ଲଣ୍ଡନରେ ପହଞ୍ଚିଲେ ନ୍ୟୁଜିଲାଣ୍ଡର ଖେଳାଳି, ମାଳଦ୍ବୀପରୁ ସ୍ୱଦେଶ ଫେରିଲେ ଅଷ୍ଟ୍ରେଲିଆ କ୍ରିକେଟର

ଲଣ୍ଡନ/ସିଡ୍‍ନୀ: ଘରୋଇ ଇଂଲଣ୍ଡ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ପରେ ଭାରତ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲ ମ୍ୟାଚ୍‌ ଖେଳିବା ଲାଗି ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଅଧିନାୟକ ଖେଳାଳି ସୋମବାର ଲଣ୍ଡନରେ ପହଞ୍ଚିଛନ୍ତି। ଖେଳାଳିମାନେ ଅକ୍‌ଲାଣ୍ଡରୁ ସିଙ୍ଗାପୁର ଦେଇ ଲଣ୍ଡନ୍‌ରେ ପହଞ୍ଚିଛନ୍ତି। ଆଉ କିଛି ଖେଳାଳି ମଙ୍ଗଳବାର ଲଣ୍ଡନ୍‌ରେ ପହଞ୍ଚିବେ। ଆଇପିଏଲ୍‌ ଖେଳୁଥିବା ନ୍ୟୁଜିଲାଣ୍ଡର ଖେଳାଳି ଅଧିନାୟକ କେନ୍ ୱିଲିୟମ୍‌ସନ, କାଏଲ୍‌ ଜେମିସନ୍, ମିଚେଲ ସାଣ୍ଟ୍‌ନର ଏବଂ ୨ ସପୋର୍ଟ ଷ୍ଟାଫ୍ ସୋମବାର ସନ୍ଧ୍ୟାରେ ଲଣ୍ଡନରେ ପହଞ୍ଚି ସାରିଛନ୍ତି। ଇଂଲଣ୍ଡ ଆସିବା ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟରଙ୍କୁ କୋଭିଡ୍‌-୧୯ ଟିକା ଦିଆଯାଇଛି।

ଇଣ୍ଡିଆନ ପ୍ରିିିମିୟର ଲିଗ୍‍ (ଆଇପିଏଲ) ୧୪ଶ ସଂସ୍କରଣ ଖେଳିବା ଲାଗି ଭାରତ ଗସ୍ତରେ ଥିବା ଅଷ୍ଟ୍ରେଲିଆ କ୍ରିକେଟର ସୋମବାର ସ୍ୱଦେଶ ଫେରିଛନ୍ତି। ୧୦ ଦିନ ଧରି ମାଳଦ୍ବୀପରେ ସଙ୍ଗରୋଧରେ ରହିଥିବା ୩୮ ଜଣିଆ ଅଷ୍ଟ୍ରେଲିଆ ଦଳ କ୍ରିକେଟର ଷ୍ଟିଭେନ୍‌ ସ୍ମିଥ୍‍, ପ୍ୟାଟ୍‍ କମିନ୍‌ସ, ଡେଭିଡ୍‍ ୱାର୍ଣ୍ଣରଙ୍କ ସମେତ ଅଷ୍ଟ୍ରେଲିଆର ଭାଷ୍ୟକାର ଓ ଦଳୀୟ କର୍ମକର୍ତ୍ତା ସୋମବାର ସକାଳେ ସିଡ୍‍ନୀରେ ପହଞ୍ଚିଛନ୍ତି। ଆଇପିଏଲରେ କିଛି ଖେଳାଳି ଓ ଅଣଖେଳାଳି କରୋନା ଆକ୍ରାନ୍ତ ହେବା ପରେ ମେ ୪ରେ ବିସିସିଆଇ ଆଇପିଏଲକୁ ସ୍ଥଗିତ ରଖିଥିଲା। ବିଭିନ୍ନ ଦେଶର ଖେଳାଳି ଓ ଦଳୀୟ କର୍ମକର୍ତ୍ତା ସ୍ୱଦେଶ ଫେରିଥିବା ବେଳେ ଅଷ୍ଟ୍ରେଲିଆ ଖେଳାଳି ମାଳଦ୍ବୀପରେ ଅଟକି ରହିଥିଲେ। ଅଷ୍ଟ୍ରେଲିଆ ସରକାର ମେ’ ୧୫ ପର୍ଯ୍ୟନ୍ତ ଭାରତର ବିମାନ ସେବା ଉପରେ କଟକଣା ଲାଗୁ କରିଥିବାରୁ ଅଷ୍ଟ୍ରେଲୀୟ କ୍ରିକେଟର ଘରକୁ ଫେରିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ଫଳରେ ସେମାନେ ମାଳଦ୍ବୀପରେ ସଙ୍ଗରୋଧରେ ରହିଥିଲେ। ୱାର୍ଣ୍ଣର, ସ୍ମିଥ୍‍, କମିନ୍‌ସଙ୍କ ସମେତ ଦିଲ୍ଲୀ କ୍ୟାପିଟାଲ୍‍ସ ପ୍ରଶିକ୍ଷକ ରିକି ପଣ୍ଟିଂ ପ୍ରମୁଖ ଏୟାର ସ୍କାଏଚିଲ ବିମାନରେ ଫେରିଥିଲେ। ସେହିପରି ଚେନ୍ନଇ ସୁପର କିଙ୍ଗ୍‍ସ ବ୍ୟାଟିଂ ପ୍ରଶିକ୍ଷକ ଡେଭିଡ୍‍ ହସି କରୋନାରୁ ମୁକ୍ତହେବା ପରେ ଦିଲ୍ଲୀରୁ ଏୟାର ଆମ୍ବୁଲାନ୍‌ସରେ ଚେନ୍ନଇରେ ପହଞ୍ଚିଥିଲେ।

Comments are closed.