ପୁଲିସ ମୁଖ୍ୟମାନଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି

ସାଇବର ଅପରାଧ, ମାଓବାଦୀ ହିଂସା, ଆତଙ୍କବାଦ ମୁଖ୍ୟ ଆଲୋଚନାର ବିଷୟ

ଲଖନଉ: ଏଠାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପୁଲିିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀ ଆୟୋଜିତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଥିରେ ଯୋଗ ଦେଇଛନ୍ତି । ଦିନ ସାରା ମୋଦି ସମ୍ମିଳନୀରେ ଉପସ୍ଥିତ ଥିଲେ । ମାଓବାଦୀଙ୍କ ଦ୍ୱାରା ଘଟାଯାଉଥିବା ହିଂସାକାଣ୍ଡ, ଆତଙ୍କିଙ୍କୁ ସାହାଯ୍ୟ ସହଯୋଗ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ସାଇବର ଅପରାଧ ଆଦି ଅଲୋଚନାରେ ମୁଖ୍ୟ ବିଷୟ ଭାବରେ ସ୍ଥାନ ପାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏନଏସଏ ଅଜିତ ଡୋଭଲଙ୍କ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକ, କେନ୍ଦ୍‍୍ରୀୟ ପୁଲିସ ସଂଗଠନର ମୁଖ୍ୟ ଏବଂ ୩୫୦ ଜଣ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି । ଏହି ତିନିଦିନିଆ ସମ୍ମିଳନୀ ରବିବାର ଦିନ ଉଦଯାପିତ ହେଉଛି । ସୂଚନାଯୋଗ୍ୟ ଯେ ୨୦୧୪ରୁ ପ୍ରଧାନମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକମାନଙ୍କର ସମ୍ମିଳନୀକୁ ନେଇ ବିଶେଷ ଆଗ୍ରହ ପ୍ରଦର୍ଶନ କରିଆସୁଛନ୍ତି ।
ଗୁଇନ୍ଦା ବ୍ୟୁରୋ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଇଥିବାବେଳେ ଏହା ହାଇବ୍ରିଡ ଢାଞ୍ଚାରେ ଅନୁଷ୍ଠିତ ହେଉଛି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବଂ ଅନ୍ୟ ପୁଲିସ ସଂଗଠନର ମୁଖ୍ୟମାନେ ଶାରୀରିକ ଭାବରେ ଏହି ସମ୍ମିଳନୀରେ ଉପସ୍ଥିତ ଥିବାବେଳେ ଦେଶର ବିଭିନ୍ନ ୩୭ଟି ସ୍ଥାନରୁ ଅନ୍ୟ ଆମନ୍ତ୍ରିତ ବ୍ୟକ୍ତିମାନେ ଭର୍ଚୁଆଲ ପଦ୍ଧତିରେ ଯୋଗଦେଇଥିଲେ । ପୂର୍ବରୁ ଏହି ସମ୍ମିଳନୀ ୨୦୧୪ରେ ଗୁଆହାଟି, ୨୦୧୫ରେ ରାନ୍‍ ଅଫ କଛ, ୨୦୧୬ରେ ନ୍ୟାସନାଲ ପୁଲିସ ଏକାଡେମୀ, ହାଇଦରାବାଦ, ୨୦୧୭ରେ ମଧ୍ୟପ୍ରଦେଶର ଟେକାନପୁର, ୨୦୧୮ରେ ଗୁଜରାଟର କେଭାଡିୟା ଏବଂ ୨୦୧୯ରେ ପୁଣେସ୍ଥିତ ଆଇଜର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ ସମ୍ମିଳନୀ ମଧ୍ୟରୁ ଅଳ୍ପକିଛି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ନୀତିଗତ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ଏବଂ ଦେଶର ପୁଲିସ ବ୍ୟବସ୍ଥାରେ ଉନ୍ନତି ସାଧିତ ହୋଇଛି ।

Comments are closed.