ପିପିଲି ଉପନିର୍ବାଚନ; ବାଇକରୁ ୫୦ ଲକ୍ଷ ଜବତ କଲା ପୁଲିସ, ଟଙ୍କା ବାଣ୍ଟିବାକୁ ନିଆଯାଉଥିବା ସନ୍ଦେହ

ପିପିଲି/ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ ହେବ। ଏହା ପୂର୍ବରୁ ବର୍ତ୍ତମାନ ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ତେବେ ଏହା ମଧ୍ୟରେ ସୋମବାର ଏକ  ବାଇକରୁ ପୁଲିସ ୫୦ ଲକ୍ଷ ଟଙ୍କା ଜବତ କରିଛି। ଏହି ଟଙ୍କା ଲୋକଙ୍କୁ ବାଣ୍ଟିବାକୁ ନିଆଯାଉଥିବା ନେଇ ପୁଲିସ ସନ୍ଦେହ କରିବା ସହିତ ଏ ଦିଗରେ ଅଧିକ ଖୋଳତାଡ଼ ଚଳାଇଛି। ଏହା ସହିତ ଟଙ୍କା ନେଇ ଯାଉଥିବା ୨ ଯୁବକଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କଠାରୁ ଏକ ବାଇକ୍‌ ଜବତ ହୋଇଛି।

ସୂଚନା ଅନୁସାରେ, ଅଟକ ଦୁଇ ଯୁବକ ବଳଙ୍ଗା ଅଞ୍ଚଳର। ସେମାନେ ଏକ ନୀଳ ରଙ୍ଗର  ପଲ୍‌ସର୍‌ ବାଇକରେ ଭୁବନେଶ୍ଵରରୁ ପିପିଲି ଯାଉଥିଲେ। ପିପିଲି ଟୋଲଗେଟ୍‌ ନିକଟ ତରାକାଜ ପାଖରେ ଯୁବକଦ୍ବୟ ପୁଲିସକୁ ଦେଖି ଦ୍ରୁତଗତିରେ ଗାଡ଼ି ଚଳାଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସର ସନ୍ଦେହ ହେବାରୁ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ପରେ ସେମାନଙ୍କ ବାଇକ୍‌ ଯାଞ୍ଚ କରିବାରୁ ସେଥିରୁ ୫୦ ଲକ୍ଷ ଟଙ୍କା ମିଳିଥିଲା। ପୁଲିସ ଉଭୟଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା ଚଳାଇଛି।

ଅଟକ ଦୁଇ ଯୁବକ ଏକ ପ୍ରମୁଖ ରାଜନୈତିକ ଦଳର ବୋଲି ଜଣାପଡ଼ିଛି। ଜଣେ ପ୍ରଭାବଶାଳୀ ନେତାଙ୍କ ଘରୁ ଏହି ଟଙ୍କା ଆସୁଥିଲା ବୋଲି କୁହାଯାଉଛି। ମାତ୍ର କିଏ ଏହି ଟଙ୍କା ପଠାଇଛି ଏବଂ କୁଆଡ଼େ ଯାଉଥିବା, ସେ ନେଇ ଯୁବକଦ୍ବୟ ମୁହଁ ଖୋଲୁନାହାନ୍ତି। ପୁଲିସ ଏହାର ତଦନ୍ତ ଚଳାଇଛି। ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ନିର୍ବାଚନ ପର୍ଯ୍ୟବେକ୍ଷକ ପୁଲିସକୁ ବିସ୍ତୃତ ତଥ୍ୟ ମାଗିବା ସହିତ ଗାଡ଼ିମୋଟର ଯାଞ୍ଚ ଅଧିକ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଛନ୍ତି।

Comments are closed.