ଗଞ୍ଜାମ ଜିଲାରେ ଖାଲି ପଡିଲା ୧୩ହଜାର ଯୁକ୍ତଦୁଇ ସିଟ୍‌: ୧୪ଶହଙ୍କ ପସନ୍ଦ ଡିପ୍ଲୋମା ଇଞ୍ଜିନିୟରିଂ, ୬ ହଜାର ବାଛିଲେ ଆଇଟିଆଇ

ବ୍ରହ୍ମପୁର:ଗଞ୍ଜାମ ଜିଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁକ୍ତ ଦୁଇ ଶିକ୍ଷା ପ୍ରତି ଆଗ୍ରହ କ୍ରମାଗତ ଭାବେ କମିବା ଲକ୍ଷ୍ୟ କରାଯାଉଛି। ଯେତିକି ଛାତ୍ରଛାତ୍ରୀ ମାଟ୍ରିକ ପାସ୍‌ କରୁଛନ୍ତି, ସେତିକି ଯୁକ୍ତ ଦୁଇରେ ନାମ ଲେଖାଉ ନାହାନ୍ତି। ବରଂ ଶିଳ୍ପ ତାଲିମ୍‌ ପ୍ରତିଷ୍ଠାନ(ଆଇଟିଆଇ) ଏବଂ ଡିପ୍ଲୋମା ଇଞ୍ଜିନିୟରିଂ ପଢ଼ିବା ପାଇଁ ସେମାନେ ପସନ୍ଦ କରୁଛନ୍ତି। ଚଳିତ ବର୍ଷ ଯୁକ୍ତ ଦୁଇ, ଆଇଟିଆଇ ଏବଂ ଡିପ୍ଲୋମା ଇଞ୍ଜିନିୟରିଂରେ ନାମଲେଖା ସ୍ଥିତିରୁ ଏକଥା ସ୍ପଷ୍ଟ ହୋଇଛି। ମାଟ୍ରିକ ପାସ୍‌ କରିଥିବା ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇରେ ନାମ ଲେଖାଇନାହାନ୍ତି। ଅପରପକ୍ଷେ ପ୍ରାୟ ୬ ହଜାର ଛାତ୍ରଛାତ୍ରୀ ଆଇଟିଆଇରେ ଏବଂ ପ୍ରାୟ ୧୪ ଶହ ଛାତ୍ରଛାତ୍ରୀ ଡିପ୍ଲୋମା ଇଞ୍ଜିନିୟରିଂକୁ ବାଛିଛନ୍ତ।

ଚଳିତ ବର୍ଷ ଜିଲାର ମୋଟ ୪୫ହଜାର ୭୦୪ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୭ହଜାର ୪୭୭ଜଣ ପାସ୍‌ କରିଥିଲେ। ଏଣୁ ଏତିକି ସଂଖ୍ୟକ ପିଲା ଯୁକ୍ତ ଦୁଇରେ ନାମ ଲେଖାଇବେ ବୋଲି ଆଶା କରାଯାଉଥିଲା। କିନ୍ତୁ ହେଲା ଓଲଟା। ଜିଲାର ୧୩୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଜୁନିୟର୍‌ କଲେଜ୍‌)ରେ ମୋଟ ୪୦ହଜାର ୧୯୮ଟି ସିଟ୍‌ ରହିଛି। ସେଥିରୁ ୨୭ହଜାର ୨୮୯ଟି ସିଟ୍‌ ପୂରଣ ହୋଇଥିବା ବେଳେ ୧୨ହଜାର ୯୦୯ଟି ସିଟ୍‌ ଖାଲି ପଡ଼ିଛି। କଳାରେ ୧୯ହଜାର ୮୦୯ଟି ସିଟ୍‌ ରହିଥିବା ବେଳେ ୧୭ହଜାର ୧୦୭ଟି ପୂରଣ ହୋଇଛି ଏବଂ ୨ହଜାର ୭୦୨ଟି ସିଟ୍‌ ଖାଲି ରହିଛି। ବିଜ୍ଞାନରେ ୧୫ହଜାର ୩୬୧ଟି ସିଟ୍‌ ରହିଥିବା ବେଳେ ୭ହଜାର ୫୮୮ଟି ପୂରଣ ଏବଂ ୭ହଜାର ୭୭୩ଟି ସିଟ୍‌ ଖାଲି ରହିଛି। ବାଣିଜ୍ୟରେ ୪ହଜାର ୧୪୪ଟି ସିଟ୍‌ ରହିଛି। ସେଥିରୁ ୨ହଜାର ୧୯୮ଟି ପୂରଣ ହୋଇଥିବା ବେଳେ ୧୯୪୬ଟି ଖାଲି ପଡ଼ିଛି। ସେହିଭଳି ସଂସ୍କୃତ ଏବଂ ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ସିଟ୍‌ ଖାଲି ପଡ଼ିଛି ।

