ବୁଲା ବିକାଳୀଙ୍କ ପାଇଁ ଅପୂର୍ବ ସୂଯୋଗ ନେଇ ଆସିଛି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା

ଯୋଜନା କାର୍ଯ୍ୟକାରୀ ଲାଗି ରାଉରକେଲା ମହାନଗର ନିଗମର ବ୍ୟାପକ ବ୍ୟବସ୍ଥା

ରାଉରକେଲା : କରୋନା ମହାମାରୀ ସମୟରେ କ୍ଷତିଗ୍ରସ୍ତ  ବୁଲାବିକାଳୀ/ଉଠା ଦୋକାନୀ ମାନଙ୍କର ଥଇଥାନ ନିମନ୍ତେ ସରକାର, ପ୍ରଧାନମନ୍ତ୍ରୀ ବୁଲାବିକାଳୀ ଆତ୍ମନିର୍ଭର ଯୋଜନା ବା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଲାବିକାଳୀ ମାନେ ସୁବିଧାରେ କ୍ଷୁଦ୍ର ଋଣ ପାଇପାରିବେ। ଏଥିରେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବ୍ୟବସାୟ କରୁଥିବା ବୁଲାବିକାଳୀ ମାନଙ୍କୁ ଅନ୍ତଃର୍ଭୁକ୍ତ କରାଯାଇ ସେମାନଙ୍କୁ ସୁବିଧା ପ୍ରଦାନ କରାଯିବ। ଯେଉଁ ବୁଲାବିକାଳୀମାନେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୨୪ ମାର୍ଚ୍ଚ, ୨୦୨୦ ପୂର୍ବରୁ ବ୍ୟବସାୟ କରୁଥିବେ, ସେମାନେ ଏହି ଯୋଜନାର ସୁବିଧା ପାଇପାରିବେ। ଏଥିଲାଗି ସେମାନେ ରାଉରକେଲା ମହାନଗର ନିଗମ ପକ୍ଷରୁ ବୁଲାବିକାଳୀ ପ୍ରମାଣପତ୍ର ପାଇଥିବା ଆବଶ୍ୟକ। ଯେଉଁମାନେ ପ୍ରମାଣ ପତ୍ର ପାଇନଥିବେ କିନ୍ତୁ ସର୍ଭେରେ ଚିହ୍ନଟ ହୋଇଥିବେ, ସେମାନେ ମଧ୍ୟ ଏହି ଯୋଜନା ଲାଗି ଯୋଗ୍ୟ ବିବେଚିତ ହେବେ।

