ବିଷଣ୍ଣତାର ଦିବସ

ଭାରତୀୟ ଗଣତଂତ୍ରର ଆଉ ଏକ ବର୍ଷ ସଇଲା ବେଳକୁ ବାତାବରଣରେ ପ୍ରଚଂଡ ଅନିଶ୍ଚିତତା। ଦେଶ ଅପଂତରାର ମଝିରେ ଠିଆ: ଏକ ଜାଗତିକ ଶକ୍ତିବୋଲି ବଢେଇ ମାରିବାଠାରୁ ଏବେ ଆସି ନିଜ ଆଭ୍ୟଂତରୀଣ କାର୍ଯ୍ୟକଳାପ ବୁଝାଇବାର ପରିସ୍ଥିତିରେ ପହଂଚିଲାଣି; ଏକ ଦୃଢ ଗତିମାନ ଆର୍ଥିକ ପରିସ୍ଥିତିରୁ ତଳକୁ ଖସିବାରେ ଲାଗିଚି, – ମାତ୍ର ଦେଶର ସରକାର ସେ ବାବଦରେ ବେଫିକର। ଦେଶ ଏକ ନେତାଂକ ଉପରେ ଭରସା ରଖିଚି ଯିଏ ଏବେ ଘୃଣାସ୍ପଦ ଅହଂକାର ଓ ଦେହଛଡା ଭାବକୁ ଖସିଆସିଲେଣି। ଦେଶର ରାଜନୀତି ଏକ ବିପଜ୍ଜନକ ଛକଉପରେ ଠିଆ। ଏହା ଦେଶର ସମସ୍ତ ସମ୍ମାନନୀୟ ଅନଷ୍ଠାନଂକୁ – ବାସ୍ତବରେ ମୋଟ ଗଣତଂତ୍ରକୁ – ତଳିତଳାଂତ କରିବାରେ ବ୍ୟସ୍ତ। ଏହାର ଶାସକଗୋଷ୍ଠୀର ନୀତି ଧମକ ଓ ଦମନରେ ପର୍ଯ୍ୟବସିତ। ଏ ଦେଶର “ସମ୍ରାଟଂକ” ଦେହରେ ସହାନୁଭବତା ଓ ଦରଦର ପୋଷାକର ଅଭାବ। ୨୦୧୪ରେ ଉଠିଥିବା ଆଶା ଓ ଆକାଂକ୍ଷାର ଊର୍ମୀ ଜାଗାରେ ଆଜି ଶୂନ୍ୟତାର ଗହ୍ବରରେ ଭାରତ।
ଗତ ଡିସେଂବରଠାରୁ ଦେଶରେ ଆରଂଭ ହୋଇଥିବା ପ୍ରତିବାଦ ଆଂଦୋଳନକୁ ଏହି ଚିଂତାଗ୍ରସ୍ତ ଓ ନୈରାଶ୍ୟର ବାତାବରଣୀୟ ପରିପେକ୍ଷୀରେ ଦେଖିବାକୁ ହେବ। ଏକ ଦୃଷ୍ଟିରୁ ସେ ଆଂଦୋଳନ ଏବର ପରିସ୍ଥିତିର ପ୍ରତିନିଧିତ୍ବ କରୁଚଂତି – ସେ ସବୁ ଅ-ନିର୍ଣ୍ଣାୟକ ଓ ଅମୀମାଂସିତ ହେଲାବେଳକୁ, ଶାସନ ନିରୁତ୍ତର ଓ ଦୁରାଭିପ୍ରାୟୀ। ଏଣେ ପ୍ରତିବାଦ ସରୁନଥିଲେ ବି ତାହାର କୌଣସି ଦିଶାଦର୍ଶନ ନାହିଁ। ଆଂଦୋଳନର ସ୍ବତଃ:ସ୍ଫୂର୍ତ୍ତତା ଓ ଅବିଚଳତାରୁ ପ୍ରତୀୟମାନ ହେଉଚି ଯେ ଦେଶର ରାଜନୀତି, ରାଜ୍ୟବ୍ୟବସ୍ଥା ଓ ନୀତି-ନିୟମରେ କିଛି ଗଭୀର ଦୋଷ ଅଛି। ତେଣୁ ଏବର ଅଚଳାବସ୍ଥାରୁ ସଂକେତ ମିଳୁଚି ଯେ ମୂଲ୍ୟବାନ ମାନବିକ ଶକ୍ତି, ଦେଶରେ ଯେଉଁ ଦୋଷ-ଦୁର୍ବଳତା ଯୋଗୁଁ ପ୍ରତିବାଦ ଆରଂଭ ହୋଇଚି, ଆଗ ତାହାର ସମାଧାନ ନକରି, ବୃଥାରେ ମିଳେଇ ଯାଉଚି।
