ମୋଦୀଙ୍କ ‘ମନ୍‌ କୀ ବାତ୍‌’: ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ୟ ପାଳି ଦାୟିତ୍ଵ ଗ୍ରହଣ କରିବା ପରେ ରବିବାର ପ୍ରଥମ ଥର ଲାଗି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜର ମନ କଥା କହିଛନ୍ତି। ପୂର୍ବାହ୍ନ ୧୧ଟାରେ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓରେ ଏହାର ପ୍ରସାରଣ ହୋଇଥିଲା। ମୋଦୀ ପୂର୍ବ କାର୍ଯ୍ୟକାଳ ସମୟରେ ୫୩ ଥର ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ନିଜର ମନ କଥା ଦେଶବାସୀଙ୍କୁ ଜଣାଇଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ଗତ ମାର୍ଚ୍ଚ ମାସଠାରୁ ପ୍ରାୟ ୪ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ପୁଣି ଥରେ ଏହା ଆରମ୍ଭ ହୋଇଛି।

ମୋଦୀ ତାଙ୍କ ଉଦବୋଧନରେ କହିଥିଲେ, ଗତ ଫେବୃୟାରୀରେ ଯେତେବେଳେ ସେ କହିଥିଲେ ଯେ, ନିର୍ବାଚନ ପରେ ପୁଣି ଥରେ ‘ମନ୍‌ କୀ ବାତ୍‌’କୁ ଫେରିବେ ସେତେବେଳେ ଅନେକ ଲୋକ ତାଙ୍କୁ ଅଧିକ ଆତ୍ମବିଶ୍ଵାସୀ ବୋଲି ବିବେଚନା କରିଥିଲେ। କିନ୍ତୁ ତାଙ୍କର ସବୁବେଳେ ଭାରତୀୟମାନଙ୍କ ଉପରେ ବିଶ୍ଵାସ ରହିଥିଲା। ଲୋକେ ପୁଣି ଥରେ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଆସିବାକୁ ସୁଯୋଗ ଦେଲେ। ଏହି ଅବସରରେ ମୋଦୀ ଦେଶରେ ଜଳ ସଂରକ୍ଷଣର ଗୁରୁତ୍ଵ ଉପରେ ବର୍ଣ୍ଣନା କରିଥିଲେ। ଜଳ ସଂରକ୍ଷଣ ଦିଗରେ ଲୋକମାନେ ନିଜର ଚିନ୍ତାଧାରାକୁ ସୋସିଆଲ ମିଡିଆରେ #JanShakti4JalShakti(ଜଳଶକ୍ତି ପାଇଁ ଜନଶକ୍ତି) ମାଧ୍ୟମରେ ଶେୟାର କରିବାକୁ କହିଥିଲେ। ମୋଦୀ କହିଥିଲେ, ଏକ ଦୀର୍ଘ ଅନ୍ତରାଳ ପରେ ଆପଣମାନଙ୍କ ନିକଟକୁ ମନର କଥା ନେଇ ଆସିଛି। ‘ମନ୍‌ କୀ ବାତ୍‌’ ଏକ ଆଧ୍ୟାତ୍ମିକ ଯାତ୍ରା। ଅନେକ ଚିଠି ଏବଂ ଇ-ମେଲ ଦ୍ବାରା ଏହି କାର୍ଯ୍ୟକ୍ରମ ସମୃଦ୍ଧ ହୋଇଛି। ଏସବୁ ଚିଠି ସାଧାରଣ ନୁହେଁ।

ଜଳ ସଙ୍କଟର ମୁକାବିଲା ପାଇଁ ଦେଲେ ପରାମର୍ଶ:

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଜଳର ମହତ୍ଵକୁ ଦୃଷ୍ଟିରେ ରଖି ନୂଆ ଜଳଶକ୍ତି ମନ୍ତ୍ରଣାଳୟ କରାଯାଇଛି। ଏଥିରେ ପାଣି ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଦ୍ରୁତ ଗତିରେ ନିଷ୍ପତ୍ତି ନିଆଯାଇ ପାରିବ। ମୋର ପ୍ରଥମ ଅନୁରୋଧ ହେଉଛି, ଯେମିତି​‌ ଦେଶବାସୀ ସ୍ବଚ୍ଛତାକୁ ଏକ ଜନ ଆନ୍ଦୋଳନର ରୂପ ଦେଲେ, ସେହିପରି ଜଳ ସଂରକ୍ଷଣକୁ ନେଇ ଏକ ଜନ ଆନ୍ଦୋଳନ ଆରମ୍ଭ କରନ୍ତୁ।

