ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋଟ ସମ୍ପତ୍ତି ୨.୨୩ କୋଟି

ନୂଆଦିଲ୍ଲୀ: ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଟ୍‌ ସମ୍ପତ୍ତି ୨ କୋଟି ୨୩ ଲକ୍ଷ ୮୨ ହଜାର ୫୦୪ ଟଙ୍କା ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ନିଜ ୱେବସାଇଟରେ ଦର୍ଶାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧିକାଂଶ ଅର୍ଥ ବ୍ୟାଙ୍କରେ ଜମା ରହିଥିବା ବେଳେ ତାଙ୍କ ନିକଟରେ କୌଣସି ସ୍ଥାବର ସମ୍ପତ୍ତି ନାହିଁ। ଗାନ୍ଧୀନଗରରେ ଥିବା ଏକ ଜମିର ପ୍ରଧାନମନ୍ତ୍ରୀ ମୋଦୀ ଅଂଶୀଦାର ଥିଲେ। ତେବେ ସେ ନିଜ ଅଂଶକୁ ଦାନ କରି ଦେଇଥିବା ଜଣାପଡ଼ିଛି। ମୋଦୀଙ୍କ ନିକଟରେ କୌଣସି ଗାଡ଼ି ନ ଥିବା ବେଳେ ସେୟାର, ମ୍ୟୁଚୁଆଲ୍‌ ଫଣ୍ଡ ଆଦିରେ ସେ କୌଣସି ଅର୍ଥ ବିନିଯୋଗ କରିନଥିବା ଜଣାପଡ଼ିଛି । ଗତବର୍ଷ ତୁଳନାରେ ଚଳିତବର୍ଷ ମୋଦୀଙ୍କ ସମ୍ପତ୍ତି ୨୬.୧୩ ଲକ୍ଷ ଟଙ୍କା  ବଢ଼ିଛି। ଡାକଘରେ ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌ରେ ୯,୦୫, ୧୦୫ ଓ ଜୀବନ ବୀମା ପଲିସରେ ୧,୮୯,୩୦୫ ଟଙ୍କା ମୋଦୀଙ୍କର ରହିଛି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୨.୫୪ କୋଟି ଓ ସ୍ଥାବର ସମ୍ପତ୍ତି ମୂଲ୍ୟ ୨.୯୭ କୋଟି ଟଙ୍କା ବୋଲି ଜଣାପଡ଼ଇଛି। ଅନ୍ୟମାନଙ୍କ ମଧ୍ୟରେ ଧମେନ୍ଦ୍ର ପ୍ରଧାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆର.କେ ସିଂହ, ହରଦୀପ ସିଂହ ପୁରୀ, ପୁରୁଷୋତ୍ତମ ରୁପାଲା, ଜି. କିଷନ ରେଡ୍ଡି ପ୍ରମୁଖ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି।

Comments are closed.