ତଥାପି, ଦେଶର ବିଭିନ୍ନ ସ୍ଥାନରେ ଗଢିଉଠିଥିବା ପ୍ରତିବାଦ ଆଂଦୋଳନ ତିନୋଟି କାରଣ ହେତୁ ମୂଲ୍ୟବାନ ଗଣତାନ୍ତ୍ରିକ ଘଟଣା ବୋଲି କୁହାଯାଇପାରେ। ପ୍ରଥମଟି ହେଲା, ପ୍ରତିବାଦକାରୀଂକର ଅଦମ୍ୟ ଧୈର୍ଯ୍ୟ ଓ ସହନଶୀଳତା। ଆମେ କେବଳ ଆମ ସାମାଜିକ ମୂଲ୍ୟବୋଧକୁ ଭୁଲିଯାଇ ଏହାକୁ ଆଖିଆଡ କରିବା ବା ନ୍ୟୂନ ମଣିପାରିବା। ପ୍ରତିବାଦକାରୀ ନିଜ ପାଇଁ କିଛି ମାଗୁନାହାଂତି – ଗଣତାଂତ୍ରିକ ଜୀବନରେ ଏହା ଏକ ମୂଲ୍ୟବାନ ମୁହୂର୍ତ୍ତ ଯେତେବେଳେ ଲୋକେ ଏକ ନୀତିଗତ ପ୍ରଶ୍ନଲାଗି କଷ୍ଟ ଭୋଗିବାକୁ ତିଆର ହୁଅଂତି।
ଦ୍ବିତୀୟରେ, ଏ ପ୍ରତିବାଦ ଏକ ଚେତାବନୀ ଭାବରେ ଗୁରୁତ୍ବପୂର୍ଣ। ଏହା ଶାସକ, ବିଶେଷଜ୍ଞ ଓ ଦେଖଣାହାରୀ – ସମସ୍ତଂକ ପାଇଁ ଏକ ସତର୍କ ଘଂଟି। ଏହା ଆମକୁ ଖାଲି ନାଗରିକ ସଂଶୋଧନ ଆଇନ ବା ନାଗରିକଂକ ତାଲିକା ବାବଦରେ ସତର୍କ କରାଏ ନାହିଁ, — କରାଏ ଏକ ଗଭୀରତମ ବିଷୟ ଆଡକୁ। ସାମୟିକ କ୍ରୋଧୋଦ୍ଦୀପନା ଅପେକ୍ଷା ଏହା ଆମକୁ ବ୍ୟାପକ ସାମାଜିକ ଉଦାସୀନତା ଓ ସରକାରର ମନୁଷ୍ୟଦ୍ବେଷୀ ରୂଢପ୍ରକୃତି ବାବଦରେ ସାବଧାନ କରାଏ। ଏହା ବର୍ତ୍ତମାନର ଆନୁଷ୍ଠାନିକ ବେଫିକରିପଣା ଆଡକୁ ଆମର ଦୃଷ୍ଟି ବଳାଏ ଓ ଆମ ସାଧାରଣତଂତ୍ରରେ ଥିବା ଅନେକ ଗୋଷ୍ଠୀ, ଯେଉଁମାନେ ଅନ୍ୟ କାହାର ଦୟା ଉପରେ ନିର୍ଭର କରଂତି, ତାଂକ ଅସହାୟ ଅବସ୍ଥା ଆଡକୁ ଆମ ଦୃଷ୍ଟି ବଳାଏ। ଆମ ଦେଶ ଯେ ସାମାଜିକ ଦୃଷ୍ଟିରୁ କ୍ଷଣଭଂଗୁର, ଏକଥା ଏହା ଆମକୁ ମନେରଖିବାରେ ସାହାଯ୍ୟ କରେ। ବାସ୍ତବିକ ଏ ପ୍ରତିବାଦମାନ ଆମ ଦେଶ ଯେଉଁ ସାମାଜିକ ଐକ୍ୟବୋଧ ଉପରେ ଗଢା ହୋଇଥିଲା ତାହା ଯେ ଭଗ୍ନ ପାଇବାର ଦ୍ବାରଦେଶରେ, ଏ କଥା ଆମକୁ ଜଣାଇଦିଏ।
