ଗତବର୍ଷ ତୁଳନାରେ ମୋଦିଙ୍କ ସଂପତ୍ତି ବଢିଛି

ନୂଆଦିଲ୍ଲୀ: ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପତ୍ତି ପରିମାଣ ସାମାନ୍ୟ ବୃଦ୍ଧିପାଇଛି। ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ଯେ ମୋଦିଙ୍କର ନିଜର ଗାଡିମଟର ନାହିଁ। ପ୍ରଧାନମନ୍ତ୍ରୀଙ୍କ ୱେବସାଇଟ ସୂତ୍ରରୁ ଜଣାଯାଇଛି, ମୋଦିଙ୍କର ମୋଟ ସମ୍ପତ୍ତି ପରିମାଣ ଗତବର୍ଷ ୨.୮୫ କୋଟି ଟଙ୍କା ଥିବାବେଳେ ଚଳିତ ବର୍ଷ ତାହା ୩,୦୭,୬୮,୮୮୫ ଟଙ୍କା (୩.୭ କୋଟି) ହୋଇଛି। ଗତ ବର୍ଷକ ମଧ୍ୟରେ ତାଙ୍କ ମୋଟ ସମ୍ପତ୍ତିରେ ୨୨ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ସଦ୍ୟ କରାଯାଇଥିବା ଘୋଷଣା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କର ବ୍ୟାଙ୍କଜମା ପରିମାଣ ୧.୫ ଲକ୍ଷ ଟଙ୍କା ଓ ହାତରେ ନଗଦ ୩୬ ହଜାର ଟଙ୍କା ରହିଥିଲା। ଗାନ୍ଧୀନଗର ଷ୍ଟେଟବ୍ୟାଙ୍କରେ ତାଙ୍କର ରହିଥିବା ସ୍ଥାୟୀ ଜମା ବାବଦ ସୁଧ କାରଣରୁ ତାଙ୍କର ମୋଟ ସମ୍ପତ୍ତିରେ ବୃଦ୍ଧି ଘଟିଛି। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଉକ୍ତ ବ୍ୟାଙ୍କରେ ମୋଦିଙ୍କର ୧.୮୬ କୋଟି ଟଙ୍କାର ସ୍ଥାୟୀ ଜମା ରହିଥିଲା, ଯାହା ଗତବର୍ଷ ୧.୬ କୋଟି ଟଙ୍କା ଥିଲା। ଘୋଷଣାନାମା ଅନୁଯାୟୀ ଷ୍ଟକ ବଜାରରେ ଅଥବା ମ୍ୟୁଚୁଆଲ ଫଣ୍ଡରେ ତାଙ୍କର କୌଣସି ଅଂଶଧନ ନାହିଁ। ସେ ଜାତୀୟ ସଞ୍ଚୟ ସାର୍ଟିଫିକେଟରେ ୮,୯୩,୨୫୧ କୋଟି ଟଙ୍କା, ଜୀବନ ବୀମା ପଲିସୀରେ ୧,୫୦,୯୫୭ ଲକ୍ଷ ଟଙ୍କା, ଏଲଆଣ୍ଡଟି ସଂରଚନା ବଣ୍ଡ୍‍ ରେ ୨୦ ହଜାର ଟଙ୍କା ନିବେଶ କରିଛନ୍ତି। ତାଙ୍କ ପାଖରେ ଚାରିଟି ସୁନା ମୁଦି ରହିଛି, ଯାହାର ମୂଲ୍ୟ ୧.୪୮ ଲକ୍ଷ ଟଙ୍କା। ମୋଦି କୌଣସି ଋଣ ନେଇନାହାନ୍ତି କିମ୍ବା ତାଙ୍କର କୌଣସି ଦେଣା ନାହିଁ। ତାଙ୍କ ନାମରେ ବ୍ୟକ୍ତିଗତ ଯାନବାହନ ମଧ୍ୟ ନାହିଁ। ଗାନ୍ଧୀନଗର ଠାରେ ଥିବା ସମ୍ପତ୍ତିରେ ମୋଦିଙ୍କ ସହିତ ଅନ୍ୟ ତିନିଜଣ ମଧ୍ୟ ଯୁଗ୍ମ ଅଂଶୀଦାର ରହିଛନ୍ତି।

Comments are closed.