ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଅନୁଧ୍ୟାନ କଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ବାୟୁ ପ୍ରଦୂଷଣ ମାତ୍ରା ଅନୁଧ୍ୟାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ  ପି.କେ ମିଶ୍ର ଉଚ୍ଚସ୍ତରୀୟ ଟାସ୍କଫୋର୍ସର ସମସ୍ତ ଅଂଶୀଦାରଙ୍କୁ ନେଇ ଏକ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି। ବାୟୁର ଗୁଣବତା ଯେପରି ଅଧିକ ହ୍ରାସ ନପାଇବ ସେଥିପ୍ରତି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଭାବୀ ଢଙ୍ଗରେ ଫସଲ ବର୍ଜ୍ୟ ଜାଳିବା ଉପରେ କଟକଣା ଜାରି କରିବା ଲାଗି ପଞ୍ଜାବ ଓ ହରିୟାଣା ସରକାରଙ୍କୁ ପ୍ରମୁଖ ସଚିବ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କୁ ଫସଲ ବର୍ଜ୍ୟ ଜାଳିବାରୁ ରୋକିବା ନିମନ୍ତେ ପ୍ରଶାସନିକ କଳକୁ ସକ୍ରିୟ କରିବା ଲାଗି ଦୁଇ ରାଜ୍ୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହା ଫଳରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇବ। ଏହାଛଡ଼ା ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପାଣ୍ଠି ବିନିଯୋଗ କରି ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଏହି ଦୁଇ ରାଜ୍ୟକୁ କୁହାଯାଇଛି।

Image Credit : babushahi.com

ଏହି ବୈଠକରେ ଦିଲ୍ଲୀ ସରକାର, ଦିଲ୍ଲୀର ବିଭିନ୍ନ ମହାନଗର ନିଗମ କର୍ତ୍ତୃପକ୍ଷ, ଆଇଆଇଟି, ଟିଇଆରଆଇ ଏବଂ ବିଭିନ୍ନ ମନ୍ତ୍ରଣାଳୟର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଧୂଳି ପ୍ରଦୂଷଣ, ନିର୍ମାଣ ଓ ଭଗ୍ନ ପ୍ରକ୍ରିୟାରୁ ସୃଷ୍ଟ ଆବର୍ଜନା ଏବଂ ଶିଳ୍ପ ଓ ବାହନ ଜନିତ ପ୍ରଦୂଷଣକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ପ୍ରମୁଖ ସଚିବ ନିର୍ଦ୍ଦିଷ୍ଟ ଭାବେ ଆଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ସମ୍ପାଦନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଆହୁରି ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ ଜନସାଧାରଣଙ୍କ
ଅଭିଯୋଗ ଉପରେ ପଦକ୍ଷେପ ନେଇ ଛୋଟରୁ ଛୋଟ ଅଗ୍ନିକାଣ୍ଡ, ଆବର୍ଜନା ଆଦିକୁ ନିୟନ୍ତ୍ରଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଦିଲ୍ଲୀରେ ବାୟୁର ଗୁଣବତା ବୃଦ୍ଧି ଲାଗି ଭାରତ ସରକାର ନିରନ୍ତର ଭାବେ ପ୍ରୟାସ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ  ନରେନ୍ଦ୍ର ମୋଦୀଙ୍କ ତତ୍ୱାବଧାନରେ ୨୦୧୫ରେ ବାୟୁ ଗୁଣବତା ସୂଚକାଙ୍କ (ଏକ୍ୟୁଆଇ)ର ଶୁଭାରମ୍ଭ କରାଯାଇଥିଲା। ଗୁରୁବାର ସୁଦ୍ଧା ଦିଲ୍ଲୀ ଏନସିଆର କ୍ଷେତ୍ରରେ ୧୧୩ଟି ଏକ୍ୟୁଆଇ ନିରୀକ୍ଷଣ ଷ୍ଟେସନ ପ୍ରତିଷ୍ଠା କରାଯାଇଛି। ଆହୁରି ୨୯ଟି ଏପରି ଷ୍ଟେସନ ପ୍ରତିଷ୍ଠା କରାଯିବ।

Comments are closed.