MEllora 950×100

ପୈତୃକ ସମ୍ପତ୍ତିରେ ଉତ୍ତରାଧିକାରୀଙ୍କୁ ଅଧିକାର

ରାଜସ୍ବ ବିଭାଗର ଭୂ-ସଂସ୍କାର

ଭୁବନେଶ୍ୱର : ଦଶହରା ପୂର୍ବରୁ ରାଜସ୍ବ ବିଭାଗ ପକ୍ଷରୁ ଏକ ଭୂ-ସଂସ୍କାର ନିର୍ଦେଶନାମା ସବୁ ଜିଲାପାଳଙ୍କ ନିକଟକୁ ପଠାଯାଇଛି। ପୈତୃକ ସମ୍ପତ୍ତିରେ ଉତ୍ତରାଧିକାରୀଙ୍କୁ ହକ୍ ଦେବାପାଇଁ ବିଭାଗ ଅଣ୍ଟା ଭିଡ଼ିଛି। ଅଧିକାଂଶ କ୍ଷେତ୍ରରେ ପିତୃପୁରୁଷଙ୍କ ଦୀର୍ଘବର୍ଷ ଧରି ସ୍ବର୍ଗବାସ ହୋଇଥିଲେ ମଧ୍ୟ ତାଙ୍କ ଉତ୍ତରାଧିକାରୀଙ୍କ ନାମକୁ ସ୍ବତ୍ବ ଆସିପାରୁ ନାହିଁ। ଫଳରେ ଅଭାବୀ ଚାଷୀ ଆଜିର ଡିଜିଟାଲ ଯୁଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଆତି ସୁବିଧା ଧାର୍ଯ୍ୟ ସମୟ ଭିତରେ ହାତେଇ ପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପୈତୃକ ସମ୍ପତ୍ତିକୁ ନେଇ ବିଭିନ୍ନ ସମୟରେ ଉପୁଜୁଥିବା ବିବାଦର ଅନ୍ତ ଘଟାଇବା ପାଇଁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକେ ଯେପରି ସ୍ବତ୍ବ ଲାଗି ତହସିଲ କାର୍ଯ୍ୟାଳୟ ଦୌଡ଼ିବେନି ସେଥିପାଇଁ ରାଜସ୍ବ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ଏହି ମର୍ମରେ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁ ନିକଟରେ ସବୁ ଜିଲାପାଳଙ୍କୁ ପତ୍ର ଲେଖି ତୁରନ୍ତ କାର୍ଯ୍ୟାନ୍ବୟନ କରିବାକୁ ନିର୍ଦେଶ ଦେଇଛନ୍ତି।
ଶ୍ରୀ ସାହୁ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ବହୁ ତହସିଲରେ ୧୯୬୦ରୁ ୧୯୯୦ ମଧ୍ୟରେ ଜମି ପଟ୍ଟା ବନ୍ଦୋବସ୍ତ କରାଯାଇଛି। ଏବେ ଏହାର ଆଉ ପୁନର୍ବାର ବନ୍ଦୋବସ୍ତ କରାଯିବାର ଆବଶ୍ୟକତା ନାହିଁ। ଏହାଦ୍ବାରା କେବଳ ଯେ ସମୟ ଅପଚୟ ହେବ ତାହା ନୁହେଁ, ଜନସାଧାରଣ ଏବଂ ସରକାରୀ କର୍ମଚାରୀଙ୍କ ସମସ୍ୟା ଜଟିଳ ହେବ। ରାଜସ୍ବ ଅଧିକାରୀମାନେ ପୈତୃକ ସମ୍ପତ୍ତି ଦେଖି ତା’ର ଉତ୍ତରାଧିକାରୀଙ୍କୁ ସମ୍ପତ୍ତି ସ୍ବତ୍ବ ପରିବର୍ତ୍ତନ କରିପାରିବେ।
ନିର୍ଦେଶନାମାରେ ସେ ଦର୍ଶାଇଛନ୍ତି ଯେ, ବିଭିନ୍ନ ମାମଲାରେ ପୈତୃକ ସମ୍ପତ୍ତି ବିବାଦ ଭିତରେ ରହୁଥିବାରୁ ହିତାଧିକାରୀମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଭଳି ଭାରତ ସରକାରଙ୍କ କେତେକ ଯୋଜନାରେ ଚାଷୀଙ୍କ ନାମରେ ସ୍ବତ୍ତ୍ବ ବା ଜମିପଟ୍ଟା ଥିବାର ସର୍ତ୍ତାବଳି ରହିଛି। ଏହାସହିତ ଚାଷୀମାନେ ଅନ୍ୟାନ୍ୟ ସରକାରୀ ସହାୟତା ପାଇବାରେ ପ୍ରତିବନ୍ଧକ ହେଉଥିବାବେଳେ ବ୍ୟାଙ୍କରୁ ଋଣ ନେବାରେ ମଧ୍ୟ ସମସ୍ୟା ସୃ‌ଷ୍ଟି ହେଉଛି। ଉକ୍ତ ସମ୍ପତ୍ତିର ରାଜସ୍ବ ମଧ୍ୟ ଠିକଣା ଭାବେ ମିଳିପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଜମିର ମାଲିକାନା ପରିବର୍ତ୍ତନ ବେଳେ ରାଜସ୍ବ ନିରୀକ୍ଷକମାନେ ସମ୍ପୂର୍ଣ୍ଣ ରାଜସ୍ବ ସଂଗ୍ରହ କରି ଠିକଣା ସ୍ବତ୍ତ୍ବ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବେ।
ଏହି ନିର୍ଦେଶନାମାରେ ଆହୁରି ଦର୍ଶାଇଛନ୍ତି ଯେ, ରାଜସ୍ବ ବିଭାଗର ଭୂ-ସଂସ୍କାର ଆଇନ-୧୯୬୦ ଅନୁଯାୟୀ ଜମି ବଣ୍ଟନ ବେଳେ ସବୁ ଅଂଶୀଦାରମାନେ ସ୍ବାକ୍ଷର ଦେଲେ ଏହାର ବଣ୍ଟନ ହୋଇପାରିବ। ସେହି ଅନୁଯାୟୀ ପ୍ରଶାସନିକ ଅଧିକାରୀମାନେ ପୈତୃକ ସମ୍ପତ୍ତିର ମାଲିକାନା ପରିବର୍ତ୍ତନ ଦିଗରେ ପଦକ୍ଷେପ ଗ୍ରହଣ କରିପାରିବେ। ଏଥିଲାଗି ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ସ୍ବତନ୍ତ୍ର ‘କ୍ୟାମ୍ପକୋର୍ଟ’ କରି ଏପରି ମାମଲାର ସମାଧାନ କରିବାକୁ ପଡ଼ିବ। ରାଜ୍ୟସାରା ଏ ସମସ୍ତ କାର୍ଯ୍ୟ ଯେଭଳି ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ହୋଇପାରିବ ସେଥିପ୍ରତି ଉପଜିଲାପାଳମାନେ ଦୃ‌ଷ୍ଟି ଦେବେ। ଏମିତିକି ରାଜସ୍ବ ରଥ ଜରିଆରେ ଲୋକଙ୍କୁ ସଚେତନ କରାଯାଇପାରିବ। ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳ ଏ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସାହୁ ନିର୍ଦେଶ ଦେଇଛନ୍ତି।

Comments are closed.