ପୁନେର ନର୍ସ ଛାୟାଙ୍କ ସହ କଥା ହେଲେ ମୋଦୀ – ସେବା ପାଇଁ ପ୍ରଶଂସା କଲେ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୁତାଣୁ ସଂକ୍ରମଣ ରୋଗୀଙ୍କ ଚିକିତ୍ସା କରୁଥିବା ମହାରାଷ୍ଟ୍ରର ସରକାରୀ ନାଇଡୁ ହସ୍ପିଟାଲର ଜଣେ ନର୍ସଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନରେ କଥା ହୋଇଛନ୍ତି ଓ ତାଙ୍କର ଅତୁଳନୀୟ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି। ସେହି ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ମଧ୍ୟ ମୋଦୀ ସେମାନଙ୍କର ସେବା ମନୋଭାବ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପୁନେ ମହାନଗରପାଳିକାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ସନ୍ଧ୍ୟାରେ ସେବିକା ଛାୟା ଜଗତାପଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଓ ଛାୟାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ରେକର୍ଡିଙ୍ଗ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି।

ମୋଦୀ ପ୍ରଥମେ ମରାଠୀ ଭାଷାରେ କଥା ଆରମ୍ଭ କରି କହିଛନ୍ତି,’କୁଶଲ ଖେମ ପୁଛି’। ତା ପରେ ପ୍ରଧାନମନ୍ତ୍ରୀ ସେବିକା ଛାୟାକୁ କହିଛନ୍ତି ଯେ, ଆପଣ ସମ୍ପୂର୍ଣ୍ଣ ଏକାଗ୍ରତାର ସହ କରୋନା ସଂକ୍ରମଣ ପିଡୀତଙ୍କ ଚିକିତ୍ସା କରୁଛନ୍ତି, ତେବେ ଆପଣଙ୍କ ପରିବାର ଆପଣଙ୍କ ସୁରକ୍ଷା ନେଇ ଚିନ୍ତା କରୁଥିବେ ତେଣୁ ଆପଣ ସେମାନଙ୍କୁ କଣ କହି ବୁଝାଉଛନ୍ତି। ଜଗତାପ କହିଥିଲେ ଯେ ମୁଁ ମୋ ନିଜ ପରିବାରକୁ ନେଇ ଚିନ୍ତିତ କିନ୍ତୁ ରୋଗୀମାନଙ୍କ ସେବା ତ କରିବାକୁ ପଡିବ। ମୁଁ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛି। ପ୍ରଧାନମନ୍ତ୍ରୀ ପଚାରିଥଲେ ଯେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ଭୟ କରୁଛନ୍ତି କି? ଉତ୍ତରରେ ସେବିକାଜଣଙ୍କ କହିଥିଲେ ଯେ ଆମେ ରୋଗୀମାନଙ୍କ ସହ ନିରନ୍ତର କଥା ହେଉଛୁ ଓ ସେମାନଙ୍କୁ ଭୟ ନ କରିବାକୁ କହୁଛୁ। ଆମେ ସେମାନଙ୍କୁ ଆଶ୍ୱାସନା ଦେଉଛୁ ଓ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ବୋଲି ମଧ୍ୟ କହୁଛୁ। ସେହି ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀମାନେ ସଂକ୍ରମିତ ରୋଗୀଙ୍କ ମନୋଭାବ ଦୃଢ କରିବା ପାଇଁ ସେମାନଙ୍କ ସହ କଥା ହେଉଛୁ ବୋଲି କହିଥିଲେ।

ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ୭ଜଣ ସଂକ୍ରମିତ ସୁସ୍ଥ ହେବ ପରେ ସେମାନଙ୍କୁ ଛାଡି ଦିଆଯାଇଛି। ଏଭଳି କାର୍ଯ୍ୟରେ ନିୟୋଜିତ ଥିବା ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କେଉଁ ବାର୍ତ୍ତା ଦେବେ ବୋଲି ମୋଦୀ ତାଙ୍କୁ ପଚାରିଥିଲେ। ଜଗତାପ କହିଥିଲେ ଯେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ, ଆମକୁ ଏହି ରୋଗ ସହ ଲଢ଼ିବାକୁ ହେବ ଓ ଭାରତକୁ ଜିତେଇବାକୁ ହେବ ତେଣୁ ଏହା ହସ୍ପିଟାଲ ଓ ସେମାନଙ୍କ କର୍ମଚାରୀଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଜଗତପଙ୍କ ସେବା ଓ ନିଷ୍ଠାପର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ କହିଥିଲେ ଯେ ଆପଣଙ୍କ ଭଳି ଲକ୍ଷ ଲକ୍ଷ ସେବିକା, ପାରାମେଡିକାଲ କର୍ମଚାରୀ ଓ ଡାକ୍ତର ପ୍ରକୃତ ଅର୍ଥରେ ତପସ୍ୱୀ ଅଟନ୍ତି। ଜଗତପ କହିଥିଲେ ଯେ ମୁଁ କେବଳ ମୋ କାର୍ଯ୍ୟ କରୁଛି କିନ୍ତୁ ଆପଣ ୨୪ ଘଣ୍ଟା ଦେଶ ସେବାରେ ଲାଗିଛନ୍ତି ତେଣୁ ଆପଣଙ୍କ ନିକଟରେ ଆମେ କୃତଜ୍ଞ। ସେ କହିଥିଲେ ଯେ ଆପଣଙ୍କ ଭଳି ପ୍ରଧାନମନ୍ତ୍ରୀ ପାଇ ଦେଶ ଗୌରବାନ୍ୱିତ।

Comments are closed.