ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଦୁର୍ନୀତି : ଗ୍ୟାସ ସଂଯୋଗ ହେଇନି, ଖାତାରେ ପଡୁଛି ଟଙ୍କା

ବଲାଙ୍ଗୀର : ବବିନା ବାରିକ। ନୋମିନି: ଉପେନ୍ଦ୍ର ବାରିକ। ବଲାଙ୍ଗୀରର ଜିଲା ସଦର ବ୍ଲକ ସଦାଇପାଲି ପଞ୍ଚାୟତର ଗନ୍ଧରେଲ ଗାଁରେ ବବିନାଙ୍କ ଘର। କୁଲି, ମଜୁରୀ କରି ଚଳନ୍ତି ତାଙ୍କ ପରିବାର। ସରକାରଙ୍କ ଗରିବ ଶ୍ରେଣୀ ତାଲିକାରେ ଥିବାରୁ ତାଙ୍କୁ କାର୍ଡ ବି ମିଳିଛି। ବଲାଙ୍ଗୀର ଇଣ୍ଡିଆନ୍‍ ବ୍ୟାଙ୍କରେ ତାଙ୍କର ଜନଧନ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟରେ ଏପ୍ରିଲ ମାସରେ ୫୯୫ ଟଙ୍କା ଓ ମେ ମାସରେ ଜମା ହୋଇଥିଲା ୭୭୪ ଟଙ୍କା। କିଏ ଓ କାହିଁକି ଟଙ୍କା ପଠାଇଲା ବୋଲି ବ୍ୟାଙ୍କକୁ ବୁଝିବାକୁ ଯାଇଥିଲେ। ସେଠାରେ ସେ ଜାଣିବାକୁ ପାଇଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଗ୍ୟାସ ଯୋଜନାର ହିତାଧିକାରୀ। ତେଣୁ ତାଙ୍କୁ ଲକ୍‍ଡାଉନ୍‍ ସମୟରେ କେନ୍ଦ୍ର ସରକାର ଗ୍ୟାସ୍‍ କିଣିବା ପାଇଁ ଜନଧନ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି। ଏହି ଟଙ୍କା ଉଠାଇ ସେ ଗ୍ୟାସ କିଣିପାରିବେ। ବ୍ୟାଙ୍କରୁ ସେ ଏହି କଥା ଶୁଣିବା ପରେ ତାଜୁବ ହୋଇଥିଲେ। ଉଜ୍ଜ୍ୱଳା ଯୋଜନାରେ ତାଙ୍କୁ ସାମିଲ କରିବା ପାଇଁ ଗ୍ୟାସ୍‍ ଏଜେନ୍ସି ପକ୍ଷରୁ କାଗଜପତ୍ର ଦୀର୍ଘ ବର୍ଷ ତଳେ ନିଆଯାଇଥିଲା। କିନ୍ତୁ ତାଙ୍କୁ ଗ୍ୟାସ ସଂଯୋଗ କି ଚୁଲା ଦିଆଯାଇ ନଥିଲା। ଘରେ ସେ ବହୁ କଷ୍ଟରେ ରନ୍ଧାରନ୍ଧି କରୁଥିବା ବେଳେ ତାଙ୍କ ଆକାଉଣ୍ଟରେ ଟଙ୍କା ପଡିବା ସେ ବୁଝିପାରି ନଥିଲେ। ଏହା କେମିତି ହେଲା ବୋଲି ତାଙ୍କ ମନରେ ପ୍ରଶ୍ନ ଉଠିଥିଲା।

କେବଳ ବବିନା ନୁହନ୍ତି, ତାଙ୍କ ଭଳି ଗନ୍ଧରେଲ ଗାଁର ଫୁଲ ଦୀପ, ଶ୍ରାବଣୀ ବାରିକ, ରୀନା ବାରିକ, ମରିୟମ ବାରିକ, ସାରା ବାରିକ ଭଳି ବହୁ ମହିଳାଙ୍କ ଆକାଉଣ୍ଟରେ ଏଭଳି ଟଙ୍କା ପଡିଛି। କିନ୍ତୁ ସେମାନଙ୍କ ପାଖରେ ଗ୍ୟାସ ନାହିଁ କି ଚୁଲା ନାହିଁ। ତା’ହେଲେ ସେ ଆକାଉଣ୍ଟରେ ପଡିଥିବା ଟଙ୍କା କ’ଣ କରିବେ? କିଛି ଲୋକଙ୍କ ସହ ଆଲୋଚନା