ଟିକାକରଣ ହାର କମ୍ ୧୧ ମୁଖ୍ୟମନ୍ତ୍ରୀ, ୪୦ ଜିଲାପାଳଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ : ଜାତୀୟ ହାର ଠାରୁ କମ୍ କୋଭିଡ-୧୯ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ନଭେମ୍ବର ୩ ତାରିଖରେ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୪୦ଟି ଜିଲାର ଜିଲାପାଳଙ୍କ ସହିତ ସମୀକ୍ଷା ବୈଠକ କରିବେ। ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପୱାର ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଘରକୁ ଘର ଯାଇ ଟିକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଦେଶର ଜାତୀୟ ଟିକାକରଣ ହାର ଠାରୁ ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ପଞ୍ଜାବ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ କମ୍ ଟିକାକରଣ ହୋଇଛି। ଦେଶରେ ଏବେ ପ୍ରାୟ ୧୧ କୋଟି ଲୋକ ଦ୍ବିତୀୟ ପାନ ଟିକା ନେବାକୁ ଥିବାବେଳେ ସେମାନେ ଟିକା ନେବାକୁ ଆସୁନଥିବା ଜଣାଯାଇଛି। ଉତ୍ତରପ୍ରଦେଶରେ ୧.୬କୋଟି ଲୋକ ଦ୍ବିତୀୟ ପାନ ଟିକା ନେଇ ନାହାନ୍ତି। ଏହି ହିତାଧିକାରୀଙ୍କ ମଧ୍ୟରୁ ୫୦ହଜାର ଲୋକଙ୍କ ଦ୍ବିତୀୟ ପାନ ଟିକା ନେବାର ସମୟ ଅତିକ୍ରମ କରିସାରିଲାଣି। ସେହିପରି ୧୮ଟି ରାଜ୍ୟର ୪୯ଟି ଜିଲାରେ ୫୦%ରୁ କମ୍ ଲୋକ ପ୍ରଥମ ପାନ ଟିକା ନେଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୦୬କୋଟିରୁ ଅଧିକ ପାନ ଟିକାକରଣ ହୋଇଛି ।
ଅନ୍ୟପଟେ ରବିବାର ସମଗ୍ର ଦେଶରେ ୧୨,୮୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୪୬ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୨,୭୩,୩୦୦ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୪,୫୮,୧୮୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ୧୪,୬୬୭ଜଣ ସୁସ୍ଥ ହୋଇଥିବାବେଳେ ମୋଟ ୩,୩୬,୫୫,୪୪୨ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ୧,୫୯,୨୭୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଗତ ୨୪୭ ଦିନ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସକ୍ରିୟ ସଂକ୍ରମଣ। ଏହି ସକ୍ରିୟ ସଂକ୍ରମଣ ମୋଟ ସଂକ୍ରମଣର ୦.୪୬ ପ୍ରତିଶତ ।

Comments are closed.