ଯବାନଙ୍କ ଗୁଳିରେ ନମରି ଆତ୍ମସମର୍ପଣ କର – ମାଓବାଦୀଙ୍କୁ ପୁଲିସ ଡିଜିଙ୍କ ଚେତାବନୀ

ଭବାନୀପାଟଣା: ଓଡ଼ିଶା ପୁଲିସ ମହାନିର୍ଦେଶକ ଏସ୍‌. ଅଭୟ ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି କଳାହାଣ୍ଡି ଓ ପଡ଼ୋଶୀ ଜିଲାରେ କରୋନା ମୁକାବିଲା ସ୍ଥିତି ତଥା ସୀମାନ୍ତ ଅଞ୍ଚଳ ସମେତ ଜିଲାରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଡିଜି ଶ୍ରୀ ଅଭୟ ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯବାନଙ୍କ ଗୁଳିରେ ନମରି ବରଂ ଆତ୍ମ ସମର୍ପଣ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସମୀକ୍ଷା ବୈଠକ ପରେ ଡିଜି କହିଲେ, ବର୍ତ୍ତମାନ ମାଓ ଗତିବିଧି ହ୍ରାସ ପାଇଛି। ସେମାନଙ୍କ ସମସ୍ତ ଗତିବିଧି ଉପରେ ପୁଲିସ କଡ଼ା ନଜର ରଖିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ତେଣୁ ସେମାନେ ଅଯଥା ପୁଲିସ ଯବାନଙ୍କ ଗୁଳିରେ ମରିବା ଅପେକ୍ଷା ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଶ୍ରୀ ଆଭୟ ମାଓବାଦୀମାନଙ୍କୁ ଆହ୍ୱାନ ଦେଇଥିଲେ। ଯେଉଁମାନେ ଆତ୍ମସମର୍ପଣ କରିବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ଡିଜି ଶ୍ରୀ ଅଭୟ ଭବାନୀପାଟଣାସ୍ଥିତ ରିର୍ଜଭ ପୁଲିସ କାର୍ୟ୍ୟାଳୟରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲାର ଉଚ୍ଚ ପୁଲିସ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସମସ୍ତ କାର୍ୟ୍ୟର ସମୀକ୍ଷା କରିଥିଲେ। କରୋନା ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି କାର୍ୟ୍ୟ କରୁଥିବା ପୁଲିସ କର୍ମଚାରୀ ଓ ହୋମଗାର୍ଡଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ୨୧ ତାରିଖରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ କିଛି ଘଣ୍ଟା ପାଇଁ କଳାହାଣ୍ଡି ଗସ୍ତରେ ରିର୍ଜଭ ପୁଲିସ ପଡ଼ିଆରେ ଓହ୍ଲାଇବା ପରେ କୋରାପୁଟସ୍ଥିତ ଦକ୍ଷିଣ ଓ ପଶ୍ଚିମ ରେଞ୍ଜ ଡିଆଇଜି ରାଜେଶ ପଣ୍ଡିତ ଓ କଳାହାଣ୍ଡି ଏସ୍‌ପି ଡା. ଶ୍ରବଣ ବିବେକ ଏମ୍ ଏବଂ ଅନ୍ୟ ପୁଲିସ ଅଧିକାରୀମାନେ ସ୍ୱାଗତ କରିଥିଲେ। କଳାହାଣ୍ଡି ଜିଲାରେ କରୋନାରର ମୁକାବିଲା, ପ୍ରତିକାର ଓ ପ୍ରତିଷେଧକ ବ୍ୟବସ୍ଥା, ଛତିଶଗଡ଼ -ଓଡ଼ିଶା ସୀମାନ୍ତ ପରିସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଡିଜି ସମୀକ୍ଷା କରିଥିଲେ। ଏହି ଦୁଇ ଜିଲାର ମାଓବାଦୀଙ୍କ ଗତିବିଧି ଓ ସେମାନଙ୍କ କାର୍ୟ୍ୟକଳାପକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନର କୋଭିଡ୍‌ ନିୟମାବଳୀକୁ ସମସ୍ତେ ମାନି ଚଳିବା ସହିତ ସବୁବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାର ରଖିବା ପାଇଁ ଜିଲାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନୁରୋଧ କରିଥିଲେ। ଯେଉଁମାନେ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତାବନୀ ଦେବା ସହିତ ଛତିଶଗଡ଼-ଓଡ଼ିଶା ସୀମାନ୍ତ ଅଞ୍ଚଳ ଉପରେ ପୁଲିସ ପ୍ରଶାସନ କଡ଼ା ନଜର ରଖିଛି ବୋଲି ପ୍ରକାଶ କରିଥିଲେ। ପରେ ଡିଜି ଶ୍ରୀ ଅଭୟ ନୂଆପଡ଼ା ଯାଇଥିଲେ। ସମୀକ୍ଷା ବୈଠକରେ ଆଇଜି (ପର୍ସନାଲ) ପ୍ରବୀଣ କୁମାର, ଆଇଜି (ଗୁଇନ୍ଦା) ଅନିରୁଦ୍ଧ ସିଂ, ଡିଆଇଜି (ଏସ୍ ଡବ୍ଲୁ ଆର୍) ରାଜେଶ ପଣ୍ଡିତ, କଳାହାଣ୍ଡି ଜିଲାପାଳ ଡା. ଗାଭିଲ ପରାଗ ହର୍ଷଦ, କଳାହାଣ୍ଡି ଏସ୍ପି ଶ୍ରବଣ ବିବେକ ଏମ୍, ନୂଆପଡ଼ା ଏସ୍‌ପି ପ୍ରହ୍ଲାଦ ନିଲମ, କେସିଙ୍ଗା ଏସଡିପିଓ ଏମ୍ . ସୁଶ୍ରୀଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀ ଯୋଗ ଦେଇଥିଲେ।

Comments are closed.