ପୁରୀରୁ ୫କ୍ବିଣ୍ଟାଲ ପଲିଥିନ ଜବତ ; ୧ଲକ୍ଷ ଟଙ୍କା ଜୋରିମାନା

ପୁରୀ: ପୁରୀ ସହରର ବଳଗଣ୍ଡି ଛକରେ ଥିବା ଗୋଟିଏ ଦୋକାନରୁ ମଙ୍ଗଳବାର ୫କ୍ବିଣ୍ଟାଲ ପଲିଥିନ ଜରି ଜବତ କରାଯାଇଛି। ଦୋକାନୀଙ୍କୁ ପୌରସଂସ୍ଥା ପକ୍ଷରୁ ୧ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ଏନ୍‌ଫୋର୍ସମେଣ୍ଟ ଅଫିସର ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ନେତୃତ୍ବରେ ଏକ ସ୍କ୍ବାର୍ଡ ଲକ୍ଷ୍ମୀ ପ୍ଲାଷ୍ଟିକ ନାମକ ଦୋକାନରେ ଅଚାନକ ଚଢଉ କରିଥିଲେ। ଗୋଦାମରୁ ୬୫ବସ୍ତା ପଲିଥିନ ଜବତ କରାଯାଇଛି। ସରକାରୀ କଟକଣା ଉଲ୍ଲଙ୍ଘନ କରି ବେଆଇନ ଭାବେ ପଲିଥିନ ମହଜୁଦ ଏବଂ ବିକିବା ଅଭିଯୋଗରେ ତାଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ଅନ୍ୟ ୬ଟି ସ୍ଥାନରେ ମଧ୍ୟ ଚଢଉ କରାଯାଇଛି। ଗତବର୍ଷ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀଠାରୁ ପୁରୀ ପୌରାଞ୍ଚଳରେ ପଲିଥିନ ବ୍ୟବହାର ନିଷିଦ୍ଧ କରାଯାଇଛି। ତାହାକୁ ବେଖାତିର କରି କେତେକ ବ୍ୟବସାୟୀ ପଲିଥିନ ବ୍ୟବହାର କରୁଥିବା ଜଣାପଡିଛି। ପଲିଥିନ ଜରିର ବ୍ୟାପକ ବ୍ୟବହାର ଯୋଗୁଁ ସହରର ଅଧିକାଂଶ ନଳା ପୋତି ହୋଇ ପଡିଛି।

Comments are closed.