‘ଇଣ୍ଡିଆ ଆଇଡିଆ ସମ୍ମିଳନୀ’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ : ବିଶ୍ୱକୁ ଏକ ଉନ୍ନତ ଭବିଷ୍ୟତ ଆବଶ୍ୟକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ଆଇଡିଆ ସମ୍ମିଳନୀ’କୁ ସମ୍ବୋଧିତ କରୁଛନ୍ତି। ପରିଷଦ ଗଠନର ୪୫ ବର୍ଷ ପୂରଣ ହେବା ପରେ ଆମେରିକା-ଭାରତ ବ୍ୟବସାୟ ପରିଷଦ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ବର ଏକ ଉନ୍ନତ ଭବିଷ୍ୟତ ଆବଶ୍ୟକ ବୋଲି ଆମେ ସମସ୍ତେ ସହମତ। ଆମ ସମସ୍ତଙ୍କୁ ଏକାଠି ହୋଇ ଭବିଷ୍ୟତକୁ ସ୍ବରୁପ ଦେବାକୁ ପଡିବ। ମୁଁ ଆନ୍ତରିକତାର ସହ ବିଶ୍ବାସ କରେ ଯେ ଭବିଷ୍ୟତର ଆମର ଦୃଷ୍ଟିକୋଣ ମୁଖ୍ୟତ ମାନବ-କେନ୍ଦ୍ରିତ ହେବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଘରୋଇ ଆର୍ଥିକ ସାମର୍ଥ୍ୟ ଦ୍ୱାରା ବିଶ୍ୱ ଅର୍ଥନୈତିକ ସ୍ଥିରତା ହାସଲ କରାଯାଇପାରିବ। ଏହାର ଅର୍ଥ ବିନିର୍ମାଣ ପାଇଁ ଘରୋଇ କ୍ଷମତାକୁ ସୁଦୃଢ଼ କରିବା, ଆର୍ଥିକ ବ୍ୟବସ୍ଥାକୁ ପୁନଃ ସ୍ଥାପିତ କରିବା ଏବଂ ଆନ୍ତର୍ଜାତୀୟ ବାଣିଜ୍ୟରେ ବିବିଧତା ଆଣିବା। ସେ କହିଛନ୍ତି,‘ଆତ୍ମନିର୍ଭର ଭାରତ’ ଯୋଜନା ଆରମ୍ଭ କରି ଏକ ସମୃଦ୍ଧ ବିଶ୍ୱ ନିର୍ମାଣରେ ଆମେ ସହଯୋଗ କରୁଛୁ। ଏଥିପାଇଁ ଆମେ ଆପଣଙ୍କର ସହଭାଗୀତା ଆବଶ୍ୟକ କରୁ।

ଅର୍ଥନୀତିର ଉନ୍ନତି ପାଇଁ ଅନେକ ପ୍ରୟାସ

ସେ କହିଛନ୍ତି ଯେ ଗତ ୬ବର୍ଷ ମଧ୍ୟରେ ଆମେ ଆମର ଅର୍ଥନୀତିକୁ ଆହୁରି ସଂପ୍ରସାରିତ କରିବା ଏବଂ ଏହାକୁ ଅଧିକ ସଂସ୍କାରମୂଳକ କରିବା ପାଇଁ ଅନେକ ଉଦ୍ୟମ କରିଛୁ। ଏହି ସଂସ୍କାର ଗୁଡିକ ପ୍ରତିଯୋଗିତା, ପାରଦର୍ଶୀତା, ଡିଜିଟାଇଜେସନ୍ର ସଂପ୍ରସାରଣ, ନବସୃଜନ ଏବଂ ନୀତିଗତ କାର୍ଯ୍ୟକାରିତା ବୃଦ୍ଧିକୁ ସୁନିଶ୍ଚିତ କରିଛି। ଭାରତ ଏକ ସୁଯୋଗର ଦେଶ ଭାବରେ ଉଭା ହେଉଛି | ବୈଷୟିକ କ୍ଷେତ୍ରର ଏକ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟରେ ଏକ ମଜାଦାର ରିପୋର୍ଟ ଆସିଛି। କୁହାଯାଇଥିଲା ଯେ ପ୍ରଥମ ଥର ପାଇଁ ଭାରତରେ ଗ୍ରାମୀଣ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସହରୀ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଅପେକ୍ଷା ଅଧିକ ହୋଇଛି।