ତୃତୀୟରେ, ଏ ପ୍ରତିବାଦମାନ ଆମକୁ ଆମ ଗଣତଂତ୍ରର ମୂଳତତ୍ତ୍ବକୁ ସଜାଗ ରଖିବାରେ ଲୋକଶକ୍ତିର ପ୍ରାଧାନ୍ୟକୁ ଉଜ୍ଜୀବିତ କରାଏ। ଆଉ ସେଥିଯୋଗୁଁ, ଏ ପ୍ରତିବାଦମାନ ଆମକୁ ବର୍ତ୍ତମାନର ସଂଦିହାନ ମୁହୂର୍ତ୍ତରେ ଦଂଭ ଦିଏ। ଏ ଦଂଭର ବିଭିନ୍ନ ଦିଗ ଅଛି।
ଆଗ, ଏ ପ୍ରତିବାଦମାନ ସାଂବିଧାନିକ ଓ ଗଣତାଂତ୍ରିକ ଅସହଯୋଗର ମୂଲ୍ୟ ଦର୍ଶାଏ। ବିଶେଷ ସଂତୋଷର କଥା ଯେ ମୁସଲମାନ ସଂପ୍ରଦାୟ ବହୁସଂଖ୍ୟାରେ ଏ ଆଂଦୋଳନରେ ସହଭାଗୀ ହେଉଚଂତି। ସଂଖ୍ୟାଲଘୁଂକ ରାଜନୀତି ଅନେକ ସମୟରେ ‘ଧର୍ମ ନିରପେକ୍ଷ’ ରାଜନୀତି ସହ ତାଳ ଦେଇ ଚାଲିବାକୁ କଷ୍ଟକର ମଣଂତି। ମାତ୍ର, ଏହି ପ୍ରତିବାଦ ଆଂଦୋଳନମାନ ସଂଖ୍ୟାଲଘୁ ସଂପ୍ରଦାୟଂକୁ ନିଜ ସମସ୍ୟାକୁ ଉପସ୍ଥାପିତ କରିବାରେ ଧର୍ମ ନିରପେକ୍ଷ ରାଜନୀତିର ଉପଯୋଗିତାକୁ ହୃଦୟଂଗମ କରିବାରେ ସାହାଯ୍ୟ କରିଛି। ଗତ ପାଂଚବର୍ଷ ହେଲା ମାଡଖିଆ ଅବସ୍ଥାରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟ ଏବେ ଆଉ ତୁଂଡଚିପି ଚୁପ୍ ହୋଇ ବସିବାକୁ ନାରାଜ। ମାତ୍ର ସେମାନେ ଅତିକ୍ରିୟାଶୀଳ ହେବାକୁ ବି ଅସମ୍ମତ। ତାଂକ ହତାଶାକୁ ଉଚ୍ଚାର କଲାବେଳେ ସେମାନେ ସଂବିଧାନ ଓ ରାଷ୍ଟ୍ରଧ୍ବଜାର ଅବଲଂବନ କରିଚଂତି। ରାଷ୍ଟ୍ର ଓ ତହିଁର ଗଣତଂତ୍ର ଉପରେ ତାଂକ ଅଧିକାରର ଅର୍ଥ, ପ୍ରତିବାଦକାରୀ ଯେ କେହି ହେଲେ ବି – ସେମାନେ ଯେ କୌଣସି ପୋଷାକ ପିଂଧିଥିଲେ ବି — ଖାଲି ସଂଖ୍ୟାଲଘୁ ଆଂଦୋଳନକାରୀ ବୋଲି ତାଂକୁ ଆଡେଇଦେଇ ହେବନାହିଁ। ଏହା ଫଳରେ କଥାଟା ସ୍ପଷ୍ଟ ହୋଇଚି ଯେ ପ୍ରତିବାଦର ବିଷୟ କୌଣସି ଏକ ସଂପ୍ରଦାୟର ଅଭିଯୋଗ ହୋଇ ରହିଲା ନାହିଁ। ବରଂ ଏହା, ଯେ କେହି ସଂବିଧାନର ମହତ୍ତ୍ବ ଦ୍ବାରା ଉଦ୍‌ବୋଧିତ ଏବଂ ଗଣତଂତ୍ରର ସ୍ବପ୍ନ ଦେଖୁଚଂତି, ସେ ସମସ୍ତଂକ ପାଇଁ।
