କରୋନା ସ୍ଥିତି ନେଇ ଇଜିପ୍ଟ ଏବଂ ଅଷ୍ଟ୍ରିଆ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା କରୋନା ମହାମାରୀ ସମ୍ପର୍କରେ ଇଜିପ୍ଟ ଏବଂ ଅଷ୍ଟ୍ରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି। ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେ ଅଲ ସିସିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିବା ଅବସରରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ଅତ୍ୟନ୍ତ ଉତ୍ସାହଜନକ ଥିବା ଉଭୟ ନେତା ପ୍ରକାଶ କରିଥିଲେ। ରାଷ୍ଟ୍ରପତି ଅବଦେଲ ଭାରତ ବିଶ୍ୱର ସର୍ବପୂରାତନ ସଭ୍ୟତା ବୋଲି କହିଥିଲେ। କରୋନା ମହାମାରୀ ସମୟରେ ଇଜିପ୍ଟରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଥିଲେ। କରୋନା ମହାମାରୀର ପ୍ରକୋପ କମିବା ପରେ ରାଷ୍ଟ୍ରପତିଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ଶ୍ରୀ ମୋଦୀ ନିମନ୍ତ୍ରଣ କରିଥିଲେ।

ଅନ୍ୟ ପକ୍ଷରେ ଅଷ୍ଟ୍ରିଆ ରାଷ୍ଟ୍ରପତି ଡକ୍ଟର ଆଲେକ୍‍ଜଣ୍ଡାରଙ୍କ ସହ କଥାବାର୍ତ୍ତା ସମୟରେ ଅମ୍ପନ୍‍ ସାମୁଦ୍ରିକ ବାତ୍ୟା ଦ୍ୱାରା ଭାରତରେ ଘଟିଥିବା କ୍ଷୟକ୍ଷତିକୁ ନେଇ ଅଷ୍ଟ୍ରିଆ ରାଷ୍ଟ୍ରପତି ସମବେଦନା ଜଣାଇଥିଲେ। କରୋନା ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ଦେଖାଦେଇଥିବା ପ୍ରତିକୂଳ ପ୍ରଭାବକୁ କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ଦୁଇ ନେତା ମତ ବିନିମୟ କରିଥିଲେ। ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଭିତ୍ତିଭୂମି, ପ୍ରଯୁକ୍ତି ବିଦ୍ୟା, ଗବେଷଣା ଏବଂ ଏମ୍‍.ଏସ୍‍.ଏମ୍‍.ଇ. କ୍ଷେତ୍ରରେ ବ୍ୟାପକ ଉନ୍ନତି ଘଟିବ ବୋଲି ଦୁଇ ନେତା ଆଶାବ୍ୟକ୍ତ କରିଥିଲେ।

Comments are closed.