ଫିଟ୍ ଇଣ୍ଡିଆ ଅଭିଯାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରାଟ କୋହଲିଙ୍କୁ ପଚାରିଲେ ଫିଟନେସ୍ ରହସ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଫିଟ୍ ଇଣ୍ଡିଆ ଅଭିଯାନର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଦେଶକୁ ଫିଟ୍ ରଖିବାରେ ସଚେତନ କରିଥିବା ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ ହୋଇଥିଲେ। କରୋନା ଯୋଗୁଁ ଏ କାର୍ଯ୍ୟକ୍ରମ ଭର୍ଚୁଆଲ ଭାବେ ଆୟୋଜିତ କରାଯାଇଥିଲା।

କାର୍ଯ୍ୟକ୍ରମକୁ କୋହଲିଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେ ନିଜ ଖୁସି ବ୍ୟକ୍ତ କରିଛନ୍ତି। ବିରାଟ କୋହଲିଙ୍କ ଫିଟନେସ୍ ଓ ନିତିଦିନର ରୋଟିନକୁ ନେଇ ମୋଦୀ ତାଙ୍କ ସହ ଆଲୋଚନା କରିଛନ୍ତି। ଦିଲ୍ଲୀର ଛୋଲେ ଭଟୁ‌ରେ ଖାଉ ନ ଥିବାରୁ ମନଦୁଃଖ ହେଉଥିବ ବୋଲି ମୋଦୀ କୋହଲିଙ୍କୁ ପଚାରିଥିଲେ। ଏହାର ଉତ୍ତରରେ କୋହଲି କହିଥିଲେ ଯେ, ପୂର୍ବରୁ ସେ ଅଭ୍ୟାସ ବେଳେ ବାହାର ଖାଦ୍ୟ ଖାଉଥିଲେ। ଏବେ କିନ୍ତୁ ବହୁତ କିଛି ବଦଳି ଗଲାଣି। ତାଙ୍କୁ ପରେ ଲାଗିଲା ନିଜେ ଫିଟ୍ ରହିବା ପାଇଁ କାମ କରିବା ଦରକାର। କାରଣ ନିଜେ ଫିଟ୍ ନ ରହିଲେ କୌଣସି କାମ କରି ହେବନାହିଁ । ଏହି କାର୍ଯ୍ୟକ୍ରମରେ ବିରାଟ କୋହଲିଙ୍କ ସମେତ ମିଲିନ୍ଦ୍ ସୋମନ ଓ ରୁଜୁତା ଦିବାକରଙ୍କ ସମେତ ଅନେକ ପ୍ରଭାବୀ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ।

କୋଭିଡ଼-୧୯ ଭଳି ମହାମାରୀ ସମୟରେ ଘରେ ରହି ନିଜକୁ ସୁସ୍ଥ ଏବଂ ସକ୍ରିୟ ରଖିବା ଜୀବନର ଏକ ଜରୁରୀ ଆବଶ୍ୟକତା ହୋଇପଡ଼ିଛି। ଏହି ଭାବ ବିନିମୟ କାର୍ଯ୍ୟକ୍ରମକୁ ପୋଷଣ, ନିରାମୟତା ଏବଂ ଫିଟନେସର ଅନ୍ୟାନ୍ୟ ବିଭିନ୍ନ ଦିଗରୁ ସମୟୋଚିତ ଏବଂ ସାର୍ଥକ ଭାବେ ବିବେଚନା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରୁ ସମ୍ଭୂତ ଏହି କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନର ରୂପ ପ୍ରଦାନ ପାଇଁ ପ୍ରୟାସ କରାଯାଉଛି। ଫିଟ୍ ଇଣ୍ଡିଆ ଭାବ ବିନିମୟ ଏ ଦିଗରେ ଏକ ସଫଳ ପ୍ରୟାସ ବୋଲି ଦର୍ଶାଯାଇଛି। ଏଥିରେ ଦେଶର ଅଧିକରୁ ଅଧିକ ନାଗରିକମାନଙ୍କୁ ସାମିଲ ହେବା ନିମନ୍ତେ ଆହ୍ୱାନ ଦିଆଯାଇଛି। ଭାରତକୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏକ ସୁସ୍ଥ ଓ ସକ୍ରିୟ ରାଷ୍ଟ୍ରରେ ପରିଣତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଯେଉଁ ମୌଳିକ ଉଦ୍ଦେଶ୍ୟ ପାଇଁ ଫିଟ୍ ଇଣ୍ଡିଆ ଆନ୍ଦୋଳନର ପରିକଳ୍ପନା କରାଯାଇଥିଲା, ସେଥିରେ ନାଗରିକମାନଙ୍କୁ ହସଖୁସି, ସରଳ ଓ ସହଜ ଭାବେ ଜୀବନ ବଞ୍ଚିବା ଏବଂ ଆର୍ଥିକ ଦୃଷ୍ଟିରୁ କୌଣସି ପ୍ରକାର ଖର୍ଚ୍ଚାନ୍ତ ନହୋଇ କିଭଳି ଭାବେ ନିଜକୁ ସୁସ୍ଥ ଓ ସକ୍ରିୟ ରଖାଯାଇ ପାରିବ ତଥା ଏଥିପାଇଁ କି ପ୍ରକାର ଆଚରଣଗତ ପରିବର୍ତ୍ତନ ଆବଶ୍ୟକ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସମସ୍ତ ଭାରତୀୟଙ୍କ ଜୀବନରେ ଏଭଳି ଫିଟନେସ୍ ପାଇଁ ଚିନ୍ତାଧାରା ଉଦ୍ରେକ କରିବା ମଧ୍ୟ ଏହାର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ, ଗତ ଏକ ବର୍ଷ ମଧ୍ୟରେ, ବିଭିନ୍ନ ସ୍ଥାନରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଆନୁକୂଲ୍ୟରେ ଭିନ୍ନ ଭିନ୍ନ କାର୍ୟ୍ୟକ୍ରମମାନ ଆୟୋଜିତ ହୋଇଛି ଏବଂ ସେଥିରେ ସାରା ଦେଶରୁ ଓ ସମାଜର ବିଭିନ୍ନ ବର୍ଗରୁ ବିପୁଳ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଛନ୍ତି। ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍, ପ୍ଲଗ୍ ରନ୍, ସାଇକ୍ଲୋଥନ୍, ଫିଟ୍ ଇଣ୍ଡିଆ ସପ୍ତାହ, ଫିଟ୍ ଇଣ୍ଡିଆ ସ୍କୁଲ ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏପର୍ୟ୍ୟନ୍ତ ଦେଶର ପ୍ରାୟ ୩.୫ କୋଟି ଲୋକ ସାମିଲ ହୋଇଛନ୍ତି ଏବଂ ବାସ୍ତବତା ଦୃଷ୍ଟିରୁ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି।

 

Comments are closed.