା କମ୍ପାନୀ ଠାରୁ ମାତ୍ର ୫ ହଜାର କିଟ୍‍ କିଣାଯାଇଥିôବା ବେଳେ ସବୁଠୁ ଅଧିକା ଦାମ୍‍ (ଟ. ୧୩୨୧.୬ ପଇସା)ରେ ଯୋଗାଇ ଥିବା କମ୍ପାନୀ ଠାରୁ ୧ ଲକ୍ଷ କିଟ୍‍ କିଣାଯାଇଛି। ଏଥିରେ ଦୁର୍ନୀତି ଏବଂ ପ୍ରିୟାପ୍ରୀତି ସ୍ପଷ୍ଟ ପ୍ରମାଣ ମିଳେ। ପିପିଇ କିଟ୍‍ କିଣା କ୍ଷେତ୍ରରେ ହାଇଦ୍ରାବାଦର ଏକ ଚଷମା ଦୋକାନୀ ଓ ଗୁର୍‍ଗାଓଁର ଏକ ବିଲ୍‍ଡର କମ୍ପାନୀ ଠାରୁ ପିପିଇ କିଟ୍‍ କିଣିବା ପଛରେ ରହସ୍ୟ କ’ଣ ଏବଂ ସେଗୁଡିକ ବିନା ଯାଂଚ୍‍ରେ କିଭଳି କରୋନା ଯୋଦ୍ଧାମାନଙ୍କୁ ପିନ୍ଧିବାକୁ ଦିଆଗଲା ତାକୁ ନେଇ ଆବେଦନକାରୀ ଶ୍ରୀ ଦାସ ପ୍ରଶ୍ନ ଉଠାଇଥିଲେ। ଆବେଦନକାରୀଙ୍କ ଯୁକ୍ତି ଏବଂ ଅପର ପକ୍ଷରୁ ଜବାବ ଶୁଣିଲା ପରେ ମାନ୍ୟବର ଲୋକାୟୁକ୍ତ ନିଷ୍ପତିକୁ ସଂରକ୍ଷିତ ରଖିଛନ୍ତି ଏବଂ ଆସନ୍ତା ଦିନେ ଦୁଇଦିନ ଭିତରେ ତାହା ପ୍ରକାଶ ପାଇବ ବୋଲି କହିଥିଲେ। ଆଜିର ଶୁଣାଣି ବେଳେ ଲୋକାୟୁକ୍ତର ଅଧ୍ୟକ୍ଷ ନ୍ୟାୟମୂର୍ତି ଶ୍ରୀ ଅଜିତ୍‍ ସିଂ ଏବଂ ନ୍ୟାୟମୂର୍ତି ଶ୍ରୀ ବି.କେ. ନାୟକ ଉପସ୍ଥିତ ଥିଲେ।

Comments are closed.