ପଞ୍ଜାବରେ ପୁଲିସ ଟିମ୍‌ ଉପରେ ସଂଘବଦ୍ଧ ଆକ୍ରମଣ

ପଟିୟାଲା: ପଞ୍ଜାବର ପଟିୟାଲାରେ କର୍ଫ୍ୟୁ ସମୟରେ ପୁଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଆକ୍ରମଣରେ ଜଣେ ଏଏସଆଇଙ୍କ ହାତ କଟିଯାଇଥିବାବେଳେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପଟିଲାରେ ଭର୍ତ୍ତି କରାଯାଇଛି। ପୁଲିସ ଆକ୍ରମଣକାରୀଙ୍କୁ ଘେରିଯିବା ସହିତ ଆତ୍ମସମର୍ପଣ ପାଇଁ ପରାମର୍ଶ ଦେଇଛି। ଘଟଣା ପ୍ରବଳ ଉତ୍ତେଜନା ଜାରି ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ରବିବାର ସକାଳେ ସନ୍ନୌର ପରିବା ମଣ୍ଡିକୁ ନିହଙ୍ଗ ସିଂହ ନାମକ ଜଣେ ବ୍ୟକ୍ତି ପରିବା କିଣିବାକୁ ଆସିଥିଲେ। ସେଠାରେ ମୁତୟନ ହୋଇଥିବା ପୁଲିସ କର୍ମୀ ତାଙ୍କୁ କର୍ଫ୍ୟୁ ପାସ୍‌ ଦେଖାଇବାକୁ କହିଥିଲେ। ଏହାକୁ ନେଇ ପୁଲିସ ଏବଂ ନିହଙ୍ଗ ସିଂହଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଲୋକମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଏହା ପରେ ଆକ୍ରମଣକାରୀ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଆକ୍ରମଣରେ ୫ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ୪ ଆହତ ପୁଲିସ କର୍ମଚାରୀଙ୍କୁ ପଟିୟାଲା ସରକାରୀ ରାଜିନ୍ଦରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ହାତ କଟିଯାଇଥିବା ଏଏସଆଇ ହରଜିତ ସିଂହଙ୍କୁ ଚଣ୍ଡୀଗଡ଼ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ ପୁଲିସ ଟିମ୍‌ ପହଞ୍ଚିଥିଲେ। ଅଭିଯୁକ୍ତମାନେ ଲୁଚିଥିବା ସ୍ଥାନକୁ ପୁଲିସ ଘେରିରହିବା ସହିତ ଆତ୍ମସମର୍ପଣ କରିବାକୁ ଅନୁରୋଧ କରୁଥିବା ଜଣାପଡ଼ିଛି।

Comments are closed.