ସପ୍ତାହାନ୍ତ ସଂପୂର୍ଣ୍ଣ ଚଳାଚଳ ବନ୍ଦ ସମୟରେ ପୁଲିସର ଜୋରଦାର ପାଟ୍ରୋଲିଂ

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ର ଦ୍ୱିତୀୟ ଲହର ଆରମ୍ଭ ହେବାପରେ ତାଲାବନ୍ଦ କଟକଣା ଜାରି କରାଯାଇଛି । ତାହାସହିତ ସପ୍ତାହାନ୍ତ ସଂପୂର୍ଣ୍ଣ ବନ୍ଦ ମଧ୍ୟ କାର୍ଯ୍ୟକାରୀ ହେଉଛି । ଶନିବାର ଓ ରବିବାର କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ବନ୍ଦ ରଖିବାକୁ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ସପ୍ତାହର ଅନ୍ୟାନ୍ୟ ଦିନରେ ପନିପରିବା, ତେଜରାତି ସାମଗ୍ରୀ ଆଦି ଦୋକାନ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲୁଥିବାବେଳେ ଶନିବାର ଓ ରବିବାର ସେସବୁ ମଧ୍ୟ ବନ୍ଦ ରହୁଛି । ତେବେ ସପ୍ତାହର ସମସ୍ତ ଦିନ କିଛି ଅମାନିଆ ଯେଉଁଭଳି ଅଯଥାରେ ରାସ୍ତାଘାଟ, ବଜାରେ ଭିଡ କରୁଛନ୍ତି ଏବଂ କୋଭିଡ କଟକଣାକୁ ସଂପୂର୍ଣ୍ଣ ଉଲ୍ଲଂଘନ କରୁଛନ୍ତି, ତାହା ଉଭୟ ସ୍ୱାସ୍ଥ୍ୟ ବିଭାଗ ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଦେଶରେ ଚାରିରୁ ଛଅ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବା ଆଶଙ୍କା ରହିଥିବା ଏବଂ ସଂପ୍ରତି କୋଭିଡର ଡେଲଟା ପ୍ଲସ୍‍ ଭାରିଆଣ୍ଟ ଚିହ୍ନଟ ହେବାପରେ ଏହି ଆଶଙ୍କା ଅଧିକ ଦୃଢିଭୁତ ହୋଇଥିଲେ ମଧ୍ୟ ଅମାନିଆ କିଛି ମାନିବାକୁ ନାରାଜ । ଗତବର୍ଷ ପୁଲିସ ପକ୍ଷରୁ ଯେଉଁଭଳି ଭାବରେ ତାଲାବନ୍ଦ ଏବଂ ସଂପୂର୍ଣ୍ଣ ଚଳାଚଳ ବନ୍ଦ ବ୍ୟବସ୍ଥାକୁ କଡାକଡି ଭାବରେ କାର୍ଯ୍ୟକାରୀ କରାଯାଉଥିଲା ସେଥିରେ ଚଳିତ ବର୍ଷ ଅନେକ କୋହଳ ଲକ୍ଷ୍ୟ କରାଯାଉଛି, ଯାହା ଅମାନିଆଙ୍କୁ ସୁହାଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଧରାପଡୁଥିବା କିଛି ଅମାନିଆ ପୁଲିସକୁ ଜରିମାନା ଦେଇ ଖସି ପଳାଇଉଛନ୍ତି ଏବଂ ସେମାନେ ହିଁ ସଂକ୍ରମଣ ବ୍ୟାପିବାର ଅନ୍ୟତମ କାରଣ ହେଉଛନ୍ତି । ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଜିଲାଗୁଡିକରେ କୋଭିଡ ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ଉପକୂଳ, ଉତ୍ତର ଏବଂ କେନ୍ଦ୍ରଭାଗରେ ଥିବା କିଛି ଜିଲାରେ ସଂକ୍ରମଣ ହ୍ରାସ ପାଇବାର ନାଁ ଧରୁନି । ଏଭଳି ପରିସ୍ଥିତିରେ କୋଭିଡ ନିୟମ ଭାଙ୍ଗି ଅଯଥାରେ ରାସ୍ତାଘାଟ, ବଜାରରେ ଭିଡ କରୁଥିବା ଲୋକ ଏବଂ ନିୟମ ଭାଙ୍ଗି ବ୍ୟବସାୟ କରୁଥିବା ଦୋକାନୀଙ୍କ ବିରୁଦ୍ଧରେ ଓଡ଼ିଶା ପୁଲିସ ପକ୍ଷରୁ ରବିବାର ଆରମ୍ଭ ହୋଇଛି କଡା ଅଭିଯାନ । ରବିବାର ଦିନ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ କରାଯାଇଥିଲା । ପୁଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀର ସମସ୍ତ ଥାନା ଆଇଆଇସି, ଜୋନ୍‍ ଏସିପି, ଅନ୍ୟାନ୍ୟ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ । ସମସ୍ତ ଥାନା ଅଧୀନରେ ଥିବା ପିସିଆର ଭ୍ୟାନ ଏବଂ ଅନ୍ୟାନ୍ୟ ପୁଲିସ ଗାଡି ମହାନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ସଂପୂର୍ଣ୍ଣ ବନ୍ଦକୁ କଡାକଡି କରାଯିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ।

Comments are closed.