କରୋନା ଲେଉଟାଣି ରୋକିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ: ତ୍ବରିତ ଓ ଦୃଢ ପଦକ୍ଷେପ ନିଅ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଲେଉଟାଣିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ବୈଠକରେ କରୋନା ସଂକ୍ରମଣ ରୋକିବାକୁ ତ୍ବରିତ ଓ ଦୃଢ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି। ଏହା ସହିତ କରୋନା ଭୂତାଣୁର ବିଭିନ୍ନ ଭାରିଏଣ୍ଟକୁ ଚିହ୍ନଟ ସହ ଏହାର ପ୍ରଭାବକୁ ଆକଳନ କରିବାକୁ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ ଭୟଭୀତ ନ କରି ସଂକ୍ରମଣ ରୋକିବା ଲାଗି ସଚେତନ କରାଇବା ଦରକାର। କରୋନା ଭୂତାଣୁ ବିରୋଧରେ ଲଢିବାର ଯେଉଁ ଆତ୍ମବିଶ୍ବାସ ଆମ ମଧ୍ୟରେ ସୃଷ୍ଟି ହୋଇଛି ତାକୁ ଅବହେଳା ପୂର୍ବକ ହରାଇବା ନାହିଁ; ବରଂ ଆମର ରଣନୀତିକୁ ତ୍ବରାନ୍ବିତ କରିବା ଦରକାର। ଯେପରିକି ସ୍ବାବ ନମୁନା ପରୀକ୍ଷା, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଚିହ୍ନଟ କରିବା ଓ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ
ଲୋକଙ୍କୁ ଚିହ୍ନଟ କରିବା ଲାଗି ଆମେ ପଦକ୍ଷେପ ନେବା ଦରକାର। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଆରଟିପିସିଆର ପରୀକ୍ଷା ହାରକୁ ବଢାଇବାକୁ ପଡିବ। ଏପରିକି ଆରଟିପିସିଆର ପରୀକ୍ଷାର ହାର ୭୦%ରୁ ଅଧିକ ରହିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ପ୍ରଭାବିତ ବିଶ୍ବର ଅନ୍ୟ ଦେଶଗୁଡିକ ସଂକ୍ରମଣର ବିଭିନ୍ନ ଲହର ଦେଖିସାରିଛନ୍ତି। ଆମ ଦେଶର କେତେକ ରାଜ୍ୟରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି। ସଂକ୍ରମଣର ଏହି ଲହରକୁ ରୋକିବା ଲାଗି ଆମେ ତତ୍ପର ହେବା ଆବଶ୍ୟକ। ଛୋଟ ସହରଗୁଡିକରେ ନମୁନା ପରୀକ୍ଷା ବଢାଇବାକୁ ହେବ। ସଂକ୍ରମିତଙ୍କ ଚିକିତ୍ସା ଓ ଆମ୍ବୁଲାନ୍ସ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ହେବ। ଆମ ଦେଶରେ ଯେଉଁ ସଂଖ୍ୟାରେ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୯୬% ସୁସ୍ଥ ହୋଇଛନ୍ତି। ଭାରତ ଏକମାତ୍ର ଦେଶ ଯେଉଁଠାରେ କରୋନାର ମୃତ୍ୟୁହାର ସବୁଠାରୁ କମ୍। ମୋଦୀ କହିଛନ୍ତି ଯେ ଭାରତରେ କରୋନା ଟିକାକରଣ ବେଗ ସବୁଠାରୁ ଅଧିକ। ଭାରତରେ ଗୋଟିଏ ଦିନରେ ୩୦ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି। ତେବେ ଦେଶରେ ଟିକା ନଷ୍ଟ ହେବା ଏକ ଉଦ୍‌ବେଗର ବିଷୟ। କାରଣ ଏହା ଆମ ପାଇଁ ଏକ ମୂଲ୍ୟବାନ ସାମଗ୍ରୀ। