ସୁରେଶ ରୈନାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତ୍ର : ‘ଫିଲ୍‍ଡିଂରେ ତୁମେ ବଞ୍ଚାଇଥିବା ରନ୍‍ ଗଣିବାକୁ ବହୁତ ଦିନ ଲାଗିବ’

ନୂଆଦିଲ୍ଲୀ : ଗତ ସ୍ୱାଧୀନତା ଦିବସରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ଘୋଷଣା କରିଥିଲେ ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ବ୍ୟାଟ୍‍ସମ୍ୟାନ୍‍ ସୁରେଶ ରୈନାଙ୍କୁ ପ୍ରଶଂସାକରି ଏକ ଭାବପୂର୍ଣ୍ଣ ପତ୍ର ଲେଖିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ୨ ପୃଷ୍ଠା ବିଶିଷ୍ଟ ପତ୍ରରେ ଭାରତୀୟ କ୍ରିକେଟ୍‍ ପ୍ରତି ତାଙ୍କ ଅବଦାନ ପାଇଁ ରୈନାଙ୍କୁ ପ୍ରଶଂସା କରିବା ସହ କ୍ରିକେଟ ପଡ଼ିଆରେ ରୈନାଙ୍କ କୃତିତ୍ୱକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି। ସୂଚନାଯୋଗ୍ୟ; ରୈନାଙ୍କ ସହ ଅବସର ନେଇଥିବା ଧୋନିଙ୍କୁ ମଧ୍ୟ ଅନୁରୂପ ପତ୍ର ଲେଖି ଭାରତୀୟ କ୍ରିକେଟ୍‍ ପ୍ରତି ଅବଦାନ ଲାଗି ୧୩୦ କୋଟି ଭାରତୀୟ ସର୍ବଦା ତାଙ୍କ ପ୍ରତି କୃତଜ୍ଞ ରହିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

ସୁରେଶ ରୈନାଙ୍କ ପାଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ପତ୍ରକୁ ୩୩ ବର୍ଷ ବୟସ୍କ ସୁରେଶ ରୈନା ତାଙ୍କ ଟ୍ୱିଟର ପୃଷ୍ଠାରେ ଛାଡ଼ିଛନ୍ତି। ଉକ୍ତ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ମୁଁ ଏଠାରେ ‘ଅବସର’ ଶବ୍ଦର ବ୍ୟବହାର କରିବାକୁ ଚାହେଁନାହିଁ। କାରଣ ଅବସର ନେବାର ବୟସ ତୁମର ହୋଇନାହିଁ। ତୁମେ ଏବେ ମଧ୍ୟ ଯୁବକ ଏବଂ ବହୁତ ଚପଳ। ଜଣେ ଚମତ୍କାର ବ୍ୟାଟ୍‍ସମ୍ୟାନ୍‍ ଭାବେ ନୁହେଁ; ପିଢ଼ି ପରେ ପିଢ଼ି ସମସ୍ତେ ତୁମକୁ ଜଣେ ଉପଯୋଗୀ ବୋଲର ଭାବେ ମନେରଖିବେ; ଯିଏ ପରିସ୍ଥିତି ଉପୁଜିଲେ ଦଳ ପାଇଁ ବୋଲିଂକରି ୱିକେଟ ନେଇଥାଆନ୍ତି। ପଡ଼ିଆରେ ଫିଲ୍‍ଡର ଭାବେ ତୁମ ଚପଳତା ବଳରେ ଦଳ ପାଇଁ ଯେତିକି ରନ୍‍ ବଞ୍ଚାଇଛ; ତାହାକୁ ଗଣିଲେ ବହୁତ ଦିନ ଲାଗିଯିବ। ୨୦୧୧ରେ ଭାରତର ବିଶ୍ୱକପ୍‍ ବିଜୟରେ ସୁରେଶ ରୈନାଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭୁଲିନାହାନ୍ତି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଉକ୍ତ ବିଶ୍ୱକପ୍‍ରେ ଅଷ୍ଟ୍ରେଲିଆ ବିପକ୍ଷରେ କ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ତୁମ ଖେଳ ଦେଖିଥିଲି। ଭାରତର ବିଜୟରେ ତୁମର ଦାୟିତ୍ୱପୂର୍ଣ୍ଣ ଇନିଂସ (ଅପରାଜିତ ୩୪)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ପ୍ରଶଂସକମାନେ ତୁମ କଭର୍‍ ଡ୍ରାଇଭ୍‍ ଆଉ ଦେଖିପାରିବେ ନାହିଁ। ତେବେ ଉକ୍ତ ମ୍ୟାଚ୍‍ରେ ଏହା ଦେଖିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି। ତୁମ କ୍ରିକେଟ୍‍ ଯାତ୍ରା ଘଟଣାବହୁଳ ଥିଲା। ୩ଟିଯାକ ଫର୍ମାଟରେ ଭାରତକୁ ପ୍ରତିନିଧିତ୍ୱ କରିବାର କୃତିତ୍ୱ ତୁମ ପାଇଁ ସବୁଠାରୁ ବଡ଼ ସମ୍ମାନ ଥିଲା। କେବଳ ପଡ଼ିଆ ନୁହେଁ; ପଡ଼ିଆ ବାହାରେ ମଧ୍ୟ ତୁମ ଆଚରଣ ଯୋଗୁଁ ଲୋକେ କ୍ରୀଡ଼ାବିତ୍‍ଙ୍କୁ ଆଦର କରିଥାଆନ୍ତି।

