ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ବାଳିକା ମହାସଂଘ ପକ୍ଷରୁ ସଚେତନତା ସୃଷ୍ଟି

ଫୁଲବାଣୀ: ବର୍ତ୍ତମାନ ସମଗ୍ର ଦେଶରେ ପୋଷଣ ମାସ ପାଳନ କରି ପୋଷଣଯୁକ୍ତ ଖାଦ୍ୟ ଖାଇବା ନିମନ୍ତେ ଲୋକମାନଙ୍କୁ ସଚେତନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ କ.ନୂଆଗାଁ ବ୍ଲକ୍‌ର ଅନନ୍ୟା ବାଳିକା ମହାସଂଘ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଦସ୍ୟା ମାନେ ନିଜ ନିଜ ଅଞ୍ଚଳରେ ଓ ପଞ୍ଚାୟତ ସ୍ତରରେ ଘରକୁ ଘର ବୁଲି କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୁତୀ ମହିଳା ସର୍ବୋପରି ସମସ୍ତ ଜନସାଧାରଣଙ୍କୁ ଉପଯୁକ୍ତ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ନିମନ୍ତେ ସଚେତନ କରୁଛନ୍ତି। ବିଶେଷ କରି କରୋନାର ମୁକାବିଲା କରିବା ନିମନ୍ତେ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ସମସ୍ତଙ୍କୁ ପୋଷଣଯୁକ୍ତ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି। ମହାସଂଘର କିଶୋରୀ ବାଳିକା ମାନେ ଏଥିନିମନ୍ତେ ସମସ୍ତଙ୍କୁ ସଚେତନ କରିବା ସହିତ ନିଜେ ନିଜର ବାଡିରେ ଜୈବିକ ଉପାୟରେ ପନିପରିବା ଚାଷ କରିବା ନିମନ୍ତେ ପରାମର୍ଶ ଦେଉଛନ୍ତି। ପୂର୍ବରୁ ମହାସଂଘର ସଦସ୍ୟା ମାନଙ୍କ ପ୍ରଚେଷ୍ଟାରେ ଅଧିକାଂଶ କିଶୋରୀ ବାଳିକା ସେମାନଙ୍କ ବାଡିରେ ବିଭିନ୍ନ ପ୍ରକାରର ପରିବା ଚାଷ କରିଛନ୍ତି ଓ ସେହି ପନିପରିବା ସବୁକୁ ନିଜ ଖାଦ୍ୟରେ ସାମିଲ୍ କରୁଛନ୍ତି। ଏହି ପୋଷଣ ମାସ ମଧ୍ୟରେ ମହାସଂଘର ସଦସ୍ୟା ମାନେ ଅଧିକାରୁ ଅଧିକା କିଶୋରୀ ବାଳିକା ଓ ଲୋକ ମାନଙ୍କ ନିକଟରେ ପହଞ୍ଚି ସମସ୍ତଙ୍କ ବାଡିବଗିଚାରେ ପନିପରିବା ଚାଷ କରିବା ପାଇଁ ପରାମର୍ଶ ଦେଉଛନ୍ତି ଓ ନିଜର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଲୋକମାନେ ଯେପରି ବଜାର ଉପରେ ନିର୍ଭର ନକରନ୍ତି ସେଥିପାଇଁ ପ୍ରୟାସ ଉପରେ ସଚେତନତା ସୃଷ୍ଟି ଜାରି ରଖିଛନ୍ତି ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଧିକା କିଶୋରୀ ଓ ମହିଳାଙ୍କୁ ଯୋଡିବା ନିମନ୍ତେ ଗ୍ରାମ ସ୍ତରରେ ବିଭିନ୍ନ ପ୍ରକାରର ପୋଷଣ ସମ୍ବନ୍ଧୀୟ ପ୍ରତିଯୋଗିତା ଆୟୋଜନ କରି ଲୋକମାନଙ୍କୁ ଉତ୍ସାହିତ କରୁଛନ୍ତି।

Comments are closed.