ରାଜପଥରେ ଗଡୁଛି ମୁଣ୍ଡ : ସହରରେ ବାଡ଼ି ବୁଲାଉଛି ପୁଲିସ

ଭୁବନେଶ୍ୱର : ଜାତୀୟ ରାଜପଥ ଏବେ ‘ଡେଞ୍ଜର ଜୋନ୍’ରେ ପରିଣତ ହୋଇଛି। ଅତ୍ୟଧିକ ମାଲ୍ ପରିବହନ(ଓଭର ଲୋଡିଂ)ଯୋଗୁଁ ସର୍ବାଧିକ ମୃତ୍ୟୁ ରାଜପଥରେ ହେଉଛି। ସାରା ଭାରତର ସ୍ଥିତି ଯାହା ତା’ଠାରୁ ସଙ୍ଗୀନ ସ୍ଥିତି ଓଡ଼ିଶାର। ହେଲେ ଓଡ଼ିଶା ପୁଲିସ ଓ ପରିବହନ ବିଭାଗ ଅଧିକାରୀ ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ଜାତୀୟ ରାଜପଥ ଅପେକ୍ଷା ରାଜଧାନୀ ସମେତ ବିଭିନ୍ନ ସହରାଞ୍ଚଳରେ ବାଡି ବୁଲାଉଛନ୍ତି।ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ମୋଟର ଭେହିକିଲ ଆଇନ-୨୦୧୪ ଅନୁଯାୟୀ ଓଭର ଲୋଡିଂ ମାଲ୍ ପରିବହନ ଏକ ଅପରାଧ। ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା କଥା। ମାତ୍ର ତାହା ପରିଲକ୍ଷିତ ହେଉନାହିଁ। ତେଣୁ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ସ୍ବତନ୍ତ୍ର ସଚିବ ପବନ କୁମାର ଅଗ୍ରୱାଲ ମୁଖ୍ୟସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଶ୍ରୀ ଅଗ୍ରୱାଲ ଦର୍ଶାଇଛନ୍ତି ଯେ ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମ ଜାନୁଆରୀ ୧୮ଆରମ୍ଭ ହୋଇ ଫେବୃଆରୀ ୧୭ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ସାଧାରଣ ଲୋକଙ୍କୁ ଯେଭଳି ସଚେତନ କରାଯାଇ ପାରିବ ଏବଂ ଦୁର୍ଘଟଣାକୁ ଏଡାଯାଇ ପାରିବ ସେଦିଗରେ ଦୃଷ୍ଟି ଦିଅ। ଦେଶରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ମୃତ୍ୟୁ ରାସ୍ତା ଦୁର୍ଘଟଣାରେ ହେଉଛି। ମାସକୁ ୧୨୩୦ଜଣ ମୃତ୍ୟୁ ହେଉଥିବାବେଳେ ପ୍ରତି ଘଣ୍ଟାରେ ୧୭ ଜଣ ମରୁଛନ୍ତି। ଏହା କେବଳ ଜନସାଧାରଣଙ୍କ ସଚେତନତା ଅଭାବରୁ ହିଁ ହେଉଛି। ଏହି ମୃତ୍ୟୁ ପଛରେ ଟ୍ରକ ଓ ମାଲ ପରିବହନ ଗାଡି ହିଁ ମୁଖ୍ୟତଃ ଦାୟୀ। ୮୫୦୦ ଲୋକ କେବଳ ମାଲ୍ ପରିବହନ ଗାଡି ଯୋଗୁଁ ମୃତ୍ୟୁ ହୋଇଛନ୍ତି। ୨୧ହଜାର ୨୦୦ଲୋକ ଗୁରୁତର ଆହତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ଅଭିଯୋଗ ହସ୍ତଗତ ହେବାପାଇଁ ଏକକ ନମ୍ବର ଜାରି କରିବା ସହିତ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବାକୁ ପଡ଼ିବ। ଏହାକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ପୀୟୂଷ ଗୋଏଲ ମଧ୍ୟ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଅଗ୍ରୱାଲ ଦର୍ଶାଇଛନ୍ତି।  ଏହାକୁ ନେଇ ରାଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବ ପୂର୍ତ୍ତ ସଚିବ ସମେତ ପରିବହନ କମିଶନର ଓ ଏନଏଚଏଆଇ ମୁଖ୍ୟ ପ୍ରବନ୍ଧକଙ୍କୁ ପତ୍ର ଲେଖି ତୁରନ୍ତ ପଦକ୍ଷେପ ନେବାକୁ ଦର୍ଶାଇଛନ୍ତି। ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନ କରିବା ସହିତ ଅଧିକ ମାଲ୍ ପରିବହନ ଗାଡି ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି। ଏହାସହିତ ସବୁ ଟୋଲ ପ୍ଲାଜାରେ ମାଲ ପରିବହନ ଗାଡିକୁ ଠିକଣା କରି ପଦକ୍ଷେପ ନେବାକୁ କୁହାଯାଇଛି। ହେଲେ ରାଜ୍ୟ ରାଜପଥରେ ସେହି ଅନୁସାରେ ପୁଲିସ ପାଟ୍ରୋଲିଂ ହେଉନାହିଁ, ବରଂ ରାଜଧାନୀର ବିଭିନ୍ନ ଗଳି କନ୍ଦିରେ ପୁଲିସ ବାଡି ବୁଲାଇ ପକେଟ ଚିନ୍ତା କରୁଛି ବୋଲି ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ ରାଜରାସ୍ତାରେ ମୃତ୍ୟୁ ହାର ୯୦ ପ୍ରତିଶତ ହେଉଛି। ହେଲେ ପୁଲିସ ପାଟ୍ରୋଲିଂ ସହରରେ ୯୦ ପ୍ରତିଶତ ହେଉଛି। ରାଜଧାନୀରେ ଲୋକଦେଖାଣିଆ ଭାବେ ବିଭିନ୍ନ ସିଟି ବସ ଭିତରେ ଲୋକଙ୍କୁ ସଚେତନ କରାଯାଉଛି। ଏସବୁ କେବଳ ସରକାରୀ ଅର୍ଥକୁ ଧୂଆଁ କରିବା ଛଡା ଆଉ କିଛି ନୁହେଁ ବୋଲି ଅଭିଯୋଗ ହୋଇଛି। ଏସକ୍ରାନ୍ତରେ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି ଯେ କେବଳ ସହରରେ ନୁହେଁ, ଜାତୀୟ ରାଜପଥରେ ଜନସଚେତନତା ଲାଗି ବିଭାଗ ପକ୍ଷରୁ ବହୁ ନିର୍ଦେଶ ରହିଛି। ରାଜପଥରେ ଇଣ୍ଟରସେପ୍ଟର ଦ୍ବାରା ସବୁ ଗାଡିର ଗତି ଚେକ୍ କରାଯାଇ ଜୋରିମାନା କରାଯାଉଛି। ରାଜ୍ୟରେ ଯେଉଁ ମୃତାହତ ହେଉଛି ତା’ର ୪୦ ପ୍ରତିଶତ କେବଳ ରାଜପଥରେ ହେଉଛି। ଏଥିରେ ୪୫ବର୍ଷରୁ କମ୍ ବୟସ୍କଙ୍କ ହାର ଅଧିକ ରହୁଛି। ତେବେ ରାଜପଥ ଅପେକ୍ଷା ରାଜଧାନୀ ସମେତ ସହରାଞ୍ଚଳରେ ଯେଉଁ ଅଧିକ ସଚେତନ ହେଉଥିବା ଅଭିଯୋଗ ହୋଇଛି ସେନେଇ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

Comments are closed.