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ୧୦% ଅଧିକ ଟିକା ନଷ୍ଟ ହୋଇଛି। ଟିକା ନଷ୍ଟ ହେବାର କାରଣ ସମ୍ପର୍କରେ ସମୀକ୍ଷା କରାଯିବା ଦରକାର ବୋଲି ସେ କହିଛନ୍ତି। ଟିକା ନଷ୍ଟକୁ ରୋକିବାକୁ ଆମେ ପ୍ରତିସନ୍ଧ୍ୟାରେ ସମୀକ୍ଷା କରିବା ଦରକାର। କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କର ଏହା ୧୧ତମ ବୈଠକ ଥିଲା। ଏହା ପୂର୍ବରୁ ଗତ ଜାନୁଆରୀରେ କରୋନା ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମୋଦୀ କଥା ହୋଇଥିଲେ। ତେବେ ବୁଧବାର ଭର୍ଚୁଆଲ ବୈଠକରେ ପଶ୍ଚିମବଙ୍ଗ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ।
କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ରୋକିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଥିବାବେଳେ ଦେଶରେ ଦୈନିକ ସଂକ୍ରମଣ ଅହେତୁକ ବୃଦ୍ଧି ପାଇଛି। ବୁଧବାର ସମଗ୍ର ଦେଶରେ ୨୮,୯୦୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୮୮ଜଣଙ୍କର ମୃତ୍ୟୁ ହୋଇଛି। ଏପରିକି ଦେଶରେ ୭୦ଟି ଜିଲାରେ ସଂକ୍ରମଣ ୧୫୦% ବୃଦ୍ଧି ପାଇଛି। ମାର୍ଚ୍ଚ ୧ରୁ ୧୫ ତାରିଖ ମଧ୍ୟରେ ଏହି ସଂକ୍ରମଣ ବୃଦ୍ଧି ପାଇଛି। ନୂଆ ସଂକ୍ରମିତଙ୍କ ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୪,୩୮,୭୩୪ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୧,୫୯,୦୪୪ରେ ପହଞ୍ଚିଛି। ଦେଶରେ ଏବେ ୨,୩୪,୪୦୬ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୧,୧୦,୪୫,୨୮୪ ଜଣ ସୁସ୍ଥ ହୋଇଛନ୍ତି। ବୁଧବାର ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ଓ କେରଳରେ ୮୩.୯୧ ପ୍ରତିଶତ ଆକ୍ରାନ୍ତ ଅଛନ୍ତି। କେବଳ ମହାରାଷ୍ଟ୍ରରେ ଗତ ୨୪ଘଣ୍ଟା ମଧ୍ୟରେ ୨୩,୧୭୯ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୮୪ଜଣଙ୍କର ମୃତ୍ୟୁ ହୋଇଛନ୍ତି। ଅନ୍ୟପଟେ ବୁଧବାର ସକାଳ ସୁଦ୍ଧା ଭାରତରେ ୩କୋଟି ୫୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କରୋନା ଟିକା ଦିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ସଂକ୍ରମଣକୁ ନେଇ ଗୁଜରାଟର ସୁରତ ସହରରେ ନୂଆ ଗାଇଡଲାଇନ ଜାରି କରାଯାଇଛି। ସହରକୁ ବାହାରୁ ଆସୁଥିବା ଲୋକଙ୍କୁ ୭ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଯେଉଁମାନଙ୍କଠାରେ କରୋନା ଲକ୍ଷଣ ଦେଖାଯାଉଥିବ ସେମାନେ ତୁରନ୍ତ ପରୀକ୍ଷା କରାଇବା ବାଧ୍ୟତାମୂଳକ। ନଚେତ ସେମାନଙ୍କ ବିରୋଧରେ ମହାମାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ସୁରତ ମ୍ୟୁନିସିପାଲ କର୍ପୋରେସନ (ଏସଏମ୍‌ସି) ଅଧୀନ ସମସ୍ତ ପାର୍କକୁ ଅନିର୍ଦିଷ୍ଟ ସମୟ ପାଇଁ ବନ୍ଦ ରଖାଯାଇଛି। ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରରେ ଅନଲାଇନରେ ପାଠ ପଢାହେବ।

Comments are closed.