ନିର୍ମାଣକୁ ବିରୋଧ, ପୁଲିସ-ଗ୍ରାମବାସୀ ଧସ୍ତାଧସ୍ତି : ୧୫ ଗିରଫ

ସ୍ମାର୍ଟକେମ୍‌ ସାର କାରଖାନା

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳୀପଲ୍ଲୀ ମୌଜାରେ ଟାଟା ଅଧିକୃତ ଜମିରେ ପ୍ରସ୍ତାବିତ ସ୍ମାର୍ଟକେମ ସାର କାରଖାନା ନିର୍ମାଣକୁ କେନ୍ଦ୍ର କରି ପ୍ରଶାସନ- କାରଖାନା କର୍ତ୍ତୃପକ୍ଷ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ବୁଧବାର ଉଗ୍ର ରୂପ ନେଇଛି। ବିନା ପୂର୍ବ ସୂଚନାରେ ପ୍ରସ୍ତାବିତ କାରଖାନା ସ୍ଥଳରେ ପାଚେରି ନିର୍ମାଣକୁ କେନ୍ଦ୍ର କରି ଅଞ୍ଚଳବାସୀ ତାତି ଉଠିଛନ୍ତି। ପାଚେରି ନିର୍ମାଣକୁ ବିରୋଧ କରି ଗ୍ରାମବାସୀ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଛି। ଉତ୍ତେଜିତ ଲୋକଙ୍କୁ ଛତ୍ରଭଙ୍ଗ ଦେବାକୁ ଯାଇ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଛି। ଘଟଣାସ୍ଥଳରୁ ପୁଲିସ ୨୫ ଜଣଙ୍କୁ ଉଠାଇ ନେବା ପରେ ସନ୍ଧ୍ୟାରେ ୧୫ଜଣଙ୍କୁ ଗିରଫ କରିଛି।
କାଳୀପଲ୍ଲୀ ଅଞ୍ଚଳରେ ସଠିକ ଭାବେ ସର୍ଭେ ନକରିବା, ପଟ୍ଟା ପ୍ରଦାନ ନକରି ବିନା ସୂଚନାରେ ବେଆଇନ ଭାବେ ପୁଲିସ ବାହିନୀ ମୁତୟନ କରି ଟାଟା କମ୍ପାନୀ ପକ୍ଷରୁ ଅଧିଗୃହୀତ ଜମିରେ ମଙ୍ଗଳବାରଠାରୁ ପାଚେରି ନିର୍ମାଣ କାର୍ଯ୍ୟ ଚାଲିଛି। ଏହାକୁ ବିରୋଧ କରି କାଲିପଲ୍ଲୀବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରକଳ୍ପ ନିକଟରେ କରାଯାଇଥିବା ବ୍ୟାରିକେଡ ଭାଙ୍ଗି ଧସେଇ ପସିଲା ବେଳେ ଉତ୍ତଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା।
ଘଟଣାସ୍ଥଳରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ପୁରୁଷୋତ୍ତମପୁର ତହସିଲଦାର, ଗଞ୍ଜାମ ବିଡ଼ିଓ ଯସ୍ମିନ ପ୍ରଧାନ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ବେଳେ ଗଞ୍ଜାମ ପୁଲିସ ଜିଲାର ଦୁଇ ଜଣ ଅତିରିକ୍ତ ଏସପି ,୬ ଜଣ ଡ଼ିଏସପି ,୧୮ ଜଣ ଇନିସପେକ୍ଟର , ୨୧ ପ୍ଲାଟୁନ ପୁଲିସ ବାହିନୀ ମୁତୟନ ରହିଛନ୍ତି l ଏପରିକି ନିଜେ ଗଞ୍ଜାମ ଏସପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।
