ଗଲୱାନ ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ଆହତ ହୋଇଥିବା ଯବାନମାନଙ୍କୁ ଭେଟିଛନ୍ତି। ଚିକିତ୍ସାରତ ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଅବସରରେ ମୋଦୀ ସେନା ଯବାନମାନଙ୍କୁ ସମ୍ବୋଧିତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ସେନା ଯବାନମାନେ ଯେଉଁ ବୀରତ୍ବର ସହ ଲଢେଇ କରିଛନ୍ତି ତାହା ଦେଶ ସବୁଦିନ ପାଇଁ ମାନେ ରଖିବ। ସେ କହିଛନ୍ତି ଯେ ଦେଶର ୧୩୦ କୋଟି ଜନସାଧାରଣ ସେମାନଙ୍କ ପ୍ରତି ଗର୍ଵ ଅନୁଭବ କରୁଛନ୍ତି। ସେମାନଙ୍କ ସାହସ ଓ ବୀରତ୍ୱ ଦେଶର ଯୁବ ପିଢିଙ୍କ ମନରେ ପ୍ରେରଣା ସୃଷ୍ଟି କରିଛି ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହତ ସେନା ଯବାନମାନଙ୍କ ନିକଟକୁ ଯାଇଥିଲେ ଓ ସେମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲେ। ସେ କହିଥିଲେ ଯେ ଗଲୱାନ ସଂଘର୍ଷରେ ପ୍ରାଣ ହରାଇଥିବା ଯବାନଙ୍କ ବଳିଦାନ ଭାରତୀୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବ। ସେ କହିଥିଲେ ଯେ ଆଜି ବିଶ୍ୱର ଯେଉଁ ସ୍ଥିତି ରହିଛି ସେ ସମୟରେ ଭାରତୀୟ ଯବାନଙ୍କ ଏଭଳି ପରାକ୍ରମ ପ୍ରଦର୍ଶନ ପରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡିକ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାରା ବିଶ୍ୱରେ ଏବେ ଆଲୋଚନା ହେଉଛି ଯେ ଭାରତୟ ସେନାଙ୍କ ଏଭଳି ପରାକ୍ରମ କିଭଳି ସମ୍ଭବ। ସେମାନେ ଆମ ଯବାନଙ୍କ ପରାକ୍ରମର ବିଶ୍ଳେଷଣ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଥିଲେ ଯେ ଆଜି ମୁଁ କେବଳ ଆପଣମାନଙ୍କୁ ପ୍ରଣାମ କରିବାକୁ ଆସିଛି। ଆପଣମାନଙ୍କୁ ସ୍ପର୍ଶ କରି, ଦେଖିବା ପରେ ମୁଁ ଏକ ଶକ୍ତି ଓ ପ୍ରେରଣା ମୋ ସାଥିରେ ନେଇ ଯାଉଛି।