କରିବା ପରେ ସେମାନେ ଶେଷରେ ଗଇଁନ୍ତଲାରେ ଥିବା ଉଜ୍ଜ୍ୱଳା ଗ୍ୟାସ ବିତରକ ତାଙ୍କୁ ଗ୍ୟାସ ଓ ଚୁଲା ଦେବା ସହ ଏହି ଟଙ୍କାରେ ଗ୍ୟାସ ଦେବେ ବୋଲି ଜାଣିବାକୁ ପାଇଥିଲେ। ସେହିପରି ‘ସମାଜ’ରେ ଉଜ୍ଜ୍ୱଳା ଗ୍ୟାସରେ ହୋଇଥିବା କେଳେଙ୍କାରୀ ନେଇ ପୂର୍ବରୁ ମଧ୍ୟ ଖବର ପ୍ରକାଶନ ପରେ କରିତକର୍ମା ଉଜ୍ଜ୍ୱଳା ଗ୍ୟାସ ବିତରକମାନେ ସେମାନଙ୍କ ହିତାଧିକାରୀଙ୍କ ପାଖକୁ ଯାଇ ଗ୍ୟାସ ଓ ଚୁଲା ଦେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗନ୍ଧରେଲର ଉଜ୍ଜ୍ୱଳା ଗ୍ୟାସ ହିତାଧିକାରୀଙ୍କୁ ଗ୍ୟାସ ବିତରକ ସଂସ୍ଥା ପକ୍ଷରୁ ଯୋଗାଯୋଗ କରାଯାଇ ସେମାନେ ଏସଂପର୍କରେ କାହାକୁ ନଜଣାଇବାକୁ କୁହାଯାଇଥିଲା। କମ୍‍ ଦିନ ମଧ୍ୟରେ ଗ୍ୟାସ ସଂଯୋଗରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଗ୍ୟାସ ସଂଯୋଗ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ଗ୍ୟାସ ସଂଯୋଗରୁ ବଞ୍ଚିତ ମହିଳାମାନେ ତାଙ୍କୁ ଯୋଗାଯୋଗ କରିଥିବା ଗ୍ୟାସ ବିତରକଙ୍କ ପ୍ରତିନିଧିଙ୍କ ଫୋନ୍‍ ନମ୍ବର ଦେଇଥିଲେ। ସେହି ମୋବାଇଲ ନମ୍ବରରେ ଯୋଗାଯୋଗ କରିବାରୁ ସେପଟୁ ବିତରକଙ୍କ ପ୍ରତିନିଧି କହିଥିଲେ ଯେ, ବହୁ ଦିନରୁ ଗ୍ୟାସ ଓ ଚୁଲା ସଂଯୋଗ ହୋଇ ସାରିଛି। ଲୋକଙ୍କୁ ବର୍ତ୍ତମାନ ଗ୍ୟାସ ବିତରଣ କରାଯାଉଛି। କିନ୍ତୁ ଆମ ପ୍ରତିନିଧି ଗନ୍ଧରେଲର ହିତାଧିକାରୀଙ୍କ ସମସ୍ୟା କଥା କହିବା ପରେ ବିତରକଙ୍କ ପ୍ରତିନିଧି ହଡବଡେଇ ଯାଇଥିଲେ। ଏହାକୁ କେମିତି ଚପେଇ ଦିଆଯିବ ସେଥିପାଇଁ ଉଦ୍ୟମ କରିଥିଲେ। ସେହିପରି ଏହି ଗନ୍ଧରେଲ ଗାଁର କିଛି ହିତାଧିକାରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ ପାଇଥିଲେ ବି ସେମାନଙ୍କ ଆକାଉଣ୍ଟରେ ଏପ୍ରିଲ ଓ ମେ ମାସରେ କେନ୍ଦ୍ର ସରକାର ଦେଇଥିବା ଟଙ୍କା ଜମା ହୋଇ ନଥିବା ଅଭିଯୋଗ କରିଥିଲେ।

