ପଞ୍ଜାବ ସରକାରକୁ ଅସୁବିଧାରେ ପକାଇବାକୁ ଚାହୁଁଛନ୍ତି ମୋଦୀ – ଚରଣଜିତ ସିଂ ଚନ୍ନି

ପଞ୍ଜାବ: ଫିରୋଜପୁର ଅଭିମୁଖେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବିପଦ ରହିଥିବା କୁହାଯାଉଥିବା କେବଳ ଏକ ନାଟକ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି। ସେ କହିଛନ୍ତି ଯେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରକୁ ଭାଙ୍ଗିବା ଉଦ୍ୟମ ଛଡା ଏହା କିଛି ନୁହେଁ।

ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ପରେ ଏକ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଚନ୍ନି କହିଛନ୍ତି ଯେ ମୋଦୀଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ଏବଂ ଅଧିକ ଲୋକ ଉପସ୍ଥିତ ନ ଥିବାରୁ ପ୍ରଧାନମନ୍ତ୍ରୀ ହୁସେନାୱାଲା ରାଲି ବାତିଲ କରିଥିଲେ। ରାଲି ସ୍ଥଳରେ ଖାଲି ଚେୟାର ପଡିଥିବା ବିଷୟ କହିବା ସହ ସେ ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଅଯଥା କାରଣ ଦର୍ଶାଇ ଦିଲ୍ଲୀ ଫେରିଯାଇଥିଲେ।

ଶ୍ରୀ ଚନ୍ନି କହିଛନ୍ତି ଯେ ଯେଉଁ ମିଥ୍ୟା ବାହାନା କରି ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତକୁ ବାତିଲ କରିଛନ୍ତି ତାହା ପଞ୍ଜାବକୁ ବଦନାମ କରିବା ପାଇଁ ଉଦ୍ଦିଷ୍ଟ। ପୂର୍ବରୁ ଜାମ୍ମୁ କାଶ୍ମୀରରେ ଏଭଳି କରାଯାଇଥିବା ସେ କହିଛନ୍ତି। ବିକ୍ଷୋଭକାରୀମାନେ ମୋଦୀଙ୍କଠାରୁ ଏକ କିଲୋମିଟରରୁ ଅଧିକ ଦୂରରେ ରହିଥିଲେ ତେଣୁ ଏହା ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି କିଭଳି ବିପଦ ଆଣିପାରେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯେଉଁ ସ୍ଥାନରେ ମୋଦୀଙ୍କ ମୋଟରକେଡ୍ ଅଟକି ଯାଇଥିଲା, ସେଠାରେ କେହି ଏକ ସ୍ଲୋଗାନ ମଧ୍ୟ ଦେଇ ନଥିଲେ।

ଶ୍ରୀ ଚନ୍ନି କହିଛନ୍ତି ଯେ ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୟ ପାଇଁ ପଞ୍ଜାବୀମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ସେମାନେ କଦାପି ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ସୁରକ୍ଷା ପ୍ରତି କୌଣସି ବିପଦ ସୃଷ୍ଟି କରିପାରିବେ ନାହିଁ। ଶ୍ରୀ ଚନ୍ନି କହିଛନ୍ତି ଯେ ଏଭଳି ଶସ୍ତା ଅଭିନୟ କରିବା ମୋଦୀଙ୍କ ସ୍ଥିତିର ଜଣେ ନେତାଙ୍କ ପାଇଁ ଶୋଭନୀୟ ନୁହେଁ। ଏହି ସମାବେଶରେ କମ ଲୋକଙ୍କ ଉପସ୍ଥିତି ରାଜ୍ୟରେ ବିଜେପିର ଖରାପ ସ୍ଥିତିକୁ ପ୍ରକାଶ କରିଛି ବୋଲି ସେ କହିଛନ୍ତି।

Comments are closed.