ମହଙ୍ଗା ପଡ଼ିଲା ନିଷିଦ୍ଧ ପଲିଥିନ୍‌ ବ୍ୟବହାର, ୧୧ ଦୋକାନୀଙ୍କୁ ନୋଟିସ୍‌

- ୫ ହଜାର ଜୋରିମାନା ଆଦାୟ

ଭୁବନେଶ୍ବର: ଭୁବନେଶ୍ବରରେ ୫୦ ମାଇକ୍ରନ୍‌ରୁ କମ୍‌ ପଲିଥିନ୍‌ ବ୍ୟବହାର ନିଷିଦ୍ଧ ହୋଇଛି। ଦୋକାନୀ ଏବଂ ଗ୍ରାହକ ନିଷିଦ୍ଧ ପଲିଥିନ୍‌ ବ୍ୟବହାର କଲେ ଆଇନ ଅନୁସାରେ ଅାର୍ଥିକ ଦଣ୍ଡ ପାଇବେ। ଏହାସହିତ ଦୋକାନ ସମ୍ମୁଖରେ ଡଷ୍ଟବିନ୍‌ ରଖିବା ବାଧ୍ୟତାମୂଳକ କରିଛି ବିଏମ୍‌ସି। ବ୍ୟବହୃତ ପ୍ଲାଷ୍ଟିକ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦୋକାନ ସମ୍ମୁଖରେ ନ ପକାଇବାକୁ କୁହାଯାଇଛି। ହେଲେ ଏହାକୁ ଅନେକ ଦୋକାନୀ ମାନୁ ନ ଥିବାରୁ ସେମାନଙ୍କୁ ମହଙ୍ଗା ପଡ଼ିଛି।

ବୁଧବାର ବିଏମ୍‌ସିର ଦକ୍ଷିଣ ପଶ୍ଚିମ ଜୋନ୍‌ ଅନ୍ତର୍ଗତ ସିଆର୍‌ପି ଛକରୁ ଷ୍ଟୁଆର୍ଟ ସ୍କୁଲ ଅଞ୍ଚଳରେ ବିଏମ୍‌ସିର ସେଣ୍ଟ୍ରାଲ ଏବଂ ଜୋନ୍‌ ସ୍କ୍ବାଡ୍‌ ମିଳିତ ଭାବେ ଚଢ଼ଉ କରି ଦୋକାନୀଙ୍କଠାରୁ ଜୋରିମାନା ଆଦାୟ କରିଛି। ନିଷିଦ୍ଧ ପଲିଥିନ୍‌ ରଖିବା ଏବଂ ଦୋକାନ ସମ୍ମୁଖ ସର୍ବସାଧାରଣ ସ୍ଥାନରେ ଆବର୍ଜନ ପକାଇବା ଅଭିଯୋଗରେ ପ୍ରାୟ ୧୦ ଦୋକାନୀଙ୍କଠାରୁ ୫ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଛି। ଏହାସହିତ ୧୧ ଦୋକାନୀଙ୍କୁ ସ୍କ୍ବାଡ୍‌ ନୋଟିସ୍‌ ଜାରି କରିଛି। ସେହିପରି ବିଏମ୍‌ସି ଉତ୍ତର ଜୋନ୍‌ରେ ବିଭିନ୍ନ ହୋଟେଲରେ ସ୍କ୍ବାଡ୍‌ ପକ୍ଷରୁ ଚଢ଼ଉ କରାଯାଇ ମାଲିକଙ୍କୁ ତାଗିଦ୍‌ କରାଯାଇଛି। ଆଗାମୀ ଦିନରେ ଚଢ଼ଉ ଅଭିଯାନ ଜୋର୍‌ଦାର ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.