ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ଗୁଣବତ୍ତା ଯାଞ୍ଚ କଲେ ରାଜ୍ୟ ସ୍ୱତନ୍ତ୍ର ଦଳ

ବାଲିଚନ୍ଦ୍ରପୁର : ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ନିର୍ମାଣ ହୋଇଥିବା ବାଲିଚନ୍ଦ୍ରପୁର-ଦେକୁରୀ କେନାଲ ତଳ ବନ୍ଧ ରାସ୍ତାକୁ ରାଜ୍ୟ ସ୍ୱତନ୍ତ୍ର ଗୁଣବତ୍ତା ଦଳ ସୋମବାର ଯାଞ୍ଚ କରିଛନ୍ତି। ଦୁଇ ଯନ୍ତ୍ରୀ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଗୁଣବତ୍ତା ଯାଞ୍ଚ କରିଥିବା ଦେଖାଯାଇଛି। ଏହି ରାସ୍ତାର ଯାଞ୍ଚ ହେଉଥିବା ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କ ନିକଟରେ ନିଜ ନିଜର ଅଭିଯୋଗ ରଖିବା ସହ ରାସ୍ତା ନିର୍ମାଣରେ ଅନିୟମିତତା ପାଇଁ ଦାୟିତ୍ୱରେ ଥିବା ଚଣ୍ଡିଖୋଲ ଡିଭିଜନର ଯନ୍ତ୍ରୀ ମାନଙ୍କୁ ଦାୟୀ କରିଥିଲେ। ଯାହାଫଳରେ ଯନ୍ତ୍ରୀ ଦ୍ୱୟ ରାସ୍ତା ଆରମ୍ଭରୁ ଶେଷ ଯାଏ ବିଭିନ୍ନ ସ୍ଥାନରେ ଖୋଳି ମାନ ପରିିକ୍ଷଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନ୍‍ ତଥା ଚଣ୍ଡିଖୋଲ ସବଡିଭିଜନ ପକ୍ଷରୁ ବାଲିଚନ୍ଦ୍ରପୁର ଠାରୁ ଦେକୁରୀ ପର୍ଯ୍ୟନ୍ତ ୧୧ କିମି ଲମ୍ବ ବିଶିଷ୍ଟ ଏହି ରାସ୍ତା ୨୦୧୮ ମସିହା ଏପ୍ରିଲ ମାସରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୪ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ରାସ୍ତାକୁ ଏକ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥା ଚୁକ୍ତି କରିଥିବା ବେଳେ ୨୦୨୦ ମସିହା ମାର୍ଚ୍ଚ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। କିଛି ସ୍ଥାନରେ ଗାର୍ଡୱାଲ ଭୁଷୁଡି ଯିବା ସହ ନିର୍ମାଣ ଶେଷ ହେବାର କିଛି ମାସ ପରେ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା। ଅଭିଯୋଗ ପରେ ଠିକା ସଂସ୍ଥା ପକ୍ଷରୁ ଏହି ରାସ୍ତାର ମରାମତି କରାଯାଇଥିଲା। ରାସ୍ତା ନିମ୍ନମାନର ଅଭିଯୋଗ ହେବା ପରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ପରିଦର୍ଶନରେ ଆସି ରାସ୍ତାରେ ଭାରୀ ଯାନ ଓ ଟ୍ରାକ୍ଟର ଚଳାଚଳ ଯୋଗୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ରିପୋର୍ଟ ଦେଇଥିଲେ। ପରେ ନଭେମ୍ବର ୧୬ ତାରିଖରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ରାସ୍ତା ପରିଦର୍ଶନରେ ଆସି ରାସ୍ତାର ଉଭୟ ପାର୍ଶ୍ବରେ ମୁଖ୍ୟ କେନାଲ ଓ ଶାଖା କେନାଲ ଯୋଗୁ ସ୍ଥାନ ଅଭାବ ପାଇଁ ଏପରି ଅବସ୍ଥା ସୃଷ୍ଟିି ହୋଇଥିବା ଦର୍ଶାଇଥିଲେ। ଏହି ରାସ୍ତାରେ ଭାରୀଯାନ ଚଳାଚଳକୁ ଅସ୍ବୀକାର କରିଛନ୍ତି ସ୍ଥାନୀୟ ଲୋକେ। ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ବରେ ବିଦ୍ୟୁତ ଖୁଣ୍ଟ ଓ ଗଛ ଯୋଗୁ ଭାରୀ ଯାନ ଚଳାଚଳ କରିପାରିବ ନାହିଁ ବୋଲି କୁହାଯାଇଛି। ଯାହାକୁ ସୋମବାର ତଦନ୍ତ ସମୟରେ ସ୍ୱତନ୍ତ୍ର ଗୁଣବତ୍ତା ଦଳର ଯନ୍ତ୍ରୀ ଦ୍ୱୟ ସ୍ବୀକାର କରିଛନ୍ତି। ଏହି ରାସ୍ତା ନିର୍ମାଣରେ ଅନିୟମିତତା ନେଇ ବିକ୍ରମତିରଣ ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ ସର୍ବେଶ୍ୱର ସାମଲ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ବିିଭାଗୀୟ ମୁଖ୍ୟଯନ୍ତ୍ରୀ, ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ସ୍ୱତନ୍ତ୍ର ସଚିବ ତାଙ୍କ ପତ୍ର ସଂଖ୍ୟା ୨୫୨୭ସି.ଏମ୍‍.-ଆଇ ରେ ଚଳିତ ବର୍ଷ ମଇ ମାସ ୫ ତାରିଖରେ ଏହି ରାସ୍ତାର ତଦନ୍ତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦେଶ ଦଇଥିଲ। ଚଳିତ ମାସ ୮ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୮୯୩୩ ରେ ଏହି ରାସ୍ତାର ତଦନ୍ତ ଦାୟିତ୍ୱ ସ୍ୱତନ୍ତ୍ର ଗୁଣବତ୍ତା ପରିଚାଳନା (ଏସ୍‍.କ୍ୟୁ.ଏମ)ଇଂ ସୁକାନ୍ତ ବେହରା ଓ ଇଂ ହିମାଂଶୁ କୁମାର ଆଚାର୍ଯ୍ୟଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦଇଥିଲେ। ସୋମବାର ଦୁଇ ଅଧିକାରୀ ଏହି ରାସ୍ତାର ବିଭିନ୍ନ ସ୍ଥାନର ଯାଞ୍ଚ କରିଛନ୍ତି।

Comments are closed.