ପ୍ରୟାଗରାଜରେ ସର୍ବବୃହତ ସହାୟତା ଉପକରଣ ଆବଣ୍ଟନ ଶିବିରରେ ଦିବ୍ୟାଙ୍ଗଙ୍କ ସହ କଥା ହେଲେ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅଧୀନରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ଆଜି ପ୍ରୟାଗରାଜଠାରେ ଆୟୋଜିତ ସାମାଜିକ ସଶକ୍ତିକରଣ ଶିବିରରେ ସହାୟତା ଉପକରଣ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ହିତାଧିକାରୀଙ୍କ ସଂଖ୍ୟା ଓ ଆବଣ୍ଟିତ ସହାୟତା ଉପକରଣଗୁଡ଼ିକର ପରିମାଣକୁ ହିସାବକୁ ନେଲେ ଏହି ଶିବିରକୁ ଆଜି ପର୍ଯ୍ୟନ୍ତ ଦେଶର ସର୍ବବୃହତ ଆବଣ୍ଟନ ଶିବିର ଭାବେ ବିବେଚନା କରାଯିବ।

ଏହି ଶିବିରରେ ପ୍ରାୟ ୨୭ ହଜାର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ୧୯ କୋଟି ଟଙ୍କା ମୂଲ୍ୟର ୫୬ ହଜାରରୁ ଅଧିକ ସଂଖ୍ୟାର ସହାୟତା ଉପକରଣ ଯୋଗାଇ ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମାଜର ପ୍ରତ୍ୟେକ ବିଭାଗକୁ ନ୍ୟାୟ ଏବଂ କଲ୍ୟାଣ ଯୋଜନାର ଲାଭ ସୁନିଶ୍ଚିତ କରିବା ହେଉଛି ସରକାରଙ୍କ ପ୍ରାଥମିକତା। ମୋଦୀ କହିଛନ୍ତି ଯେ ଏହା ସବକା ସାଥ, ସବକା ବିକାଶ ଏବଂ ସାବକା ବିଶ୍ୱାସ ଉପରେ ଆଧାରିତ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ ଜୀବନକୁ ସହଜ ଏବଂ ଆରାମଦାୟକ କରିବା ପାଇଁ ତାଙ୍କ ସରକାର ଅନେକ କାମ କରୁଛନ୍ତି। ସେ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ ୯ ହଜାର ଶିବିର ଆୟୋଜନ କରାଯାଇଛି ଏବଂ ୯ ଶହ କୋଟି ମୂଲ୍ୟର ଉପକରଣ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୁଗମ୍ୟ ଭାରତ ଯୋଜନା ଅଧୀନରେ ସମସ୍ତ କୋଠାବାଡି, ବିମାନବନ୍ଦର, ୭ ଶହଟି ଟ୍ରେନ୍ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଦିବ୍ୟାଙ୍ଗଙ୍କ ସହଜ ଚଳପ୍ରଚଳ ପାଇଁ ସୁବିଧା କରାଯାଇଛି ଏବଂ ଦିବ୍ୟାଙ୍ଗଙ୍କ ପାଇଁ କମନ୍ ସାଇନ୍ ଭାଷା ପ୍ରତିଷ୍ଠାନ ମଧ୍ୟ ପ୍ରତିଷ୍ଠା କରାଯାଇଛି।

Comments are closed.