କରୋନା ସଂକ୍ରମଣର ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ସହାୟତା ଯୋଗାଇଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଚୀନର ନାଗରିକମାନଙ୍କ ସହ ଭାରତର ଅଙ୍ଗିକାରବଦ୍ଧତା ରହିଛି ବୋଲି କହିଛନ୍ତି। ଚୀନ ରାଷ୍ଟ୍ରପତିଙ୍କୁ ଲେଖିଥିବା ପତ୍ରରେ ମୋଦୀ ଦର୍ଶାଇଛନ୍ତି ଯେ କରୋନା ଭୁତାଣୁରେ ସଂକ୍ରମିତ ହୋଇ ପ୍ରାଣ ହରାଉଥିବା ଚୀନର ନାଗରିକମାନଙ୍କ ପାଇଁ ଭାରତ ଦୁଃଖ ପ୍ରକାଶ କରୁଛି ଓ ଏହି ମହାମାରୀର ପ୍ରାଦୁର୍ଭାବ କମ କରିବା ଓ ମୁକାବିଲା ଦିଗରେ ଭାରତ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି।

ଗତ ବର୍ଷ ଡିସେମ୍ବରରେ ଚୀନର ହୁଆନ ଅଂଚଳରେ ପ୍ରଥମେ ଏହି ଭୁତାଣୁ ସଂକ୍ରମଣ ଦେଖା ଦେଇଥିଲା ଓ ପରେ ଆମେରିକା, ଜାପାନ ଏବଂ ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶକୁ ବ୍ୟାପି ଥିଲା। ୨୦୦୩ରେ ଚୀନରେ ଦେଖା ଦେଇଥିବା ସାର୍ଶ ମହାମାରୀ ଠାରୁ କରୋନା ଭୁତାଣୁ ଅଧିକ ଜୀବନ ନେଲାଣି। ଇତି ମଧ୍ୟରେ କରୋନା ସଂକ୍ରମଣ ଯୋଗୁ ସେଠାରେ ମୃତ୍ୟୁ ସଂଖ୍ୟା ୮୧୨ରେ ପହଂଚିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସମସ୍ୟା ଘୋଷଣା କରିଛି। ଚୀନ ସରକାର ଦେଶ ମଧ୍ୟରୁ ଓ ବାହାରକୁ ଯାତ୍ରା ଉପରେ କଟକଣା ଜାରି କରିବା ସହ ସାରା ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଭାରତ ସମେତ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଆମେରିକା ଓ ଅନ୍ୟ ୭ଟି ଦେଶ ଚୀନରେ ରହୁଥିବା ସେମାନଙ୍କ ନାଗରିକମାନଙ୍କୁ ନିଜ ଦେଶକୁ ଫେରାଇ ନେଇଛନ୍ତି।

Comments are closed.