କର୍ଣ୍ଣାଟକ ଗସ୍ତରେ ମୋଦୀ; ବେଙ୍ଗାଲୁରୁରେ କଲେ ମସ୍ତିଷ୍କ ଅନୁସନ୍ଧାନ କେନ୍ଦ୍ରର ଉଦଘାଟନ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇ ସୋମବାର ରାଜଧାନୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ନବନିର୍ମିତ ମସ୍ତିଷ୍କ ଅନୁସନ୍ଧାନ କେନ୍ଦ୍ରର ଉଦଘାଟନ କରିଛନ୍ତି। ବେଙ୍ଗାଲୁରୁରେ କାର୍ଯ୍ୟକ୍ରମ ଶେଷ କରିବା ପରେ ମୋଦୀ ବାଗଚି-ପାର୍ଥସାରଥୀ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହି ସମୟରେ ସେ ବେଙ୍ଗାଲୁରୁରେ ଡ. ବିଆର ଆମ୍ବେଦକର ସ୍କୁଲ ଅଫ୍ ଇକୋନୋମିକ୍ସ ପରିଦର୍ଶନ କରିବେ। ଏହା ବ୍ୟତୀତ ବେସ୍ ୟୁନିଭର୍ସିଟିର ନୂତନ କ୍ୟାମ୍ପସ୍ ଉଦଘାଟନ ଏବଂ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ୧୫୦ ‘ଟେକ୍ନୋଲୋଜି ହବ୍’ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଯାହା ଶିଳ୍ପ ପରିବର୍ତ୍ତନ ଦ୍ୱାରା ବିକଶିତ ହୋଇଛି। ଏହାପରେ ସେ ୨୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ରେଳ ଏବଂ ସଡକ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

ବେଙ୍ଗାଲୁରୁ ପରେ ମୋଦୀ ମୈସୁରର ମହାରାଜା କଲେଜ ଗ୍ରାଉଣ୍ଡରେ ଏକ ସାଧାରଣ ସମାରୋହରେ ଯୋଗଦେବେ। ଏଠାରେ ସେ ନାଗନହାଲ୍ଲୀ ରେଳ ଷ୍ଟେସନରେ କୋଚିଂ ଟର୍ମିନାଲର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିସହ ସେ ଅଖିଳ ଭାରତୀୟ ପ୍ରତିଷ୍ଠାନରେ ଏକ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର ପର୍ସନ୍ସ ୱିଥ୍‌ କମ୍ୟୁନିକେସନ୍ ଡିସଅଡର୍ସ’ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାପରେ ସୋମବାର ସନ୍ଧ୍ୟାରେ ସେ ଶ୍ରୀ ସୁତ୍ତୂର ମଠ ଏବଂ ଶ୍ରୀ ଚାମୁଣ୍ଡେଶ୍ୱରୀ ମନ୍ଦିର ମଧ୍ୟ ପରିଦର୍ଶନ କରିବେ।

Comments are closed.