ଦେଶ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ସେବା କଦାପି ଭୁଲିବ ନାହିଁ – ପ୍ରଧାନମନ୍ତ୍ରୀ

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଦେହାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରିଛନ୍ତି ଯେ ଦେଶ ତାଙ୍କର ସେବା କଦାପି ଭୁଲିବ ନାହିଁ।ଦେଶର ବରିଷ୍ଠ ସେନାଧିକାରୀ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ଏକାକୀ ବଞ୍ଚିଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁ ହୋଇଥିବା ବାୟୁସେନା ଟ୍ୱିଟ କରି ଜଣାଇଛି।


ଡିସେମ୍ବର ୮ରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା ଓ ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଦକ୍ଷିଣ ତାମିଲନାଡୁର ଏକ ପାହାଡ ଉପରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା ସେଥିରେ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କୁ ଛାଡି ସମସ୍ତଙ୍କ ମୃତ୍ୟୁ ଘଟିଥିବା ବାୟୁସେନା ସ୍ପଷ୍ଟ କରିଥିଲା।

ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଦେହାନ୍ତରେ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରିଛି। ବାୟୁସେନା ଆନ୍ତରିକ ସମବେଦନା ଜଣାଇବା ସହ ଶୋକସନ୍ତପ୍ତ ପରିବାର ସହିତ ରହିଛି ବୋଲି ଟ୍ୱିଟ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଜଣେ ପ୍ରକୃତ ଯୋଦ୍ଧା ଥିଲେ ଯିଏ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିଥିଲେ।


୩୯ ବର୍ଷୀୟ ଗ୍ରୁପ୍ କ୍ୟାପଟେନ୍ ସିଂ ୱେଲିଙ୍ଗଟନ୍‌ର କ୍ୟାଣ୍ଟନମେଣ୍ଟ ଟାଉନ୍‌ରେ ଥିବା ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ କାର୍ଯ୍ୟ କରୁଥିଲେ, ଯେଉଁ ସ୍ଥାନକୁ ଦୁର୍ଘଟଣା ଦିନ ଜେନେରାଲ ରାୱତ ଏବଂ ତାଙ୍କ ସାଥୀମାନେ ଯାଉଥିଲେ। ଗ୍ରୁପ କ୍ୟାପଟେନ ବରୁଣ ସିଂ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ସୌର୍ଯ୍ୟ ଚକ୍ରରେ ସମ୍ମାନିତ ହୋଇଥିଲେ।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣାର ତଦନ୍ତ ପାଇଁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ କହିଛନ୍ତି ଯେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଅଞ୍ଚଳରେ ଖରାପ ପାଗର କୌଣସି ସୂଚନା ନ ଥିଲା କିମ୍ବା ସେହି ହେଲିକପ୍ଟରରେ ଥିବା କର୍ମଚାରୀଙ୍କ ତରଫରୁ କୌଣସି ଜରୁରୀକାଳୀନ ସଂକେତ (ଏସଓଏସ) ମିଳିନଥିଲା।

Comments are closed.