ସୁରକ୍ଷା ଲୋଡ଼ିଲେ ବର୍ଷା ପ୍ରିୟଦର୍ଶିନୀ; ଅନୁଭବଙ୍କ କଟକ ଘରେ ପହଞ୍ଚିଲା ପୁଲିସ

କଟକ:  ଶାଶୁଘରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ସାଂସଦ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଏଥିପାଇଁ ସେ ଫୋନ କରି ପୁଲିସଠାରୁ ସୁରକ୍ଷା ଲୋଡ଼ିଛନ୍ତି । ବର୍ଷାଙ୍କ ଫୋନ ପାଇବା ପରେ ସାଂସଦ ଅନୁଭବଙ୍କ କଟକ ନନ୍ଦୀସାହି ବାସଭବନରେ ପହଞ୍ଚିଛି ପୁଲିସ ।

ସୂଚନା ଅନୁସାରେ ସ୍ବାମୀ ଅନୁଭବଙ୍କ ବାସଭବନରେ ରହୁଥିବା ବର୍ଷାଙ୍କ ଶୟନ ପ୍ରକୋଷ୍ଠରେ   ଆଜି ଅନୁଭବଙ୍କ ସହଯୋଗୀ କୁହାଯାୁଥିବା  ୨  ଯୁବକ ପଶିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିବା ସହ ବର୍ଷା ପୁଲିସ ସହାୟତା ଲୋଡ଼ିଥିଲେ । ସେ ୧୦୦କୁ ଡ଼ାଏଲ କରି ପୁଲିସ ସୁରକ୍ଷା ଲୋଡ଼ିଥିଲେ । ବର୍ଷାଙ୍କଠାରୁ ସୂଚନା ପାଇ ତାଙ୍କୁ ସୁରକ୍ଷା ଦେବାକୁ ପୁଲିସ ଅନୁଭବଙ୍କ ବାସଭବନରେ ପହଞ୍ଚିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ଅନୁଭବ ନିଜ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି, ଅନ୍ୟପକ୍ଷରେ ବର୍ଷା କଟକର ଏସଡ଼ିଜେଏମ୍ ଅଦାଲତରେ ଭରଣପୋଷଣ ମାମଲା ରୁଜୁ କରିଛନ୍ତି ।

ଅନୁଭବ ପତ୍ନୀଙ୍କ ବିରୋଧରେ ଜଣେ ଭଲ ପତ୍ନୀ ଓ ଭଲ ବୋହୂ ନ ହୋଇ ପାରିବା ଅଭିଯୋଗ କରି ବର୍ଷା ତାଙ୍କୁ କେବେ ହେଲେ ଶାରୀରିକ ସୁଖ ଦେଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି, ଅନ୍ୟପକ୍ଷରେ ବର୍ଷା ଉତ୍ତରପିଢ଼ି ପାଇଁ ଆଗ୍ରହୀ ଥିବା ସତ୍ବେ ଅନୁଭବ ତାଙ୍କୁ ଏହି ସୁଯୋଗ ଦେଇ ନାହାନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି । ପରସ୍ପର ବିରୋଧରେ ଅଭିଯୋଗ-ପ୍ରତ୍ୟାଭିଯୋଗ ଚାଲିଥିବାବେଳେ ଅନୁଭବ ଏକ ପ୍ରେସ ବିବୃତିରେ ବର୍ଷାଙ୍କୁ ବହୁତ ଭଲ ପାଆନ୍ତି ଓ ସମ୍ମାନ କରନ୍ତି ବୋଲି ମଧ୍ୟ କହିଛନ୍ତି ।

Comments are closed.