କୋଭିଡ୍‌-୧୯ ଅଲିମ୍ପିକ୍‌ସ ସ୍ବପ୍ନକୁ ପୂରଣ କରିବ : ନରସିଂହ

ମୁମ୍ବଇ : ଅଲିମ୍ପିକ୍‌ସ ସ୍ଥଗିତ ମୋ ପାଇଁ ଆଶୀର୍ବାଦ ସଦୃଶ ବୋଲି କହିଛନ୍ତି କୁସ୍ତିଯୋଦ୍ଧା ନରସିଂହ ଯାଦବ। ଡୋପିଂ ମାମଲାରେ ୨୦୧୬ ରିଓ ଅଲିମ୍ପିକ୍‌ସ ପୂର୍ବରୁ କୋର୍ଟ ଅଫ ଆର୍ବିଟେସନ ଫର ସ୍ପୋର୍ଟସ (କ୍ୟାସ) ଦ୍ବାରା ୪ବର୍ଷ ବାସନ୍ଦ ହୋଇଥିବା ନରସିଂହ ୨୦୨୧ ଅଲିମ୍ପିକ୍‌ସ ଖେଳିବା ନେଇ ଆଶା ସଞ୍ଚାର କରିଛନ୍ତି। ନରସିଂହ କହିଛନ୍ତି ଯେ, କୋଭିଡ୍‌-୧୯ ମୋ ଅଲିମ୍ପିକ୍‌ସ ସ୍ବପ୍ନକୁ ପୂରଣ କରିବାରେ ସହାୟକ ହେବ। ମୋ ଉପରେ କ୍ୟାସ ପକ୍ଷରୁ ଲଗାଯାଇଥିବା ୪ବର୍ଷର ପ୍ରତିବନ୍ଧକ ଆସନ୍ତା ଜୁଲାଇରେ ଶେଷ ହେବ। ଏହାପରେ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଓହ୍ଲାଇବା ସହିତ ଅଲିମ୍ପିକ୍‌ସ ଯୋଗ୍ୟତା ନେଇ ସୁଯୋଗ ରହିବ ବୋଲି ନରସିଂହ କହିଛନ୍ତି। କୋଭିଡ୍‌-୧୯ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଚାଲିଛି। ଏଭଳି ସ୍ଥିତିରେ ଟୋକିଓ ଅଲିମ୍ପିକ୍‌ସ ଭଳି କ୍ରୀଡ଼ା ମହାକୁମ୍ଭକୁ ମଧ୍ୟ ଏକବର୍ଷ ଲାଗି ସ୍ଥଗିତ ରଖାଯାଇଛି। ଜୁଲାଇରେ ମୋ ଉପରେ ୱାଡାର ପ୍ରତିବନ୍ଧକ ହଟିବା ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଖେଳିବା ନେଇ ନିଜକୁ ପ୍ରସ୍ତୁତ କରୁଛି। ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା ମୋର ପ୍ରଥମ ଲକ୍ଷ୍ୟ ରହିବ । ୭୪ କିଗ୍ରା ବର୍ଗରେ ପ୍ରତିନିଧିତ୍ବ କରିବା ନେଇ ନିଜକୁ ପ୍ରସ୍ତୁତ ଚଳାଉଛି। ନିଶ୍ଚିତ ଲକ୍ଷ୍ୟ ହାସଲ କରିପାରିବି ବୋଲି ନରସିଂହ କହିଛନ୍ତି। ୱାଡା ପକ୍ଷରୁ ନରସିଂହଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ଜୁଲାଇରେ ଶେଷ ହେବ। ପ୍ରତିବନ୍ଧକ ହଟିବା ପ​‌େ​‌ର ୱାର୍ଲ୍ସ ଆଣ୍ଟିଂ ଡୋପିଂ ଏଜେନ୍ସି(ୱାଡା) ପକ୍ଷରୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ନେଇ ସୁଯୋଗ ମିଳିବ ବୋଲି ଭାରତୀୟ କୁସ୍ତି ମହାସଂଘର ସହ ସମ୍ପାଦକ ବିନୋଦ ତୋମାର ପିଟିଆଇକୁ କହିଛନ୍ତି। ସୂଚନାଯୋଗ୍ୟ ୨୦୧୬ ରିଓ ଅଲିମ୍ପିକ୍‌ସ ପୂର୍ବରୁ ଦୁଇ ଭାରତୀୟ କୁସ୍ତିବିତ୍‌ ଦୁଇଥର ଅଲିମ୍ପିକ୍‌ସ ପଦକ ବିଜେତା ସୁଶୀଲ କୁମାର ଓ ନରସିଂହ ଯାଦବକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଉଭୟେ ୭୪ କିଗ୍ରା ବର୍ଗରେ ଯୋଗ୍ୟତା ହାସଲକୁ ନେଇ ନ୍ୟାୟାଳୟକୁ ଯିବାକୁ ମଧ୍ୟ ପଡ଼ିଥିଲା। ଉକ୍ତ ମାମଲାକୁ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ( ସିବିଆଇ ) ତଦନ୍ତ କରିଥିଲା। ୨୦୧୬ ଜୁନ୍‌ ୨୫ରୁ ଜୁଲାଇ ୫ ମଧ୍ୟରେ ନରସିଂହଙ୍କ ଦୁଇଥର ଡୋପ ପରୀକ୍ଷା କରାଯାଇଥିଲା। ଏଥିରେ ନରସିଂହ ବିଫଳ ହେବା ପରେ ୱାଡା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିଲା। ମୁମ୍ବଇ ପୁଲିସରେ କାର୍ଯ୍ୟରତ ନରସିଂହ ଏବେ ଅଲିମ୍ପିକ୍‌ସ ଘୁଞ୍ଚିବା ପରେ ନିଜ କ୍ରୀଡ଼ା ସ୍ବପ୍ନକୁ ପୂରଣ କରିବା ନେଇ ଲକ୍ଷ୍ୟ ରଖିଛନ୍ତି।

Comments are closed.