ପ୍ଲାଷ୍ଟିକ୍‌ ବ୍ୟବହାରକୁ ରୋକିବାର ଉପାୟ

ପୃଥିବୀର ପ୍ରମୁଖ ପ୍ରାନ୍ତରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି। ଏବେ ଠାରୁ ସତର୍କ ନ ହେଲେ ଆଗାମୀ କିଛି ବର୍ଷ ପରେ ପରିସ୍ଥିତି ଭୟଙ୍କର ହେବ ବୋଲି ବୈଜ୍ଞାନିକମାନେ ପ୍ରମାଦ ଗଣିଲେଣି। ଏକ ସୁବିଧା ବିକଳ୍ପ ଭାବେ ପ୍ଲାଷ୍ଟିକ୍‌ ଉପଯୋଗୀ ଜିନିଷର ଆରମ୍ଭ କରାଯାଇଥିଲା, ହେଲେ ଶସ୍ତା ହୋଇଥିବା କାରଣରୁ ଏହାର ବ୍ୟବହାର ବହୁଳ ଭାବେ ଦେଖାଗଲା। ପାଣି ବୋତଲ, ଖାଦ୍ୟ ଥାଳି, ଚେୟାର, ଟେବୁଲ୍ ଇତ୍ୟାଦି ଅଧିକାଂଶ ଜିନିଷ ଆଜିକାଲି ପ୍ଲାଷ୍ଟିକ୍‌ରେ ନିର୍ମିତ। ପ୍ଲାଷ୍ଟିକ୍‌କୁ ପୁନଃଚକ୍ରଣ କରିବା ଏତେ ସହଜ ହୋଇନଥିବାବେଳେ ଏଥିରୁ ବାହାରୁଥିବା ବିଷାକ୍ତ ତତ୍ତ୍ବମାନ ଶରୀର ପାଇଁ ଖୁବ୍ ହାନିକାରକ। ମନୁଷ୍ୟ ଯଦି ସାମାନ୍ୟ ବୁଦ୍ଧିମତ୍ତା ପ୍ରୟୋଗ କରି ପ୍ଲାଷ୍ଟିକ୍‌ର ବ୍ୟବହାର କରିଥାନ୍ତା, ଆଜି ଏଭଳି ପରିସ୍ଥିିତିର ସମ୍ମୁଖୀନ ହୋଇନଥାନ୍ତା ବୋଲି ବିଶେଷଜ୍ଞଙ୍କ ମତ। ସର୍ବେକ୍ଷଣ ଅନୁସାରେ, ପ୍ଲାଷ୍ଟିକ୍‌ର ବ୍ୟବହାର ବିଭିନ୍ନ ଜିନିଷରେ ଉପଯୋଗ ହେଉଥିବାବେଳେ ସବୁଠୁ ଅଧିକ କିନ୍ତୁ ଶ୍ୟାମ୍ପୁ ବୋତଲ ଓ ହ୍ୟାଣ୍ଡ ୱାଶ୍ ବୋତଲ ତିଆରିରେ ଉପଯୋଗ ହୋଇଥାଏ। ବର୍ଷକୁ ବିଶ୍ବସ୍ତରରେ ୧ହଜାର ମିଲିୟନ୍ ପ୍ଲାଷ୍ଟିକ୍ ଶ୍ୟାମ୍ପୁ ବୋତଲ ତିଆରି କରାଯାଉଛି। ଏଥିରୁ ମାତ୍ର ୧୦% ପୁନଃଚକ୍ରଣ ହେଉଥିବାବେଳେ ଅନ୍ୟଗୁଡ଼ିକ ପରିବେଶକୁ ଦୂଷିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଏହା କୌଣସି ଛୋଟ ସମସ୍ୟା ନୁହେଁ ବୋଲି ବର୍ଲିନ୍‌‌ର ଜନୈକ ଡିଜାଇନର ଜୋନା ବ୍ରେଟିନ୍୍‌ହୁବର୍ ଅନୁଭବ କଲେ। ଏଣୁ ସେ ତିଆରି କଲେ ସାବୁନ୍‌‌ର ଶ୍ୟାମ୍ପୁ ବୋତଲ। ୬ମାସ ଚେଷ୍ଟା କରିବା ପରେ ସେ ଏହି ସାବୁନ୍‌ ବୋତଲ ତିଆରି କରି ଏହାର ବିକ୍ରି ଆରମ୍ଭ କରିଥିଲେ। ସାବୁନ୍ ବୋତଲକୁ ସ୍ନାନାଗାରରେ ଜଣେ ଝୁଲାଇ ପାରିବ ନଚେତ୍ ଥାକରେ ରଖିପାରିବ। ବୋତଲରୁ ଶ୍ୟାମ୍ପୁ ଶେଷ ପରେ ସେହି ସାବୁନକୁ ଗୁଣ୍ଡ କରି ଜଣେ ବାସନ ମଜା କିମ୍ବା ଲୁଗା ସଫା ପାଇଁ ବ୍ୟବହାର କରିପାରିବ ବୋଲି ଜୋନା କହିଛନ୍ତି। ବର୍ଲିନ୍‌ରେ ଏହାର ବିକ୍ରି ଆରମ୍ଭ ହୋଇଛି। ଆରମ୍ଭ ଦିନରେ ଲୋକେ ଏସବୁ ନେବା ନିମନ୍ତେ ଆଗ୍ରହ ପ୍ରକାଶ କରୁନଥିଲେ। ହେଲେ ସ୍ଥାନୀୟ ଏନଜିଓ ଏହାର ପ୍ରଚାର କରି ପ୍ରଦୂଷଣକୁ ରୋକିବା ନିମନ୍ତେ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ଜନସାଧାରଣଙ୍କୁ ବୁଝାଇଥିଲା। ଗତ କିଛି ମାସ ମଧ୍ୟରେ ଏହି ‘ସୋପ୍ ବୋଟଲ୍’ର ବିକ୍ରି ସେଠାରେ ବଢ଼ିଛି। ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ବଜାର ଓ ଅନ୍-ଲାଇନ୍ ଷ୍ଟୋର୍‌ରେ ପ୍ରଦୂଷଣରହିତ ଏଇ ସୋପ୍ ବୋଟଲ୍‌ର ବିକ୍ରି ଆରମ୍ଭ ହେବ ବୋଲି ପ୍ରକାଶ।

Comments are closed.