ବଲାଙ୍ଗୀର ଜିଲାରେ ୩ଲକ୍ଷ ୫୫ହଜାର ୬୦୭ ମହିଳା ସେମାନଙ୍କ ଠିକଣା, ଆଧାର କାର୍ଡ, ସେମାନଙ୍କ ପରିବାର ଲୋକଙ୍କ ସଂଖ୍ୟା ସହ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ ଉଜ୍ଜ୍ୱଳା ଯୋଜନା ପାଇଁ। ସେଥିମଧ୍ୟରୁ ୨ଲକ୍ଷ ୭୫ହଜାର ୧୨୨ଜଣ ହିତାଧିକାରୀଙ୍କୁ ଚୁଲା ଦିଆଯିବା ସହ ଗ୍ୟାସ ସଂଯୋଗ ଦିଆଯାଇଥିବା ଏକ ତଥ୍ୟ ‘ସମାଜ’ ହାତରେ ଲାଗିଥିଲା। ଭାରତ ପେଟ୍ରୋଲିୟମ୍‍, ହିନ୍ଦୁସ୍ତାନ ପେଟ୍ରୋଲିୟମ, ଇଣ୍ଡିଆନ୍‍ ଅଏଲ୍‍ ଭଳି ସଂସ୍ଥାର ୩୬ଜଣ ବିତରକ ଚୁକ୍ତି କରି ଏହି ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ଦେଇଥିବା ବେଳେ ବହୁ ସଂଖ୍ୟକ ଲୋକ କେମିତି ଗ୍ୟାସ ସଂଯୋଗରୁ ବଞ୍ଚିତ ତାହା ସନ୍ଦେହଘେରକୁ ଆସିଥିଲା। କିଛି ଦିନ ତଳେ ଭୁଣ୍ଡିମୁହାଣ ପଞ୍ଚାୟତର ୩୨ଜଣ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପଡିଥିବା ବେଳେ ସେମାନେ ଗ୍ୟାସ କି ଚୁଲା ହିଁ ଦେଖି ନଥିବା ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। ମାମଲାକୁ ଚପେଇ ଦେବା ପାଇଁ ଗ୍ୟାସ ବିତରକ ସଂସ୍ଥା ପକ୍ଷରୁ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ହୋଇଥିଲା। ଖବର ପ୍ରକାଶ ପରେ ୩୨ଜଣ ହିତାଧିକାରୀଙ୍କୁ ଚୁଲା ଓ ସିଲିଣ୍ଡର ଦେଇ ଦୋଷ ମୁକ୍ତ ହେବାକୁ ଚେଷ୍ଟା କରିଥିଲେ ବିତରକ ସଂସ୍ଥା। କେବଳ ଭୁଣ୍ଡିମୁହାଣ ଗାଁ କି ଗନ୍ଧରେଲ ନୁହେଁ, ଜିଲାର ଅନେକ ସ୍ଥାନରେ ବିତରକମାନେ ହିତାଧିକାରୀଙ୍କ ନାଁରେ ବର୍ଷ ବର୍ଷ ହେଲା ବେଆଇନ ଭାବେ ଗ୍ୟାସ ଉଠାଇ ହେରଫେର କରୁଥିବା ସାମ୍ନାକୁ ଆସୁଛି। ଉଜ୍ଜ୍ୱଳା ଯୋଜନା ପ୍ରସଙ୍ଗରେ ଜିଲା ପ୍ରଶାସନର ଦଖଲ ବିଶେଷ ନଥିବାରୁ ହେରଫେର ମାମଲା ସାମ୍ନାକୁ ଆସି ପାରୁ ନଥିଲା। ଲକ୍‍ଡାଉନ୍‍ ଯୋଗୁଁ କେନ୍ଦ୍ର ସରକାର ହିତାଧିକାରୀଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ପକାଇବା ପରେ ଏହି ଦୁର୍ନୀତି ଓ ହେରଫେରର ଆଭାସ ମିଳିଛି। ଏହାକୁ ଗୁରୁତର ସହ ନେଇ ବିତରକ ସଂସ୍ଥାଗୁଡ଼ିକର ତାଲିକା ଓ ପ୍ରକୃତ ହିତାଧିକାରୀ ଏହାର ସୁଫଳ ପାଇଛନ୍ତି କି ନାହିଁ ତାହା ଯାଞ୍ଚ କରାଗଲେ ଉଜ୍ଜ୍ୱଳା ଗ୍ୟାସ ହେରଫେରର ପର୍ଦ୍ଦାଫାଶ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Comments are closed.