ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହିତ ଏକାଧିକ ପ୍ରକଳ୍ପ ଲୋକାର୍ପିତ

କେଦାରନାଥ ଧାମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଦେବଭୂମି ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପହଞ୍ଚିଛନ୍ତି । ନୂଆଦିଲ୍ଲୀୁ ପ୍ରଧାନମନ୍ତ୍ରୀ ଡେରାଡୁନ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଉପରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ (ଅବସରପ୍ରାପ୍ତ) ସ୍ୱାଗତ କରିଥିଲେ । ସେଠାରୁ ପ୍ରଧାନମନ୍ତ୍ରୀ କେଦାରନାଥ ଧାମ ଅଭିମୁଖେ ଯାତ୍ରା କରିଥିଲେ । ପୀଠରେ ପହଞ୍ଚି ପ୍ରଧାନମନ୍ତୀ ପୂଜାର୍ଚ୍ଚନା କରିଥିଲେ । ସୂଚନାଯୋଗ୍ୟ ଯେ ୨୦୧୩ରେ ବାଦଲଫଟା ବର୍ଷା ବିତ୍ପାଦରେ କେବଳ ମନ୍ଦିରକୁ ଛାଡି କେଦାରନାଥରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଉକ୍ତ ସ୍ଥାନରେ ପୁନଃନିର୍ମାଣ ସହିତ ସେହି ପ୍ରଳୟରେ କ୍ଷତିଗ୍ରସ୍ତ ହୋଇଥିବା ଆଦି ଶଙ୍କରାଚାର୍ଯ୍ୟଙ୍କର ୧୨ ଫୁଟ ଉଚ୍ଚତାର ପ୍ରତିମା ଏବଂ ସମାଧି ମଧ୍ୟ ନୂଆ କରି ନିର୍ମାଣ କରାଯାଇଛି । ତାହାକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ପ୍ରତିମାର ଓଜନ ୩୫ ଟନ୍‍ ଏବଂ ୨୦୧୯ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କର କେଦାରନାଥକୁ ଏହା ପଞ୍ଚମ ଥର ଗସ୍ତ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ଅନେକ ଥର କେଦାରନାଥ ଆସି ପୂଜାର୍ଚ୍ଚନା କରିଛନ୍ତି ।
ସୂଚନାଯୋଗ୍ୟ ଯେ ଅଷ୍ଟମ ଶତାବ୍ଦୀର ହିନ୍ଦୁ ଧର୍ମର ଗୁରୁ ଆଦି ଶଙ୍କରାଚାର୍ଯ୍ୟ କେଦାରନାଥରେ ମୋକ୍ଷ ପ୍ରାପ୍ତ ହୋଇଥିଲେ । ଉକ୍ତ ସ୍ଥାନରେ ତାଙ୍କର ସମାଧି ନିର୍ମାଣ କରାଯାଇଥିଲା । ୨୦୧୩ ପ୍ରଳୟରେ କ୍ଷତିଗ୍ରସ୍ତ ଉକ୍ତ ସମାଧି ପୁନଃନିର୍ମାଣ କରାଯିବା ପରେ ପ୍ରଧାନମନ୍ତ୍ରୀ ତାହାକୁ ଶୁକ୍ରବାର ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ଥଳ ଏବଂ ଚାରି ଶଙ୍କରାଚାର୍ଯ୍ୟଙ୍କ ମଠ ସହିତ ଆଦି ଶଙ୍କାରାଚାର୍ଯ୍ୟଙ୍କ ଜନ୍ମସ୍ଥଳ ଏବଂ ଦେଶର ବିଭିନ୍ନ ପ୍ରତିଷ୍ଠିତ ଦେବାଳୟଗୁଡିକରେ ସିଧା ପ୍ରସାରଣ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ୪୦୦ କୋଟି ଟଙ୍କା ବ୍ୟୟରେ କେଦାରପୁରୀ ପୁନର୍ଗଠନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଆକାଂକ୍ଷିତ ପ୍ରକଳ୍ପ ବୋଲି କୁହାଯାଉଛି ଏବଂ ପ୍ରଧାନମନ୍ତ୍ରୀ ନିଜେ ସମୟାନ୍ତରରେ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଏହି ଗସ୍ତ ଅବସରରେ ଅଳକାନନ୍ଦା ନଦୀ ଉପରେ ନିର୍ମିତ ଏକ ସେତକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ ।

Comments are closed.