କୋଭିଡ-୧୯ ବିରୋଧୀ ଲଢେଇରେ ଦେଶର ସ୍ଵର ପାଲଟିବେ ‘ଆରଜେ’ : ପ୍ରଧାନମନ୍ତ୍ରୀ

ରେଡିଓ ଜକିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

-ଭାରତୀୟ ପରିବାରରେ ଆରଜେ ମାନେ ସଦସ୍ୟ ଭଳି ; ସେମାନେ ସଚେତନତାମୂଳକ ବାର୍ତ୍ତା ପ୍ରସାର କରିବା ଜରୁରୀ : ମୋଦୀ
-କୋଭିଡ୧୯ ବିରୋଧୀ ଲଢେଇରେ ଦେଶର ସ୍ଵର ପାଲଟିବା ପାଇଁ ଆରଜେ ମାନଙ୍କ ଶପଥ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓ ଜକି (ଆରଜେ) ମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁକ୍ରବାର ମତ ବିନିମୟ କରିଛନ୍ତି ।
କୋଭିଡ-୧୯ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଆରଜେ ମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଏହା ପ୍ରଶଂସାଯୋଗ୍ୟ ଯେ ଲକଡାଉନ୍ ସମୟରେ ମଧ୍ୟ ଆରଜେମାନେ ସେମାନଙ୍କ ଦାୟିତ୍ଵ ନିର୍ବାହ କରୁଛନ୍ତି ଏବଂ ଘରୁ କାର୍ଯ୍ୟକ୍ରମ ରେକର୍ଡ କରୁଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ, ସେମାନଙ୍କ କାର୍ଯ୍ୟକ୍ରମର ଲୋକପ୍ରିୟତା ପାଇଁ ସେମାନେ ଘରେ ଘରେ ଜଣେ ପରିବାର ସଦସ୍ୟ ଭଳି ପରିଚିତ । ଅନ୍ଧବିଶ୍ଵାସ ଦୂରକରିବାରେ ଏବଂ ଲୋକମାନଙ୍କୁ ପ୍ରେରିତ କରିବାରେ ଆରଜେ ମାନଙ୍କ ଭୂମିକା ଅତି ଗୁରୁତ୍ଵପୂର୍ଣ ।
ବିଶେଷଜ୍ଞ ମାନଙ୍କ ମତ ଏବଂ ସରକାରଙ୍କ ଦ୍ଵାରା ନିଆଯାଉଥିବା ପଦକ୍ଷେପର ପ୍ରସାର ଛଡା ଲୋକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଆହ୍ଵାନ ସମ୍ପର୍କରେ ମଧ୍ୟ ମତାମତ ଦେବାପାଇଁ ଆରଜେ ମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ଯାହାଫଳରେ ସରକାର ସେଗୁଡିକର ସମାଧାନ କରିପାରିବେ।
କରୋନା ସଂକ୍ରମଣରୁ ସମ୍ପୂର୍ଣ ମୁକ୍ତି ଲାଭ କରିଥିବା ରୋଗୀଙ୍କ ବିଷୟରେ ସକାରାତ୍ମକ ଖବର ପରିବେଷଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଆରଜେ ମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ହିରୋ ଯେପରିକି ପୁଲିସ ଅଧିକାରୀ, ଡାକ୍ତର, ନର୍ସ, ୱାର୍ଡ ବଏ ଆଦିଙ୍କ ଯୋଗଦାନକୁ ବିଶେଷଭାବେ ଉଲ୍ଲେଖ କରିବା ପାଇଁ ମଧ୍ୟ ସେ କହିଥିଲେ ।
କରୁଣା ଭାବର ଗୁରୁତ୍ଵ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଏୟାରଲାଇନ ଷ୍ଟାଫଙ୍କ ପ୍ରତି ହେଉଥିବା ଖରାପ ବ୍ୟବହାର ବିଷୟରେ ଖବର ପରିବେଷଣ ଅତି ଜରୁରୀ ଯାହାଫଳରେ ଲୋକଙ୍କ ମନରୁ ଭୟ ଦୂର ହେବ ଓ ଏହି ଆହ୍ଵାନର ସଫଳ ମୁକାବିଲା କରାଯାଇପାରିବ । ଉତ୍ସର୍ଗୀକୃତ ଭାବେ କାର୍ୟ୍ୟ କରୁଥିବା ପୁଲିସ ଅଧିକାରୀଙ୍କ ବିଷୟରେ ମଧ୍ୟ ଚର୍ଚ୍ଚା ହେବ ଆବଶ୍ୟକ । ଲୋକମାନେ ସମସ୍ତ ନିୟମର ଅନୁପାଳନ କରିବା ଓ ପୁଲିସକୁ ସାହାଯ୍ୟ କରିବା ଏକାନ୍ତ ଜରୁରୀ । ଏହି ମହାମାରୀ ମୁକାବିଲାରେ ସମସ୍ତ ୧୩୦ କୋଟି ଭାରତୀୟ ଏକାଠି ପ୍ରୟାସ କରିବା ପାଇଁ ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ଗରିବ ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାଗୁଡିକ ବିଷୟରେ ସମସ୍ତ ସୂଚନା ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ଗଣ ଯୋଗାଯୋଗ କର୍ମୀ ଭାବେ ଆରଜେ ମାନେ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ପଦକ୍ଷେପ ଓ ସାମାଜିକ ଦୂରତା, ସଙ୍ଗରୋଧ ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଚିତ।
ପ୍ରତ୍ୟୁତ୍ତରରେ ଆରଜେ ମାନେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କ କ୍ଷେତ୍ରର ଅଂଶବିଶେଷ ବୋଲି କହିଥିଲେ ଯେହେତୁ ସେ ୨୦୧୪ ମସିହାରୁ ସଫଳତାପୂର୍ବକ ମନ୍ କି ବାତ ରେଡିଓ କାର୍ଯ୍ୟକ୍ରମ କରିଆସୁଛନ୍ତି । ସେମାନେ ଜନତା କର୍ଫ୍ୟୁର ଅଭୂତପୂର୍ବ ସଫଳତା ତଥା କୋଭିଡ-୧୯ ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଅଭିନବ ଚିନ୍ତା ଓ ନେତୃତ୍ଵର ପ୍ରଶଂସା କରିଥିଲେ । ଏହି ମହାମାରୀ ବିରୋଧୀ ଲଢେଇରେ ସାମିଲ ହେବା ସେମାନଙ୍କ ପାଇଁ ଅତି ଖୁସିର ବିଷୟ ବୋଲି ଆରଜେ ମାନେ ପ୍ରକାଶ କରିଥିଲେ ।
ମିଥ୍ୟା ଓ ଗୁଜବ ପ୍ରସାରଣକୁ ରୋକିବାରେ ଆକାଶବାଣୀ ଅତି ଗୁରୁତ୍ଵପୂର୍ଣ ଭୂମିକା ତୁଲାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ସମସ୍ତ ଆରଜେ ମାନଙ୍କୁ ମଧ୍ୟ ଏ ଦିଗରେ କାର୍ଯ୍ୟ କରିବାକୁ କହିଥିଲେ ।

Comments are closed.