ଅପରପକ୍ଷେ ଯୁକ୍ତଦୁଇ ଶ୍ରେଣୀରେ ସିଟ୍‌ ଖାଲି ରହୁଥିବା ବେଳେ ଆଇଟିଆଇରେ ନାମଲେଖା ବଢ଼ିଛି । ଜିଲାରେ ୩୯ଟି ଆଇଟିଆଇ ଶିକ୍ଷାନୁଷ୍ଠାନରେ ବିଭିନ୍ନ ଟ୍ରେଡ୍‌ରେ ମୋଟ ୯୩୫୮ଟି ସିଟ୍‌ ରହିଛି । ସେଥିରୁ ୫୯୬୮ଟି ସିଟ୍‌ ପୂରଣ ହୋଇଥିବା ବେଳେ ୩୩୯୦ଟି ସିଟ୍‌ ଖାଲି ପଡ଼ିଛି । ଏଥିରେ ପୁଣି ୪ଟି ସରକାରୀ ଆଇଟିଆଇ ନାମଲେଖାରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ବ୍ରହ୍ମପୁର ଆଇଟିଆଇରେ ୨୨୦୬ଟି ସିଟ୍‌ ରହିଥିବା ବେଳେ ସମସ୍ତ ସିଟ୍‌ ପୂରଣ ହୋଇଯାଇଛି । ସେହିଭଳି ଛତ୍ରପୁର ଆଇଟିଆଇରେ ୪୩୨, ପୁରୁଷୋତ୍ତମପୁର ଆଇଟିଆଇରେ ୪୯୬, ଶେରଗଡ଼ ଆଇଟିଆଇରେ ୮୦ଟି ସିଟ୍‌ ରହିଥିବା ବେଳେ ସବୁ ସିଟ୍‌ ପୂରଣ ହୋଇଛି। ଆଇଟିଆଇ ହିଂଜିଳିକାଟୁରେ ୭୧୨ରୁ ୬୯୪ଟି ସିଟ୍‌ ପୂରଣ ହୋଇଯାଇଛି। ଆଇଟିଆଇ ନାମଲେଖା ଉତ୍ସାହଜନକ ରହିଥିବା ବେଳେ ଡିପ୍ଲୋମା ଇଞ୍ଜିନିୟିଂରେ ନାମଲେଖାକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ନିରାଶ ହେବାକୁ ପଡ଼ିଛି। ଜିଲାରେ ୧୧ଟି ଇଞ୍ଜିନିୟରିଂ କଲେଜ ନାମଲେଖା ପ୍ରକ୍ରିୟାରେ ସାମିଲ୍‌ ହୋଇଛନ୍ତି।

ଏହି କଲେଜ୍‌ଗୁଡ଼ିକରେ ବିଭିନ୍ନ ବ୍ରାଞ୍ଚ୍‌ରେ ୩୭୯୫ଟି ସିଟ୍‌ ରହିଛି। ସେଥିରୁ ୧୪୦୪ଟି ସିଟ୍‌ ପୂରଣ ହୋଇଥିବାବେଳେ ୨୩୯୧ଟି ସିଟ୍‌ ଖାଲି ରହିଯାଇଛି। ଅଧିକାଂଶ ଛାତ୍ରଛାତ୍ରୀ ମେକାନିକାଲ୍‌ ଏବଂ ଇଲେକ୍ଟ୍ରିକାଲ ବିଷୟରେ ନାମ ଲେଖାଇବାକୁ ଉତ୍ସାହ ଦେଖାଇଛନ୍ତି। ଅନେକ କଲେଜରେ ଏହି ଦୁଇଟି ବ୍ରାଞ୍ଚରେ ନାମଲେଖା ସ୍ଥିତି ଅନ୍ୟ ବ୍ରାଞ୍ଚ ଅପେକ୍ଷା ଭଲ ରହିଛି। ନାମଲେଖାରେ ଘରୋଇ କଲେଜ ଅପେକ୍ଷାରେ ସରକାରୀ କଲେଜ ବର୍ତ୍ତମାନ ସୁଦ୍ଧା ଛାତ୍ରୀଛାତ୍ରଙ୍କ ପ୍ରଥମ ପସନ୍ଦ ରହିଛି। ବ୍ରହ୍ମପୁରସ୍ଥିତ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲର ବାୟୋ ଟେକ୍ନୋଲୋଜିରେ ୩୦ରୁ ୭ଟି, କେମିକାଲ୍‌ରେ ୪୦ରୁ ୩୪ଟି, ସିଭିଲ୍‌ରେ ୬୦ରୁ ୫୮ଟି, କମ୍ପ୍ୟୁଟର ସାଇନ୍ସରେ ୬୦ରୁ ୫୬ଟି, ଇଲେକ୍ଟ୍ରୋନିକ୍ସ ଏବଂ ଟେଲି କମ୍ୟୁନିକେଶରେ ୬୦ରୁ ୫୬, ଆଇଟିରେ ୨୦ରୁ ୧୯ ଏବଂ ମେକାନିକାଲ୍‌ରେ ୬୦ରୁ ୫୬ଟି ସିଟ୍‌ ପୂରଣ ହୋଇଯାଇଛି। ତେବେ ଦ୍ବିତୀୟ ପର୍ୟ୍ୟାୟ ନାମଲେଖା ଚାଲୁ ରହିଥିବା ଯୋଗୁ ଅଧିକାଂଶ ସିଟ୍‌ ପୂରଣ ହେବା ନେଇ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

Comments are closed.