ସେହିପରି ଯେଉଁ ବୁଲାବିକାଳୀ ମାନେ ସର୍ଭେ ସରିଲା ପରେ ବ୍ୟବସାୟ ଆରମ୍ଭ କରିଥିବେ କିନ୍ତୁ ୨୪ ମାର୍ଚ୍ଚ, ୨୦୨୦ ପର୍ୟ୍ୟନ୍ତ ବ୍ୟବସାୟ କରୁଥିବା ନେଇ ସୁପାରିଶପତ୍ର ରାଉରକେଲା ମହାନଗର ନିଗମ କିମ୍ବା Town Vending Committee (TVC) ଠାରୁ ପାଇଥିବେ, ସେମାନେ ମଧ୍ୟ ଏହି ଯୋଜନାର ଲାଭ ନେଇପାରିବେ। ସହରର ଆଖପାଖ ଅଞ୍ଚଳରୁ ଆସି ରାଉରକେଲାରେ ଦୈନିକ ବ୍ୟବସାୟ କରୁଥିବା ବୁଲାବିକାଳୀ ମାନଙ୍କ ଲାଗି ମଧ୍ୟ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି। ଏ ସଂପର୍କିତ ସୁପାରିଶ ପତ୍ର, ଯଦି ସେମାନେ ରାଉରକେଲା ମହାନଗର ନିଗମ କିମ୍ବା Town Vending Committee (TVC)ଠାରୁ ପାଇଥିବେ, ତେବେ ସେମାନେ ମଧ୍ୟ ଏହି ଯୋଜନା ଲାଗି ଆବେଦନ କରିପାରିବେ।
ଏହି ଯୋଜନା ମାଧ୍ୟମରେ ମାତ୍ର ୭% ସୁଧ ହାରରେ ବିନା ଅମାନତରେ ୧୦,୦୦୦/- ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇପାରିବ। ତେବେ ନିୟମିତ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଡିଜିଟାଲ/ମୋବାଇଲ ମାଧ୍ୟମରେ କାରବାର କରୁଥିବା ବ୍ୟବସାୟୀଙ୍କୁ ପୁରସ୍କୃତ କରାଯିବ। ମାସିକ କିସ୍ତି ହିସାବରେ ୧ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ପଡ଼ିବ। ନିୟମିତ କିସ୍ତି ଦେଉଥିବା ବ୍ୟବସାୟୀଙ୍କୁ ସୁଧରେ ରିହାତି ଦିଆଯିବ। ମୋବାଇଲ/ଡିଜିଟାଲ କାରବାର ମାଧ୍ୟମରେ ୧୨୦୦ ଟଙ୍କା ଜମା ଖାତାକୁ ଫେରିବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି। କେବଳ ଏତିକି ନୁହେଁ, ଯେଉଁ ବୁଲା ବିକାଳୀ ମାନେ ଠିକ ସମୟରେ ଋଣ ପରିଶୋଧ କରନ୍ତି, ସେମାନଙ୍କ ଲାଗି ପରବର୍ତ୍ତୀ ସମୟରେ ୨୦ ହଜାର ଟଙ୍କା ପର୍ୟ୍ୟନ୍ତ ଋଣର ବ୍ୟବସ୍ଥା ଅଛି । ସମସ୍ତ ପ୍ରକାରର ବ୍ୟାଙ୍କ୍, ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ, ଆଦି ଋଣ ପ୍ରଦାନ କରିବେ। ବ୍ୟାଙ୍କରେ ଥିବା ବ୍ୟାଙ୍କ ମିତ୍ର କିଓସ୍କ୍, ଜନସେବା କେନ୍ଦ୍ର କିମ୍ବା ନିଜେ ଇଣ୍ଟରନେଟ ମାଧ୍ୟମରେ ଏହି ଯୋଜନାରେ ଋଣ ଲାଗି ଯୋଗ୍ୟ ବୁଲା ବିକାଳୀମାନେ ଆବେଦନ କରିପାରିବେ।
ଋଣ ଆବେଦନ ପାଇଁ ଆଧାରକାର୍ଡ, ବ୍ୟାଙ୍କ ଜମା ଖାତା ନମ୍ବର, ବ୍ୟାଙ୍କ ଶାଖାର ନାମ ଓ ଓୠଝଉ ଉକ୍ଟୟର ନିହାତି ଜରୁରୀ ତା ସାଙ୍ଗକୁ ଭୋଟ ପରିଚୟ ପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ବା ଖାଉଟି କାର୍ଡ କିମ୍ବା ଅନ୍ୟାନ୍ୟ ସରକାରୀ ଅନୁମୋଦିତ କାଗଜପତ୍ର ଥିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଲାବିକାଳୀମାନଙ୍କ ଜୀବିକାକୁ ସଜାଡି ହେବ ଏବଂ ତା ସାଙ୍ଗକୁ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ଆମେ ସଫଳ ହୋଇପାରିବୁ ବୋଲି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟ ଜ୍ୟୋତି ପରିଡ଼ା ମତବ୍ୟକ୍ତ କରିଛନ୍ତି। ଏ ସଂପର୍କିତ ସବିଶେଷ ବିବରଣୀ http://pmsvanidhi.mohua.gov.in ୱେବସାଇଟରେ ଉପଲବ୍ଧ ଅଛି। ତାସାଙ୍ଗକୁ ଇଚ୍ଛୁକ ବୁଲା ବିକାଳୀ ମାନେ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଯୋଜନା ନିମନ୍ତେ ଯୋଗାଯୋଗ କରିବା ଲାଗି ମହାନଗର ନିଗମର କମିଶନର ଅନୁରୋଧ ଜଣାଇଛନ୍ତି।

Comments are closed.