ସେ କହିଥିଲେ ଦେଶବାସୀଙ୍କୁ ମୋର ୨ୟ ଅନୁରୋଧ ହେଉଛି, ଆମ ଦେଶରେ ଜଳ ସଂରକ୍ଷଣ ପାଇଁ ଅନେକ ପାରମ୍ପରିକ ପଦ୍ଧତି ରହିଛି। ଆପଣମାନଙ୍କୁ ସମସ୍ତଙ୍କୁ ଜଳ ସଂରକ୍ଷଣର ସେହି ପାରମ୍ପରିକ ପଦ୍ଧତିଗୁଡ଼ିକୁ ଆମକୁ ଜଣାଇବାକୁ ଅନୁରୋଧ କରୁଛି। ଜଳ ସଂରକ୍ଷଣ ଦିଗରେ ମହତ୍ଵପୂର୍ଣ୍ଣ ଯୋଗଦାନ କରୁଥିବା ବ୍ୟକ୍ତି ଏବଂ ସଂଗଠନ ଏ ସମ୍ପର୍କରେ ସୂଚନା ଦେବାକୁ ଚାହୁଁଥିଲେ ତାହାକୁ ସୋସିଆଲ ମିଡିଆରେ #JanShakti4JalShakti ଲେଖି ଶେୟାର କରନ୍ତୁ। ଫଳରେ ଏହାର ଏକ ଡାଟାବେସ୍‌ ପ୍ରସ୍ତୁତ କରାଯାଇ ପାରିବ।

ଲୋକସଭା ନିର୍ବାଚନ ପାଇଁ ଧନ୍ୟବାଦ ଦେଲେ:

ଲୋକସଭା ନିର୍ବାଚନ ସଫଳତାର ସହିତ ଶେଷ ହୋଇଥିବାରୁ ମୋଦୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନ ମଧ୍ୟରୁ ୨୦୧୯ ଲୋକସଭା ନିର୍ବାଚନ ଇତିହାସରେ ଦୁନିଆର ସବୁଠାରୁ ବଡ଼ ଗଣତାନ୍ତ୍ରିକ ନିର୍ବାଚନ ଥିଲା। ଅରୁଣାଚଳ ପ୍ରଦେଶର ଏକ ଦୁର୍ଗମ ଅଞ୍ଚଳରେ କେବଳ ଜଣେ ମହିଳା ମତଦାତାଙ୍କ ପାଇଁ ମତଦାନ କେନ୍ଦ୍ର କରାଯାଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିର୍ବାଚନ ଅଧିକାରୀମାନେ ସେଠାରେ ପହଞ୍ଚିବାକୁ ୨ଦିନ ଲାଗିଯାଇଥିଲା। ଏହା ହିଁ ହେଉଛି ଲୋକତନ୍ତ୍ରର ପ୍ରକୃତ ସମ୍ମାନ।

ଜରୁରୀ ପରିସ୍ଥିତିକୁ ନିନ୍ଦା କଲେ:

ମୋଦୀ କହିଥିଲେ, ଯେତେବେଳେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହେଲା, ସେତେବେଳେ ଏହାର ବିରୋଧ କେବଳ ରାଜନୈତିକ କ୍ଷେତ୍ରରେ ସୀମିତ ରହି ନ ଥିଲା। ଏହା ପ୍ରତି ଲୋକଙ୍କ ମଧ୍ୟରେ ଏକ ପ୍ରକାଶ ଆକ୍ରୋଶ ଦେଖିବାକୁ ମିଳିଥିଲା। ଗଣତନ୍ତ୍ର ହଜିଯିବାର ଏକ କଷ୍ଟ ଅନୁଭବ ହୋଇଥିଲା। ଦିନ ଏବଂ ରାତିରେ ଯେବେ ଠିକ ସମୟରେ ଖାଇବାକୁ ମିଳିଯାଏ, ସେତେବେଳେ ଭୋକ କ’ଣ ଜଣାପଡ଼ି ନ ଥାଏ। ସେହିଭଳି ସାମାନ୍ୟ ଜୀବନରେ ଗଣତନ୍ତ୍ରର ଅଧିକାରଗୁଡ଼ିକର କି ମଜା ରହିଛି ସେତେବେଳେ ଜଣାପଡ଼ିଥାଏ, ଯେତେବେଳେ ତାହାକୁ କେହି ଛଡ଼ାଇ ନିଅନ୍ତି।

ଯୋଗ ଦିବସର ସଫଳ ଆୟୋଜନ ପାଇଁ କୃତଜ୍ଞତା ଜଣାଇଲେ:

ମୋଦୀ ଯୋଗ ଦିବସର ଆୟୋଜନକୁ ନେଇ ସମଗ୍ର ଦେଶବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଲେ, ମୋର ପ୍ରିୟ ଦେଶବାସୀ, ମୋତେ ଆଉ ଏକ କଥାକୁ ନେଇ ଆପଣଙ୍କୁ ଏବଂ ବିଶ୍ଵବାସୀଙ୍କୁ କୃତଜ୍ଞତା ଜଣାଇବାର ଅଛି। ଜୁନ ୨୧ରେ ପୁଣି ଥରେ ଯୋଗ ଦିବସରେ ପରିବାରର ୩/୪ ଜଣ ଏକ ସାଥୀରେ ଯୋଗ ଦିବସ ପାଳନ କରିଥିଲେ। ବୋଧହୁଏ ଏଭଳି କୌଣସି ଜାଗା ନାହିଁ, ଯେଉଁ ଲୋକ ଅଛନ୍ତି ଏବଂ ଯୋଗ ସହିତ ଜଡ଼ିତ ନାହାନ୍ତି। ଯୋଗ ଏତେ ବଡ଼ ରୂପ​ ଧାରଣ କରିଛି। ଯୋଗ କ୍ଷେତ୍ରରେ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ଘୋଷଣା ନିଜ ପାଇଁ ଏକ ବଡ଼ ଆତ୍ମସନ୍ତୋଷର କଥା ଥିଲା।

Comments are closed.