ପୁଲିସ ଉପସ୍ଥିତିରେ ମାଡ଼ ଘଟଣା, ୩ଦିନରେ ଚାର୍ଜସିଟ୍ ଦାଖଲ କର : କମିସନର

୩ ଜଣଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅଧୀନ ଭଗବାନ ଟାୱାରର କୋଷାଧ୍ୟକ୍ଷ ପରବିନ୍ଦର ପାଲ୍‌ ସିଂହଙ୍କୁ ପୁଲିସ ଉପସ୍ଥିତିରେ ମାଡ଼ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ଝାରପଡ଼ାର ଦୀପକ ଜେନା(୩୨), ଶଙ୍କର ରାଉତ(୩୯) ଓ ଦୀପକ ମହାନ୍ତି(୩୪) । ସେହିପରି ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଲଖ କରିବାକୁ ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ପୁଲିସ ସିସିଟିଭିରୁ ଏଥିରେ ଆଉ କିଏ ସମ୍ପୃକ୍ତ ରହିଛି ତା’ର ମଧ୍ୟ ଅନୁସନ୍ଧାନ ଚଳାଇଛି । ହେଲେ ସେମାନଙ୍କୁ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରୁ ଜାମିନ୍‌ ମିଳି ଯାଇଛି ।
ସେପଟେ ପୁଲିସ ଉପସ୍ଥିତିରେ ମାଡ଼ ଖାଇଥିବା ପରବିନ୍ଦର କହିଛନ୍ତି, ମତେ ମୋ ପିଲାଛୁଆଙ୍କ ସାମ୍ନାରେ ଯୁବକମାନେ ଆକ୍ରମଣ କରିଥିଲେ। ସେମାନେ ଚିତ୍କାର ମଧ୍ୟ କରୁଥିଲେ । ହେଲେ କେହି ଶୁଣି ନ ଥିଲେ। ମୋର ଜୀବନ ପ୍ରତି ବିପଦ ଅଛି। ସେମାନେ ମୋ ପରିବାରର ମଧ୍ୟ ପରେ କ୍ଷତି କରିପାରନ୍ତି। ପୁଲିସ ସାମ୍‌ନାରେ ମାଡ଼ ମାରିଥିଲେ ମଧ୍ୟ ପୁଲିସ ଚୁପ୍‌ ରହି ଦର୍ଶକ ପାଲଟିଥିଲା। ଏଥିପାଇଁ ପୁଲିସ ପାଖରୁ ନ୍ୟାୟ ମିଳିବ ବୋଲି ମୋର ବିଶ୍ବାସ ହେଉନାହିଁ । ସେ ଓଡ଼ିଶା ଛାଡ଼ି ପଳାଇବେ ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ସେ ପିଲାକୁ ସ୍କୁଲରୁ ଆଣି ଆପାର୍ଟମେଣ୍ଟକୁ ଯିବା ବେଳେ ଗାଡ଼ି ପାର୍କିଂ କରିଥିବା ଯୁବକଙ୍କୁ ଗାଡ଼ି କାଢ଼ିବାକୁ କହିଥିଲେ । ଏହାକୁ ନେଇ ସେଠାରେ କିଛି ଯୁବକଙ୍କ ସହ ପରବିନ୍ଦରଙ୍କର ପାଟିତୁଣ୍ଡ ହୋଇଥିଲା। ସେ ଏହି ଘଟଣା ପୁଲିସ କ‌େ‌ଣ୍ଟ୍ରାଲ ରୁମ୍‌କୁ ଜଣାଇଥି‌େ‌ଲ। ଘଟଣା ସମ୍ପର୍କରେ ବୁଝିବା ପାଇଁ ପରବିନ୍ଦରଙ୍କୁ ପୁଲିସ ଆପାର୍ଟମେଣ୍ଟ ବାହାରକୁ ଡାକିଥିଲା । ହେଲେ ପୂର୍ବରୁ ସେଠାରେ ଉପସ୍ଥିତ ଯୁବକମାନେ ସଂଘବଦ୍ଧ ଭାବେ ପୁଲିସ ଉପସ୍ଥିତିରେ ଆକ୍ରମଣ କରିଥିଲେ। ପରବିନ୍ଦରଙ୍କ ପଗଡ଼ିକୁ ସେମାନେ କାଢ଼ି ମୁହଁକୁ ଛେଚି ଦେଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ପୁଲିସ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପିସିଆର ଦାୟିତ୍ବରେ ଥିବା ଅଧିକାରୀ ସୁବାସ ରାଉତଙ୍କୁ କାର୍ଯ୍ୟରୁ ବାହାର କରିଦିଆଯାଇଛି।

Comments are closed.