ମୋ ନାଁରେ ମୋଦୀ ଦେଶକୁ ବିଭ୍ରାନ୍ତ କରୁଛନ୍ତି – ଗେହେଲଟ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନାମ ବ୍ୟବହାର କରି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଅଭିଯୋଗ କରିଛନ୍ତି। ସଂସଦରେ ଅମିତ ଶାହା ଏବଂ ଆଜି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନାମ ନେବା ଆଳରେ ଦେଶବାସୀଙ୍କ ଭୂଲ ତଥ୍ୟ ଦେଉଛନ୍ତି ବୋଲି ସେ କହିଛନ୍ତି। ଏକ ଟ୍ୱିଟ କରି ଗେହେଲଟ କହିଛନ୍ତି ଯେ ପାକିସ୍ତାନରେ ଉତ୍ପୀଡ଼ନ ସହ୍ୟ କରି ରାଜସ୍ଥାନ ସୀମାକୁ ଆସିଥିବା ଲୋକମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ସେ ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଅବଗତ କରିବା କଣ ଭୂଲ?

ଉତ୍ପୀଡ଼ନ ସହି ଭାରତକୁ ଆସୁଥିବା ଲୋକଙ୍କ ପାଇଁ କିଏ ପ୍ରତିବନ୍ଧକ ସୃଷ୍ଟି କରୁଛି ତାହା ସମସ୍ତେ ଜାଣନ୍ତି ବୋଲି ଗେହେଲଟ କହିଛନ୍ତି। ହିନ୍ଦୁ ହେଉ କି ମୁସଲିମ, ସଂଶୋଧିତ ନାଗରିକତା ଆଇନ ସମସ୍ତକ ପାଇଁ ଅସୁବିଧା ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ସ୍ବରାଷ୍ଟ୍ର ମନ୍ତ୍ରୀ ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା ଲାଗୁ କରିବା କଥା କହୁଛନ୍ତି କିନ୍ତୁ ଆସାମରେ ସେ ତାହା ଲାଗୁ କରି ପାରିନଥିଲେ।

ଆଜି ମୋଦୀ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ରାଲିକୁ ଉଦବୋଧନ ଦେବା ଅବସରରେ ସଂଶୋଧିତ ନାଗରିକତା ଆଇନ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ ଓ ଗେହେଲଟଙ୍କୁ ଦାୟୀ କରିଥିଲେ। ଅନ୍ୟ ପକ୍ଷରେ ୨୦୧୯ ଡିସେମ୍ବର ୧୧ରେ ଅମିତ ଶାହା ରାଜ୍ୟସଭାରେ ଗେହେଲଟଙ୍କ ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମଙ୍କୁ ପତ୍ର ଲେଖିବା ବିଷୟ ଉପସ୍ଥାପନା କରିଥିଲେ।

Comments are closed.