ଖବର ଲେଖା ହେବା ସୁଦ୍ଧା ମହିଳା ଓ ପୁରୁଷମାନେ ଘଟଣାସ୍ଥଳରେ ଆନ୍ଦୋଳନରେ ବସି ରହିଛନ୍ତି। ଅନ୍ୟପଟେ ସ୍ମାର୍ଟକେମ ବା ଦୀପକ କମ୍ପାନୀ ନାମରେ କୋଣସି ସାର କାରଖାନାର କାମ ଚାଲୁନାହିଁ। ଟାଟା ପକ୍ଷରୁ ପୁଲିସ ଫୋର୍ସ ମୁତୟନ ସହିତ କେବଳ ପାଚେରି ନିର୍ମାଣ ଚାଲୁ ରହିଛି। ଏହାକୁ ବିରୋଧ କରି କାଳୀପଲ୍ଲୀ ଗ୍ରାମବାସୀ ପୁଲିସ ବ୍ୟାରିକେଡ ଭାଙ୍ଗି ଠେଲାପେଲା କରିବା ସହିତ ଆଇନ ହାତକୁ ନେଇଛନ୍ତି ବୋଲି ଅତିରିକ୍ତ ଏସ୍‌ପି ପିକେ ଦଳାଇ ଗଣମାଧ୍ୟମକୁ କହିଛନ୍ତି। ଗ୍ରାମର କୋଡିଏ ଜଣ ପ୍ରତିନିଧି ଛତ୍ରପୁରକୁ ଆସି ଗଞ୍ଜାମ ଏସ୍‌ପିଙ୍କ ସହ ଆଲୋଚନା କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଛତ୍ରପୁର ବ୍ଲକ କାଳିପଲ୍ଲୀ ନିକଟ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ ଟେକ୍ନୋଲଜିର ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟ ସ୍ଥାପନକୁ କାଲିପଲ୍ଲୀ ଗ୍ରାମବାସୀଙ୍କ ବିରୋଧ ଜାରି ରହିଛି l ଗ୍ରାମ୍ୟ କମିଟି ପକ୍ଷରୁ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଜିଲା ପ୍ରଶାସନକୁ ଅବଗତ କରାଯାଇଥିଲା। ଗ୍ରାମ୍ୟ କମିଟିର କିଛି ଲୋକ ମହାରାଷ୍ଟ୍ରରେ ଥିବା କମ୍ପାନୀ ପରିଦର୍ଶନ କରି ଫେରି ଆସିବା ପର୍ଯ୍ୟନ୍ତ କାମ ବନ୍ଦ ରଖିବା ଓ ଅନ୍ୟ କିଛି ସର୍ତ୍ତ ଜିଲା ପ୍ରଶାସନ ନିକଟରେ ରଖିଥିଲେ। ଗଁା କମିଟି ସର୍ତ୍ତ ଜାରି କରିବାର ଦିନକ ପରେ ପ୍ରଶାସନ ପୁଲିସ ଫୋର୍ସ ମୁତୟନ କରି ମଙ୍ଗଳବାରଠାରୁ ଟାଟା ଷ୍ଟିଲ ଲିମିଟେଡ଼ ପକ୍ଷରୁ ଇଡ଼କୋ ଦ୍ୱାରା ଅଧିକୃତ ଜମିରେ ପାଚେରି ନିର୍ମାଣ କାମ ଆରମ୍ଭ କରି ଦିଆଯିବାରୁ ଗ୍ରାମବାସୀ ତାହାର ଘୋର ବିରୋଧ କରିଥିଲେ।
ଜିଲା ପ୍ରଶାସନ ପକ୍ଷରୁ ଉଚିତ ଭାବେ ସର୍ଭେ ନକରି ଲୋକଙ୍କୁ ମୂଳପଟ୍ଟା ପ୍ରଦାନ ନକରି ପାଚେରି ନିର୍ମାଣ କାମ କିପରି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି କାଳୀପଲ୍ଲୀ ଗ୍ରାମ କମିଟି ସଭାପତି ବି. ମୋହନ ପାତ୍ର।

Comments are closed.