ବିବାଦୀୟ ପୋଲାଭରମ୍ ପ୍ରକଳ୍ପ : ଦୁଇ ବର୍ଷ ପାଇଁ ନିର୍ମାଣ ଅନୁମତି

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ବହୁମୁଖୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଉ ଦୁଇ ବର୍ଷ ଚାଲୁ ରଖିବା ପାଇଁ ଆନ୍ଧ୍ରକୁ ଅନୁମତି ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଆଦେଶନାମାକୁ ମୋଦୀ ସରକାର ଷଷ୍ଠ ଥର ପାଇଁ ସ୍ଥଗିତ ରଖିବା ପରେ ଆନ୍ଧ୍ର ସରକାରଙ୍କୁ ଏହି ସୁଯୋଗ ମିଳିଛି।
ପରିବେଶ ମଞ୍ଜୁରୀ ଉଲ୍ଲଙ୍ଘନ ପ୍ରସଙ୍ଗରେ ୨୦୧୧ର କାର୍ଯ୍ୟବନ୍ଦ ଆଦେଶନାମାକୁ ପୁଣି ସ୍ଥଗିତ ରଖାଯାଇ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ବୁଧବାର ଘୋଷଣା କରିଛନ୍ତି। ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ଏହି ପ୍ରକଳ୍ପ କାର୍ଯ୍ୟବନ୍ଦ ଆଦେଶନାମା ଉପରେ ଏକ ବର୍ଷ ଲେଖାଏଁ ସ୍ଥଗିତାଦେଶ ଜାରୀ କରୁଥିଲେ। ଚଳିତ ଥର ଏହି ଅବଧିକୁ ୨ ବର୍ଷ ବଢ଼ାଇ ଦେଇଛନ୍ତି। ଗତବର୍ଷ ଜୁଲାଇ ୧୦ରେ ଏକ ବର୍ଷ ପାଇଁ ସ୍ଥଗିତାଦେଶ ଜାରି ଘୋଷଣା ପରେ ଏହାକୁ ବିରୋଧ କରି ଓଡ଼ିଶା ଓ ତେଲଙ୍ଗାନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଛତିଶଗଡ଼ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ।
ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ତେବେ ଡିସେମ୍ବର ୩ ଶୁଣାଣିରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ଆଦେଶ ଦେବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ମନା କରିଦେଇଥିଲେ। ଓଡ଼ିଶା ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ ପରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ସ୍ପଷ୍ଟ ହୋଇଥିଲା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିଷୟରେ ଘୋଷଣା କରି କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକର ଜଣାଇଛନ୍ତି ଯେ ଆନ୍ଧ୍ର ପ୍ରଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ ପରିଯୋଜନା ପୋଲାଭରମ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ୩ ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ। ପ୍ରକଳ୍ପରୁ ୯୬୦ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ ସମେତ ୫୪୦ ଗ୍ରାମର ୨୫ ଲକ୍ଷ ଜନତାଙ୍କୁ ପାନୀୟ ଜଳର ସୁବିଧା ମିଳିବ।
୨୦୧୪ରେ ଏନଡିଏ ସରକାର ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ପ୍ରଦାନ କରି ୨୦୧୧ର କାର୍ଯ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଦକର ଜଣାଇଥିଲେ।

Comments are closed.