ମୋଦୀ – ଇବ୍ରାହିମ ଉଦଘାଟନ କଲେ ୪ଟି ପ୍ରକଳ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲି ମିଳିତ ଭାବେ ଚାରୋଟି ମୁଖ୍ୟ ବିକାଶମୂଳକ ପ୍ରକଳ୍ପକୁ ଉଦ୍‍ଘାଟନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପ୍ରକଳ୍ପଗୁଡ଼ିକୁ ଉଦ୍‍ଘାଟନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ମାଲେରେ ଏଲ୍‍.ଇ.ଡି. ଲାଇଟ୍‍ ବ୍ୟବହାର ପାଇଁ ଏକ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଆଉ ଏକ ପ୍ରକଳ୍ପ ମାଳଦୀପରେ ରୂପେ କାର୍ଡ ପ୍ରଚଳନ ଆରମ୍ଭ ପାଇଁ ରହିଛି। ତିନୋଟି ମତ୍ସ୍ୟ ପ୍ରକ୍ରିୟାକରଣ କାରଖାନା ଉଦ୍‍ଘାଟନ କରାଯାଇଛି ଓ ମାଳଦୀପକୁ ଏକ ଫାଷ୍ଟ ଇଣ୍ଟରସେପ୍ଟର କ୍ରାପ୍ଟ ଉପହାର ସ୍ୱରୂପ ଦିଆଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ-ମାଳଦୀପ ସମ୍ପର୍କରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଭାବେ ଲିପିବଦ୍ଧ ହୋଇ ରହିବ। ସେ କହିଛନ୍ତି, ଏନ୍‍.ଡି.ଏ. ସରକାରଙ୍କ ‘ପ୍ରଥମେ ପଡ଼ୋଶୀ’ ନୀତି ଓ ମାଳଦୀପ ସରକାରଙ୍କ ‘ଭାରତ ପ୍ରଥମେ’ ନୀତି ଯୋଗୁଁ ଦୁଇ ଦେଶ ମଧ୍ୟରେ ପ୍ରାୟ ସବୁ କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗ ବୃଦ୍ଧି ପାଇଛି। ସେ କହିଛନ୍ତି, ଭାରତରେ ନିର୍ମିତ ଫାଷ୍ଟ ଇଣ୍ଟରସେପ୍ଟର କ୍ରାପ୍ଟ ମାଳଦୀପର ଉପକୂଳରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଛି। ଏହି ନିର୍ମାଣ ତାଙ୍କ ରାଜ୍ୟରେ ହୋଇଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ସେ ପୁଣି କହିଛନ୍ତି, ଫାଷ୍ଟ ଇଣ୍ଟରସେପ୍ଟର କ୍ରାପ୍ଟ ମାଳଦୀପର ସାମୁଦ୍ରିକ ନିରାପତ୍ତା ବୃଦ୍ଧି କରିବା ସହିତ ସାମୁଦ୍ରିକ ଅର୍ଥନୀତି ଓ ପର୍ଯ୍ୟଟନର ବିକାଶରେ ସାହାଯ୍ୟ କରିବ।ମୋଦୀ କହିଛନ୍ତି, ମାଳଦୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣା ବୃଦ୍ଧି ପାଇଛି ଓ ଏ କ୍ଷେତ୍ରରେ ଭାରତ ପଞ୍ଚମ ସ୍ଥାନରୁ ଦ୍ୱିତୀୟ ସ୍ଥାନରେ ରହିଛି।

ସେ କହିଛନ୍ତି, ରୁପେ ପେମେଣ୍ଟ ବ୍ୟବସ୍ଥା ମାଳଦୀପକୁ ଗସ୍ତ କରୁଥିବା ଭାରତୀୟଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ମାଳଦୀପର ହୁଲହୁଲ ମାଲେରେ ଏକ କର୍କଟ ଚିକିତ୍ସା କେନ୍ଦ୍ର ଏବଂ କ୍ରିକେଟ୍‍ ଷ୍ଟାଡିୟମ୍‍ ନିର୍ମାଣ ପାଇଁ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ମାଳଦୀପ ରାଷ୍ଟ୍ରପତି କହିଛନ୍ତି, ଭାରତ ଓ ମାଳଦୀପକୁ ଭାରତ ମହାସାଗର ସଂଯୋଗ କରୁଛି ଓ ଭାରତ ମହାସାଗରର ନିରାପତ୍ତା ଦୁଇଦେଶର ସମ୍ପର୍କରେ ଘନିଷ୍ଠତା ପାଇଁ ସାହାଯ୍ୟ କରିଛି। ସେ କହିଛନ୍ତି, ଫାଷ୍ଟ ଇଣ୍ଟରସେପ୍ଟର କ୍ରାପ୍ଟ ତାଙ୍କ ଦେଶର ସାମୁଦ୍ରିକ ନିରାପତ୍ତା ଓ ଉପକୂଳରକ୍ଷି ବାହିନୀର ଦକ୍ଷତା ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପଦ ସାବ୍ୟସ୍ତ ହେବ।

Comments are closed.