ଯେଉଁ ଭାଷା ସଂବିଧାନରୁ ଉଦ୍ଧୃତ ଓ ରାଷ୍ଟ୍ରୀୟ ଭାବନାରେ ଉଦ୍‌ବୋଧିତ ତାହା ଆଉ ଏକ ସକାରାତ୍ମକ ସଂଭାବନାର ବାଟ ଫିଟାଇ ଦେଇଚି – ଗୋଷ୍ଠୀ-ଗୋଷ୍ଠୀ ଭିତରର ପରସ୍ପର ଆଦାନପ୍ରଦାନର। ୧୯୯୦ ଦଶକର ଏକ କ୍ଲେଶଦାୟକ ଅବସ୍ଥା ଥିଲା ଜାତି-ଜାତି, ଧର୍ମ-ଧର୍ମ, ପ୍ରଦେଶ-ପ୍ରଦେଶ ଭିତରର କଥା-ଭାବ ଆଦାନପ୍ରଦାନର ଅଭାବ। ଆମ ସଂଘ ଏବେ ବୋଧହୁଏ ପୁଣି ଆବିଷ୍କାର କରିଚି ଯେ ଏ ଭଳି ଆଦାନ-ପ୍ରଦାନ ସଂଭବ – ଆମ ଜାତିବେଶିତ ସମାଜ ଓ ରାଜନୀତି ଭିତରେ ସାଧାରଣ ନାଗରିକଂକ ପାଇଁ ଏକ ସମାନ ବ୍ୟାସପୀଠ ଗଢିବା ସଂଭବ। ଆମ ସାଧାରଣତଂତ୍ରର ପ୍ରାରଂଭିକ ଭେଦପୂର୍ଣ୍ଣ ସାମାଜିକ ପରିସ୍ଥିତି ସହିତ ଏକ ଭାରତୀୟ ହେବାର ମାନସିକତା ଖାପ ନଖାଇବାର କାରଣ ନାହିଁ।
ସଂବିଧାନର ଅଭିଳଷିତ ନାଗରିକତ୍ବର ବିରୋଧ କରୁଥିବା ଆଇନଗତ ବ୍ୟବସ୍ଥାର ବିରୋଧରେ ଠିଆହୋଇଥିବା ପ୍ରତିବାଦ ଯେଭଳି ଭାବରେ ଠିଆହେଲା ତାହା ସଂବିଧାନ ଗଠନକାରୀଂକୁ ଗର୍ବିତ କରିଥାଆଁତା।
ସଂବିଧାନ ଗଠନର ସାଂବତ୍ସରିକୀରେ ପ୍ରଧାନମଂତ୍ରୀ ସାଂବିଧାନିକ ଦାୟିତ୍ବର ଅବହେଳନା କରିବାରୁ ନାଗରିକଂକ ଭର୍ତ୍ସନା କରିଥିଲେ। ନାଗରିକ ତାଂକ ଦୋଷ ଦର୍ଶାଇବାକୁ ଗୁରୁତ୍ବପୂର୍ଣ୍ଣ ଭାବରେ ଗ୍ରହଣ କରିବେ ବୋଲି ସେ ବୋଧହୁଏ ଭାବିନଥିଲେ। ଆଜିର ପ୍ରତିବାଦମାନ ସଂବିଧାନ ପ୍ରତି ନାଗରିକଂକ ନିସ୍ବାର୍ଥପର କର୍ତ୍ତବ୍ୟର ଏକ ଚମତ୍କାର ଉଦାହରଣ – ସଂବିଧାନ ରକ୍ଷଣର, ସମସ୍ତଂକ ଭିତରେ ସହୃଦୟତା ଦୃଢ କରିବାର ଏବଂ ବିଭିନ୍ନ ଧର୍ମ ସ​‌େ​‌ତ୍ତ୍ବ ସମସ୍ତଂକ ପ୍ରତି ସମ୍ମାନ ରଖିବାର କର୍ତ୍ତବ୍ୟ। ବାସ୍ତବିକ, ସଂବିଧାନ ଗଠନଠାରୁ ଆଜିପର୍ଯ୍ୟତ ପ୍ରଥମଥର ପାଇଁ ସଂବିଧାନ ସାଧାରଣ ଆଲୋଚନା-ଚର୍ଚାର କେଂଦ୍ରବିଂଦୁ ହୋଇଚି। ସଂବିଧାନର ପ୍ରସ୍ତାବନାକୁ ଛୋଟ-ବଡ ସଭା-ସମିତିରେ ପଢାହେବାଟା ତାକୁ ସାଧାରଣ ବା ଓକିଲଂକ ଗ୍ରଂଥାଳୟରୁ ବାହାରକୁ କାଢି ସଂବିଧାନର ମୂଳନୀତିକୁ ଦୋହରାଇବାର ନିର୍ଧାର ଦର୍ଶାଉଚି।
