ପ୍ରଭାବୀ ପୁଲିସ ବ୍ୟବସ୍ଥା ହିଁ ମହିଳା ସୁରକ୍ଷାକୁ ସୁନିଶ୍ଚିତ କରିବ: ମୋଦୀ

ନୂଆଦିଲ୍ଲୀ : ଦେଶରେ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ପ୍ରଭାବୀ ପୁଲିସର ଭୂମିକା ପ୍ରଭାବୀ ରହିବା ଉପରେ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ ସଂପ୍ରତି ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଓ ନିର୍ଯାତନାକୁ ନେଇ ଦେଶବ୍ୟାପୀ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ସୃଷ୍ଟି ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବକ୍ତବ୍ୟ ଅଧିକ ଗୁରୁତ୍ବବହନ କରୁଛି।
ପୁଣେଠାରେ ପୁଲିସ ମହାନିର୍ଦେଶକ (ଡିଜିପି) ଓ ଆରକ୍ଷୀ ମହାନିରୀକ୍ଷକ (ଆଇଜିପି) ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ମହିଳା, ଶିଶୁ ଓ ସମାଜର ସବୁବର୍ଗର ଲୋକଙ୍କ ମଧ୍ୟରେ ପୁଲିସ ପ୍ରତି ରହିଥିବା ଛବିକୁ ବଦଳାଇବାକୁ ପଡିବ। ପୁଲିସ ଉପରେ ସେମାନେ କିଭଳି ଅଧିକ ଆସ୍ଥା ଓ ବିଶ୍ବାସ ରଖିବେ ଏବଂ ପୁଲିସ କିଭଳି ଅଧିକ ପ୍ରେରଣାଦାୟୀ ହୋଇପାରିବ ସେଥିପ୍ରତି ବରିଷ୍ଠ ପୁଲିସ ଅଧିକାରୀମାନେ ଅଧିକ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ପୁଲିସ କିଭଳି ନୂତନ ଜ୍ଞାନକୌଶଳକୁ ଅଧିକ ଆପଣେଇ ପୁଲିସ ବ୍ୟବସ୍ଥାକୁ ଅଧିକ ମଜବୁତ୍ କରିପାରିବ ସେଥିପ୍ରତି ଗୁରୁତ୍ବ ଦେବା ଜରୁରୀ। ପୁଲିସ ସେବା ସଂପର୍କରେ ଜାଣିବା ଲାଗି ସାଧାରଣ ନାଗରିକର ମତାମତ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦୈନନ୍ଦିନ କାର୍ଯ୍ୟରେ ପୁଲିସ ଅଧିକାରୀମାନେ ବେଶ୍‌ କିଛି ଚାପର ସାମ୍ନା କରୁଥିବାରୁ ଏହାକୁ ମୁକାବିଲା କରି କାର୍ଯ୍ୟ ସମ୍ପାଦନ କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି। ସମାଜର ଗରିବ ଓ ଦୁର୍ବଳ ବର୍ଗଙ୍କ କଲ୍ୟାଣ ଲାଗି ପୁଲିସ ବ୍ୟବସ୍ଥା କାର୍ଯ୍ୟ କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି।
କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକର ବିକାଶ ଲାଗି ପୂର୍ବାଞ୍ଚଳ ନୀତି ପ୍ରସ୍ତୁତ କରିଥିବାବେଳେ ଏହାକୁ ସବୁ ରାଜ୍ୟର ଡିଜିପିମାନେ ସ୍ବତନ୍ତ୍ର ଧ୍ୟାନଦେଇ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବା ଲାଗି ଉତ୍ତମ ବାତାବରଣ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଡିଜିପି ଓ ଆଇଜିପି ମାନଙ୍କୁ ଏହି ସମ୍ମିଳନୀରେ ଆହ୍ବାନ ଦେଇଥିବା ଜଣାପଡିଛି।

Comments are closed.