ତୁମ କ୍ରିକେଟ ଜୀବନରେ ଆହତ ହେବା ଭଳି ଆହ୍ୱାନର ସମ୍ମୁଖୀନ ହୋଇଛ। ହେଲେ ଲଢ଼ୁଆ ଗୁଣ ଦେଖାଇ ପ୍ରତିଥର ବିଜୟୀ ହୋଇପାରିଛି। ସୁରେଶ ରୈନା ହେଉଛନ୍ତି ଦଳୀୟ ଭାବନାର ପ୍ରତିଛବି। କଦାପି ତୁମେ ନିଜ ପାଇଁ ନ ଖେଳି ଦଳକୁ ଜିତାଇବା ପାଇଁ ଖେଳିଛ। ପଡ଼ିଆରେ ତୁମ ଉତ୍ସାହ ଅନନ୍ୟ; ପ୍ରତିପକ୍ଷର ୱିକେଟ ପଡ଼ିବା ପରେ ଏହା ସ୍ପଷ୍ଟ ବାରି ହୋଇଯାଏ। ସମାଜର କଲ୍ୟାଣ ପାଇଁ ତୁମ କାର୍ଯ୍ୟ ସର୍ବଦା ପ୍ରଶଂସନୀୟ। ମହିଳା ସଶକ୍ତୀକରଣ, ସ୍ୱଚ୍ଛ ଭାରତ ଏବଂ ଦୁସ୍ଥ ଲୋକଙ୍କୁ ସାହାଯ୍ୟ କରିବାରେ ତୁମେ ଅଗ୍ରଣୀ ଥିଲ। ମୋର ଦୃଢ଼ ଆଶା ଯେ ଅବସର ପରେ ତୁମ ଇନିଂସ ମଧ୍ୟ ସଫଳ ହେବ। ଏହି ଅବସରରେ ପତ୍ନୀ ପ୍ରିୟଙ୍କା ଏବଂ ଦୁଇ ସନ୍ତାନ ଗ୍ରେସିଆ ଓ ରିଓକୁ କିଛି ସମୟ ଦେଇପାରିବ। କ୍ରୀଡ଼ାରେ ଭାରତ ନେତୃତ୍ୱ ନେବାରେ ତୁମ ଅବଦାନ ଏବଂ ଯୁବ ପିଢ଼ିକୁ ପ୍ରେରଣା ଯୋଗାଇବା ପାଇଁ ମୁଁ ତୁମକୁ ଧନ୍ୟବାଦ ଜଣାଉଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପରି ପତ୍ରର ଜବାବରେ ଟ୍ୱିଟରରେ ସୁରେଶ ରୈନା ଲେଖିଛନ୍ତି, ଖେଳିବା ବେଳେ ଆମେ ଦେଶ ପାଇଁ ରକ୍ତ ଓ ସ୍ୱେଦ ଦେଇଥାଉ। ଦେଶର ଜନତା; ସର୍ବୋପରି ପ୍ରଧାନମନ୍ତ୍ରୀ ତୁମକୁ ଭଲପାଇବାଠାରୁ ବଡ଼ ପ୍ରଶଂସା ମୋ ପାଇଁ କିଛି ନାହିଁ। ଆପଣଙ୍କ ପ୍ରଶଂସା ଓ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ସହୃଦୟରେ ଏହାକୁ ଗ୍ରହଣ କରୁଛି। ଜୟ ହିନ୍ଦ୍‍। ସୁରେଶ ରୈନା ୧୮ଟି ଟେଷ୍ଟମ୍ୟାଚ୍‍ରୁ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ସହ ୭୬୮ ରନ୍‍ କରିଛନ୍ତି। ସେ ୨୨୬ଟି ଦିନିକିଆ ଖେଳି ୫ଟି ଶତକ ଓ ୩୬ଟି ଅର୍ଦ୍ଧଶତକ ସହ ୫୬୧୫ ରନ୍‍ କରିଛନ୍ତି। ୭୮ଟି ଟ୍ୱେଣ୍ଟି୨୦ରୁ ରୈନା ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ୧୬୦୫ ରନ୍‍ କରିଛନ୍ତି।

Comments are closed.