ଏସସିଓ ବୈଠକ: ଇମ୍ରାନଙ୍କ ଉପସ୍ଥିତିରେ ଆତଙ୍କବାଦ ପ୍ରସଙ୍ଗ ଉଠାଇବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚଳିତ ମାସ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ସାଂଘାଇ କୋଅପରେସନ ଅର୍ଗାନାଇଜେନ (ଏସସିଓ) ବୈଠକ। ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପସ୍ଥିତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗ ଉଠାଇବା ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ଉଦବୋଧନ ଦେବ ଏବଂ ଏହି ଅଞ୍ଚଳରେ ଆତଙ୍କବାଦକୁ ନେଇ ଭାରତର ଚିନ୍ତା ପ୍ରକଟ କରିବେ। ସୂଚନାଯୋଗ୍ୟ ଯେ ପାକିସ୍ତାନ ଦୀର୍ଘକାଳରୁ ନିଜ ଭୂଖଣ୍ଡରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହିତ ଭାରତ ବିରୁଦ୍ଧରେ ଜମ୍ମୁ କାଶ୍ମୀରରେ ଛାୟାଯୁଦ୍ଧ ଚଳାଇଛି। ଭାରତରେ ହେଉଥିବା ସମସ୍ତ ବଡ ଧରଣର ଆତଙ୍କି ଆକ୍ରମଣଈ ସଂପର୍କ ପାକିସ୍ତାନ ସହିତ ରହିଛି।

ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ପ୍ରକୋଷ୍ଠ ଦେଶରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ସମ୍ମୁଖକୁ ଆଣିବାର ଦିନ କେତେଟା ପରେ ଏସସିଓ ବୈଠଖ ଅନୁଷ୍ଠିତ ହେବାକୁ ଯାଉଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ ଗିରଫ ହୋଇଥିବା ଆତଙ୍କିଙ୍କ ମଧ୍ୟରୁ ଦୁଇଜଣ ପାକିସ୍ତାନରେ ତାଲିମ ନେଇଛନ୍ତି। ସେମାନେ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଆଦି ସ୍ଥାନରେ ଆତଙ୍କି ଆକ୍ରମଣ ଷଡଯନ୍ତ୍ର କରିଥିଲେ। କୁଖ୍ୟାତ ଅପରାଧୀ ଦାଉଦ ଇବ୍ରାହିମର ଭାଇ ଅନିସ ଇବ୍ରାହିମ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ମଧ୍ୟ ପୁଲିସ ଜାଣିବାକୁ ପାଇଛି। ଜାତିସଂଘ ନିରାପତ୍ତା ପରିଷଦ ଏବଂ ଜାତିସଂଘ ମାନବାଧିକାର ଆୟୋଗରେ ଆଫଗାନିସ୍ତାନ ପ୍ରସଙ୍ଗରେ ଭାରତ ଦେଇଥିବା ବିବୃତି ଆଧାରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟରେ ତାଲିବାନ ନାମ ନନେଇ ଆତଙ୍କବାଦ ବିରୁଦ୍ଧରେ କହିବେ ବୋଲିି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଏସସିଓ ବୈଠକ ଦୁସାନବେ ଠାରେ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆମେରିକାର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ତାଲିବାନ ସମେତ ହକାନି ଓ ଅନ୍ୟ ବିଭିନ୍ନ ଆତଙ୍କି ଗୋଷ୍ଠୀଙ୍କୁ ଆଶ୍ରୟ ଓ ସୁରକ୍ଷା ପ୍ରଦାନ କରୁଛି।

Comments are closed.