କଲେଜରେ ଚାଲିଥିଲା ନକଲି ମଦ କାରଖାନା, ୩ ଗିରଫ

କୁହାଯାଏ ଶିକ୍ଷାନୁଷ୍ଠାନ ହେଉଛି ଗୋଟିଏ ଗୋଟିଏ ମନ୍ଦିର। କିନ୍ତୁ ସେହି ମନ୍ଦିର ଭିତରେ ଚାଲିଥିଲା ନକଲି ମଦ କାରଖାନା। ପ୍ରତିଦିନ ପ୍ରସ୍ତୁତ ହେଉଥିଲା ପେଟି ପେଟି ନକଲି ବିଷାକ୍ତ ମଦ। ଶେଷରେ ପୁଲିସ ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିବା ସହିତ ୩ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ମୀରଟ ଜିଲାରେ।

ମୀରଟ ଜିଲା ଜାନି ଥାନା ଅନ୍ତର୍ଗତ ଭୋଲା ରୋଡ୍‌ ପେପଲା ଗାଁ ନିକଟରେ ରହିଛି ମହେନ୍ଦ୍ର ପ୍ରତାପ ଡିଗ୍ରୀ କଲେଜ। ଏହି କଲେଜଟି ୩ ବର୍ଷ ହେବ ବନ୍ଦ ପଡ଼ିଛି। ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ସେଠାରେ ମଦ ତିଆରି କରି ଚୋରା କାରବାର କରୁଥିଲେ। ଏ  ବିଷୟରେ ସୂଚନା ମିଳିବା ପରେ କଙ୍କରଖେଡ଼ା ଏବଂ ଜାନି ପୁଲିସ ମିଳିତ ଭାବେ ଗତ ରାତିରେ ଚଢ଼ାଉ କରିଛି। ପୁଲିସ କଲେଜର ଚୌକିଦାର ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଚଢ଼ାଉ ବେଳେ ପୁଲିସ ସେଠାରୁ ୧୦୦ ପେଟି ନକଲି ମଦ ଜବତ କରିଥିଲା। ମସୁରପୁରରେ ଥିବା ଏକ ଡିଷ୍ଟେଲରୀ ନାମରେ ଥିବା ୨୦ ହଜାର ରାପର, ୫ ହଜାର ଲିଟର ଆଲକୋହଲ ସମେତ ମଦ ପ୍ରସ୍ତୁତି ପାଇଁ ଦରକାର ପଡ଼ୁଥିବା ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି। ସୂଚନା ଅନୁସାରେ, ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି କଲେଜରେ ମଦ ପ୍ରସ୍ତୁତ ହେଉଥିଲା। ଏହା ସହିତ ଏଠାରେ ଗତ ୨ ମାସ ହେବ ମଦର ଚାହିଦା ବଢ଼ିଥିଲା। ତାହାକୁ ଦୃଷ୍ଟିରେ ରଖି ଅଭିଯୁକ୍ତମାନେ କଲେଜକୁ ମଦ କାରଖାନାରେ ପରିଣତ କରିଦେଇଥିଲେ। ଏହି ମଦକୁ ବିଭିନ୍ନ ଗାଁରେ ଚୋରା କାରବାର ମଧ୍ୟ କରାଯାଉଥିଲା ବୋଲି ପୁଲିସ କହିଛି।

Comments are closed.