ଆଫଗାନିସ୍ତାନରେ ନେତୃତ୍ବ ସଙ୍କଟ : ତାଲିବାନ ମୁଖ୍ୟ ଅଖୁନ୍ଦଜାଦା ମୃତ, ବରାଦର ପଣବନ୍ଦୀ

ନୂଆଦିଲ୍ଲୀ : ଆଫଗାନିସ୍ତାନର କ୍ଷମତାସୀନ ତାଲିବାନ ସରକାରରେ ବଡ ଧରଣର ସଙ୍କଟ ଉଭା ହୋଇଛି। ସରକାରର ପ୍ରଥମ ଧାଡିର ଦୁଇ ନେତାଙ୍କର ଏବେ କୌଣସି ପତ୍ତା ମିଳୁ ନାହିଁ। ତାଲିବାନର ଏକ ନମ୍ବର ନେତା ତଥା ଆଫଗାନିସ୍ତାନ ସରକାରର ସର୍ବୋଚ୍ଚ ନେତା ହୈବାତୁଲ୍ଲା ଅଖୁନ୍ଦଜାଦାର ମୃତ୍ୟୁ ହୋଇଥିବା କୁହାଯାଉଛି। ସେହିପରି ସଂଗଠନର ଦୁଇ ନମ୍ବର ନେତା ତଥା ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରକୁ ପଣବନ୍ଦୀ କରାଯାଇଥିବା କୁହାଯାଇଛି। ସରକାର ଗଠନ ସମୟରେ ହକାନି ନେଟୱର୍କ ସହିତ ତାଲିବାନର ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ପରଠାରୁ ଉପରୋକ୍ତ ଦୁଇ ନେତାଙ୍କ ପତ୍ତା ମିଳୁ ନାହିଁ। ତେବେ ନିକଟରେ ବରାଦର ଏକ ଭିଡିଓ ଜାରି ତା’ ସମ୍ପର୍କରେ ପ୍ରସାରିତ ଗୁଜବକୁ ଖଣ୍ଡନ କରିଥିଲା। ତେବେ ବରାଦରର ଏହି ଭିଡିଓ ପଣବନ୍ଦୀ ଅବସ୍ଥାରେ ପ୍ରସ୍ତୁତ କରାଯାଇଛି ବୋଲି କେତେକ ପର୍ଯ୍ୟବେକ୍ଷକ ବ୍ରିଟେନସ୍ଥିତ ଏକ ପତ୍ରିକାକୁ ଜଣାଇଛନ୍ତି। ସୂଚନା ଅନୁଯାୟୀ ସରକାର ଗଠନ ସମୟରେ କ୍ଷମତା ବଣ୍ଟନକୁ ନେଇ ତାଲିବାନ ଓ ହକାନି ନେଟୱର୍କର ନେତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସରକାର ଗଠନ କଥାବାର୍ତ୍ତା ସମୟରେ ହକାନି ନେଟୱର୍କର ନେତା ଖଲିଲ୍ ରହମାନ ହକାନି ନିଜ ଚୌକିରୁ ଉଠିଆସି ତାଲିବାନ ନେତା ବରାଦରକୁ ମୁଥ ମାରିଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ସଂଘର୍ଷ ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଅନେକଙ୍କର ମୃତ୍ୟୁ ହୋଇଥିବାବେଳେ କେତେକ ଆହତ ହୋଇଥିଲେ। ସରକାର ଗଠନ କଥାବାର୍ତ୍ତା ସମୟରେ ଉପସ୍ଥିତ ଥିବା ପାକିସ୍ତାନ ଆଇଏସଆଇ ମୁଖ୍ୟ ଫୈଜ ହମିଦ ହକାନି ନେଟୱର୍କ ପ୍ରତି ସମର୍ଥନ କରିଥିଲେ। ବରାଦର କାନ୍ଦାହାରରେ ହକାନି ନେଟୱର୍କଙ୍କ ଦ୍ବାରା ଆହତ ଅବସ୍ଥାରେ ପଣବନ୍ଦୀ ଥିବା କୁହାଯାଉଥିବାବେଳେ ଅଖୁନ୍ଦଜାଦାର ମୃତ୍ୟୁ ହୋଇଥିବା କୁହାଯାଇଛି। ଏହି ଦୁଇଜଣଙ୍କ ଅନୁପସ୍ଥିତିକୁ ନେଇ ତାଲିବାନ ସରକାରରେ ଏବେ ନେତୃତ୍ବ ସଙ୍କଟ ଦେଖାଯାଇଛି।

Comments are closed.