ମାତ୍ର, ଏ ସବୁ କେବଳ କଳାମେଘର ରୂପେରୀ କଡମାତ୍ର। ଆମ ସାଧାରଣତଂତ୍ର ଏବେ ନୈରାଶ୍ୟରେ ବୁଡିରହିଚି। କାରଣ, ସରକାର ପ୍ରତିବାଦର କୌଣସି ଦଖଲ ନେବାକୁ ନାରାଜ, ଖାଲି ଅ-ଗଣତାଂତ୍ରିକ ପୁଲିସ କାର୍ଯ୍ୟ ଓ ପ୍ରଚଂଡ ରାଜନୈତିକ ଗାଳି ଛଡା। ପ୍ରତିବାଦକାରୀଂକ ଗଣତାଂତ୍ରିକ ପ୍ରତିପାଦନକୁ ଉତ୍ତର ମିଳୁଚି ଶାସକଂକ ନାକାରାତ୍ମକ ଉଚ୍ଚାଟନରୁ।
ନୈରାଶ୍ୟର ଆଗରୁ ଦର୍ଶାଯାଇଥିବା ଆଉ ଏକ କାରଣ ହେଲା, ସଂଦେହ ଯେ ଏ ଗଣତାଂତ୍ରିକ ପ୍ରତିବାଦ ଶେଷକୁ ଭାରତୀୟ ଗଣତଂତ୍ରର ଇତିହାସରେ ଏକ ପାଦଟିପା ହୋଇ ରହିଯିବାର ସଂଭାବନା। ପ୍ରତିବାଦକାରୀଂକୁ ଜଳଜଳ ଦିଶୁଚି – ସଂଯୋଜନର ଅଭାବ, ନେତୃତ୍ବର ଅଭାବ, ଯାହା ତାହାର ବୈଚିତ୍ର୍ୟରୁ ପ୍ରତୀୟମାନ ଓ ପ୍ରତିବାଦରେ ରଣନୀତିର ଅଭାବ। ଆଜି ଦେଶର ଆବଶ୍ୟକତା ହେଲା ଦୃଢ ଓ ସୂକ୍ଷ୍ମ ବିଚାରବେଶିତ ପ୍ରତିରୋଧ। ମାତ୍ର ଦିଶୁଚି କେବଳ ବୈଚାରିକ ଦ୍ବଂଦ୍ବ ଓ ସ୍ଥାନିକ ଆଂଦୋଳନଂକ ଭିତରେ ସାମଂଜସ୍ୟର ଅଭାବ। ଆଜିର ପ୍ରତିବାଦ ଆମକୁ ସଂବିଧାନର ଭାଷାକୁ ପୁଣି ଦୋହରାଇବାରେ ସାହାଯ୍ୟ କରିପାରେ, ନୂଆ ନାଗରିକତ୍ବର ଧାରଣା ସୂଚାଇପାରେ। ମାତ୍ର, ଏ ପ୍ରତିବାଦ ଯଦି ଏକ ବିଶାଳ ଆଂଦୋଳନରେ ପରିଣତ ହୁଏ ତେବେ ଯାଇ ଭାରତୀୟ ଶାସନବ୍ୟବସ୍ଥା ଓ ଭାରତୀୟ ଗଣତଂତ୍ର ଜିଇଉଠିବ। ତାହାହେଲେ ଯାଇ ଏ ଭାରତୀୟ ସାଧାରଣତଂତ୍ର ବଂଚିବ।

-ସୁହାସ ପଳଶୀକର ,ଲେଖକ ଜଣେ ରାଜନୈତିକ ଭାଷ୍ୟକାର

(ଅନୁବାଦକ – ନୀଳକଂଠ ରଥ)

Comments are closed.