‘ସ୍ୱାସ୍ଥ୍ୟସେବାରେ ବିନିଯୋଗ କରିବାକୁ ଆମନ୍ତ୍ରଣ ‘

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସମଗ୍ର ବିଶ୍ୱ ଭାରତ ଉପରେ ଆଶାବାଦୀ। ଏହାର କାରଣ ହେଉଛି ଭାରତ ଖୋଲାପଣ, ସୁଯୋଗ ଏବଂ ପ୍ରଯୁକ୍ତି ବିଦ୍ୟାର ଏକ ଉନ୍ନତ ସଙ୍ଗମ ଉପଲବ୍ଧ କରାଉଛି। ମୁକ୍ତ ଚିନ୍ତାଧାରା ଦ୍ୱାରା ମୁକ୍ତ ବଜାର ଗଠନ ହୁଏ ଏବଂ ଏହି ମୁକ୍ତ ବଜାରଗୁଡ଼ିକରେ ସମୃଦ୍ଧି ଆସିଥାଏ | ସେ କହିଛନ୍ତି ଯେ ଭାରତ ଆପଣଙ୍କୁ ସ୍ୱାସ୍ଥ୍ୟସେବାରେ ବିନିଯୋଗ କରିବାକୁ ଆମନ୍ତ୍ରଣ କରୁଛି। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତିବର୍ଷ ୨୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଉଛି।

‘ନୂତନ ବିମାନ ଯୋଗାଇବା ପାଇଁ ଇଣ୍ଡିଆନ୍ ଏୟାରଲାଇନ୍ସ’

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର କମ୍ପାନୀଗୁଡିକ ମେଡିକାଲ-ଟେକ୍ନୋଲୋଜି, ଟେଲି ମେଡିସିନ୍ ଏବଂ ଡାଇଗ୍ନୋଷ୍ଟିକ୍ ଉତ୍ପାଦନରେ ମଧ୍ୟ ଅଗ୍ରଗତି କରୁଛନ୍ତି। ସେହିପରି ବେସାମରିକ ବିମାନ ଚଳାଚଳ ହେଉଛି ଉନ୍ନତ ଅଭିବୃଦ୍ଧି ସମ୍ଭାବନା ଥିବା ଅନ୍ୟ ଏକ କ୍ଷେତ୍ର । ଆସନ୍ତା ଆଠ ବର୍ଷ ମଧ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି। ଆସନ୍ତା ଦଶନ୍ଧିରେ ଭାରତର ଶୀର୍ଷ ବିମାନ କମ୍ପାନୀ ଏକ ହଜାରରୁ ଅଧିକ ନୂତନ ବିମାନ ଯୋଗାଇବାକୁ ପ୍ରସ୍ତୁତ ହେଉଛନ୍ତି।

ପୂର୍ବରୁ ‘ଇଣ୍ଡିଆ ଆଇଡିଆ ସମ୍ମିଳନୀ’ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଭାରତ-ଆମେରିକା ସମ୍ପର୍କ ଉପରେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ସମୃଦ୍ଧଶାଳୀ ବିଶ୍ବ ଗଠନ ପାଇଁ ଭାରତ-ଆମେରିକା ମିଳିତ ଭାବେ କାର୍ଯ୍ୟ କରିବାର କ୍ଷମତା ଅଛି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୟଶଙ୍କର କହିଛନ୍ତି ଯେ ଆମେ ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମ, ଯୋଗାଯୋଗ, କରୋନା ଭୂତାଣୁ ମୁକାବିଲା, ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଛୁ।

Comments are closed.