ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ଦେଶର କରୋନା ପରିସ୍ଥିତି ଓ ଟିକାକରଣ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଦେଶରେ କରୋନାର ଦ୍ବିତୀୟ ଲହର ଶେଷ ହୋଇ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଥିବାବେଳେ ପ୍ରଧାନମନ୍ତ୍ରୀ ଏହି ସମୀକ୍ଷା ବୈଠକ କରିଛନ୍ତି । ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା ଯେ ଦେଶରେ କରୋନାର ଦ୍ବିତୀୟ ଲହର ବଳବତ୍ତର ରହିଛି। ଦେଶର ୩୫ଟି ଜିଲାରେ ସଂକ୍ରମଣ ହାର ୧୦%ରୁ ଅଧିକ ରହିଥିବାବେଳେ ୩୦ଟି ଜିଲାରେ ସଂକ୍ରମଣ ହାର ୫ରୁ ୧୦% ରହିଛି। ସେହିପରି ଟିକାକରଣ ଅଭିଯାନ ଓ ଟିକା ସଫଳତା ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୧୮ବର୍ଷରୁ ଉର୍ଦ୍ଧ୍ବ ୫୦%ରୁ ଅଧିକ ବ୍ୟକ୍ତି ଗୋଟିଏ ଲେଖାଏଁ ପାନ ଟିକା ନେଇସାରିଲେଣି। ସେହିପରି ୧୮% ନାଗରିକ ୨ଟି ପାନ ଟିକା ନେଇସାରିଲେଣି। ଏହା ସହିତ ଗୋଟିଏ ପାନ ଟିକା ନେବା ଦ୍ବାରା ବ୍ୟକ୍ତିର ମୃତ୍ୟୁ ଆଶଙ୍କା ୯୬.୬% ଦୂର ହୋଇଥାଏ। ଆଉ ଯଦି ଜଣେ ଦୁଇଟି ପାନ ଟିକା ନେଇଥାଏ ତାର ଏପରି ମୃତ୍ୟୁ ଆଶଙ୍କା ୯୭.୫% ଦୂର କରିଥାଏ। ଦେଶର ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି। ଦେଶରେ କରୋନା ସୁସ୍ଥତା ହାର ୯୭.୪୯ ରହିଛି।

Comments are closed.